ETV Bharat / state

ନବରଙ୍ଗପୁର ହସ୍ପିଟାଲରେ କୋଭିଡ ପାଇଁ ମକଡ୍ରିଲ

author img

By

Published : Dec 28, 2022, 1:15 PM IST

Mock Drill in Nabarangpur Hospital
କୋଭିଡ ପାଇଁ ମକଡ୍ରିଲ

ଆରମ୍ଭ ହେଲା କୋଭିଡ ମୁକାବିଲା ପାଇଁ ମକଡ୍ରିଲ । ଏଥର ଯେପରି କୌଣସି ବି ପରିସ୍ଥିତିରେ କୋଭିଡ ରାଜ୍ୟରେ ଅଣାୟତ୍ତ ନହୁଏ ସେଥିପାଇଁ ସଜାଗ ରହିଛନ୍ତି ରାଜ୍ୟ ସରକାର । ଅଧିକ ପଢ଼ନ୍ତୁ

କୋଭିଡ ପାଇଁ ମକଡ୍ରିଲ

ନବରଙ୍ଗପୁର : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ସମ୍ଭାବ୍ୟ ମହାମାରୀ କରୋନାର ପ୍ରତିକାର ଓ ମୁକାବିଲା ପାଇଁ ଏକ ମକଡ୍ରିଲ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ନିଜେ ଉପସ୍ଥିତ ରହି ନିରୀକ୍ଷଣ କରିବା ସହିତ ମହାମାରୀର ସଫଳ ମୁକାବିଲା ପାଇଁ ସଦାସର୍ବଦା ସଜାଗ ରହିବା ପାଇଁ ପରାମର୍ଶ ଦେଇଥିଲେ ।

ସମ୍ଭାବ୍ୟ ମହାମାରୀର ମୁକାବିଲା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ଟି ICU ବେଡ ଏବଂ ୨୦ଟି ଆଇସୋଲେସନ ବେଡ ସହିତ ଆବଶ୍ୟକୀୟ ଔଷଧ ଅକ୍ସିଜେନ ଭେଣ୍ଟିଲେଟର, ମଲ୍ଟି ପାରା ମିଟର ଡିଶି ସକ, ଏକ୍ସରାୟ ମେସିନ, ଇସିଜି ସିରିଞ୍ଜ ପମ୍ପ ଇତ୍ୟାଦି ମହଜୁତ ଅଛି ବୋଲି ଭାରପ୍ରାପ୍ତ ଅଧିକାରୀ ତଥା ବରିଷ୍ଠ ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଡକ୍ଟର ଲକ୍ଷ୍ମୀନାରାୟଣ ବିଷୋୟୀ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଡେପୁଟି କଲେକ୍ଟର ମୌସୁମୀ ନାୟକ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ମଳୟ କୁମାର ତ୍ରିପାଠୀ, ମହାମାରୀ ବିଶେଷଜ୍ଞ ଡକ୍ଟର ଶିଳ୍ପୀ ଦାସ, ଡକ୍ଟର ମାଇକ୍ରୋ ବାଇଲୋଜିଷ୍ଟ ଅର୍ଦ୍ଧେନ୍ଦୁ ପ୍ରହରାଜ, ବରିଷ୍ଠ ଫାର୍ମାସିଷ୍ଟ ଜଗନ୍ନାଥ ରଥ, ଜିଲ୍ଲା ଜରୁରୀକାଳୀନ ବିଭାଗର ପ୍ରକଳ୍ପ ଅଧିକାରୀ ହିମାଂଶୁ ଶେଖର ପଟ୍ଟନାୟକ, ଜରୁରୀକାଳୀନ ବିଭାଗର ତ୍ରିପତି ବାଲାଜୀ ସାହୁ, ନୀଳକଣ୍ଠ ରାଜୁ, ସାହିଦ ଅକ୍ତର, ଅଭିନାଷ ପାତ୍ର, ସନ୍ଦୀପ ନାୟକଙ୍କ ସମେତ ମୁଖ୍ୟ ଚିକିତ୍ସାଳୟର ପାରା ମେଡିକାଲ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଏବେ ସାରା ବିଶ୍ବରେ ଆରମ୍ଭ ହୋଇଯାଇଛି କୋଭିଡର ୪ର୍ଥ ଲହର । ତେଣୁ ଏହି ମହାମାରୀକୁ କିପରି ମାତ୍ ଦେଇ ହେବ ସେନେଇ ହସ୍ପିଟାଲ ପରିସରରେ ମକଡ୍ରିଲ କରାଯାଇଛି । କିଭଳି ଜଣେ କୋଭିଡ ରୋଗୀଙ୍କୁ ଚିକିତ୍ସା କରାଯିବ ତାହା ମକଡ୍ରିଲ ମାଧ୍ୟମରେ ବୁଝାଯାଇଥିଲା । ଏହି ପରିପ୍ରେକ୍ଷୀରେ ଜଣେ ରୋଗୀଙ୍କୁ ନେଇ ମକଡ୍ରିଲ କରାଯାଇଥିଲା

ଏଥିରେ ରୋଗୀ ଜଣକ ହସ୍ପିଟାଲରେ ପହଞ୍ଚିବା ପରେ ପ୍ରଥମେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । କାରଣ ରୋଗୀ ଜଣକର ସ୍ବାସ୍ଥ୍ୟ ଅବସ୍ଥା କିପରି ରହିଛି । ଏଥିରେ ଯଦି ରୋଗୀର ଅବସ୍ଥା ସେତେଟା ଗୁରୁତର ନାହିଁ ତେବେ ତାକୁ ସାଧାରଣ କୋଭିଡ ଓ୍ବାର୍ଡରେ ରଖି ତାର ଟ୍ରିଟମେଣ୍ଟ କରାଯାଇପାରିବ । କିନ୍ତୁ ଯଦି ରୋଗୀର ଅବସ୍ଥା ସଙ୍କଟାପନ୍ନ ରହିଛି ତେବେ ତାକୁ କୋଭିଡ ICUକୁ ପଠାଯାଉଛି । ICUରେ କିଭଳି ରୋଗୀକୁ ଅକ୍ସିଜେନ ଦିଆଯିବ, ଭେଣ୍ଟିଲେଟର କିଭଳି ୨୪ ଘଣ୍ଟା ଚାଲିବ ଏନେଇ ପ୍ରସ୍ତୁତି ପ୍ରକ୍ରିୟା ହୋଇଥିଲା । ରାଜ୍ୟରେ କୋଭିଡ ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ତଥାପି ରାଜ୍ୟରେ ସର୍ଭେଲାନ୍ସ, ଟେଷ୍ଟିଂକୁ ଜୋରଦାର କରାଯିବା ପାଇଁ ଯୋଜନା ରହିଛି ।

ଏ ସମ୍ପର୍କରେ ଜିଲ୍ଲାପାଳ ଡ. କମଳଲୋଚନ ମିଶ୍ର କହିଛନ୍ତି "ଆଜି ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ କୋଭିଡର ସମ୍ଭାବ୍ୟ ବ୍ୟାପକକୁ ନେଇ ଏକ ମକଡ୍ରିଲର ଆୟୋଜନ କରାଯାଇଛି । ତେବେ ହସ୍ପିଟାଲ ପରିସରରେ ଥିବା ଆଇସୋଲେସନ ଓ୍ବାର୍ଡ ଉପରେ ବିଶେଷ କରି ଆଲୋଚନା କରିଥିଲୁ । ଏଥିରେ ଆମର ୨୦ଟି ଆଇସୋଲେସନ ବେଡ୍ ସୁବିଧା ରହିଛି । ସବୁ ବେଡରେ ଅକ୍ସିଜେନ ସୁବିଧା କରାଯାଇଛି । ଏହାସହ ସବୁ ଅତ୍ୟାଧୁନିକ ଯନ୍ତ୍ରପାତି ରଖାଯାଇଛି । ଜିଲ୍ଲା ସଦର ମହକୁମା ହସ୍ପିଟାଲର ସମସ୍ତ କର୍ମଚାରୀ ଏହି ମକଡ୍ରିଲରେ ଯୋଗଦାନ କରିଥିଲେ।"

ଇଟିଭି ଭାରତ, ନବରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.