ETV Bharat / state

ପୃଥକ ପୃଥକ ସ୍ଥାନରୁ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !

author img

By ETV Bharat Odisha Team

Published : Dec 4, 2023, 3:57 PM IST

ପୃଥକ ପୃଥକ ସ୍ଥାନରୁ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
ପୃଥକ ପୃଥକ ସ୍ଥାନରୁ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !

ମୟୂରଭଞ୍ଜରେ ଚାଞ୍ଚଲ୍ୟ । ଜିଲ୍ଲାର ଦୁଇଟି ସ୍ଥାନରୁ ୨ଟି ମୃତଦେହ ଉଦ୍ଧାର କରିଛି ପୋଲିସ । ଜଣକ ପରିଚୟ ମିଳିଥିବାବେଳେ ଅନ୍ୟଜଣକ ପରିଚୟ ମିଳିପାରି ନାହିଁ । ପୋଲିସ ତନାଘନ ଜାରି ରଖି ଥିବାବେଳେ ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ

ରାଇରଙ୍ଗପୁର: ପୃଥକ ପୃଥକ ସ୍ଥାନରୁ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି । ତେବେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ପାରିପାର୍ଶ୍ୱାକ ସ୍ଥିତିରୁ ଉଭୟଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ମୟୂରଭଞ୍ଜ ଜିଲ୍ଲାରେ ଏପରି କିଛି ଅଭାବନୀୟ ଘଟଣା ଘଟି ଯାଇଥିବା ଦେଖିବାକୁ ମିଳିଛି । ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣୀ ଘାଟି ତଳେ ଥିବା ଏକ ପୋଖରୀ ନିକଟରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ଆଜି ସକାଳୁ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ । ଏନେଇ ବାଙ୍ଗିରିପୋଷି ଥାନା ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଥିଲେ ।

ଯୁବକଙ୍କ ମୁଣ୍ତକୁ କେହି ଦୁର୍ବୃତ୍ତ ପଥରରେ ଛେଚି ଦେଇଥିବା ଅନୁମାନ କରାଯାଉଛି । ମୃତକଙ୍କ ପରିଚୟ ମଧ୍ୟ ମିଳିପାରିଛି । ମୃତକ ଜଣକ ବାଘିଆବେଡା ଗ୍ରାମର ଗିରିଶ ନାଏକ ବୋଲି ଜଣାପଡିଛି । ଗତକାଲି ରାତିରୁ ଗିରିଶ ଆଉ ଘରକୁ ଫେରି ନଥିଲେ । ଆଜି ତାଙ୍କ ମୃତଦେହ ସେଠାରେ ପଡ଼ିଥିବା ବେଳେ ମୁଣ୍ଡରେ ଗଭୀର କ୍ଷତ ଥିବାର ଦେଖିବାକୁ ମିଳିଛି । ସେପଟେ ଅଧିକ ତଦନ୍ତ ପାଇଁ ବାରିପଦା ରୁ ସାଇଣ୍ଟିଫିକ ଟିମ ମଧ୍ୟ ଡକାଇଛି ପୋଲିସ । ପୋଲିସ ଓ ସାଇଣ୍ଟିଫିକ ଟିମର ତଦନ୍ତ ସହିତ ମୃତ ଦେହ ର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସି ପାରିବ । ତେବେ ପୋଲିସ ଘଟଣାସ୍ଥଳରେ ରହି ତଦନ୍ତ ଜାରି ରଖିଛି ।

ଏହା ମଧ୍ୟ ପଢନ୍ତୁ....ଶୂନ୍ୟ ମୃତ୍ୟୁ ସପ୍ତାହକୁ ଚ୍ୟାଲେଞ୍ଜ ଦେଉଛି ଦୁର୍ଘଟଣା: ଡିଭାଇଡରରେ ପିଟି ହେଲା କାର, ଜଣଙ୍କ ମୃତ୍ୟୁ

ସେହିପରି ମୟୂରଭଞ୍ଜ ଜିଲ୍ଲାର ବିଶୋଇ ଥାନା ଅନ୍ତର୍ଗତ ଟିଆକାଟି ପାହାଡ଼ରୁ ଜଣଙ୍କର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତଦେହଟି ସଢ଼ି ଯାଇଥିବାରୁ ତାହା ମହିଳା କି ପୁରୁଷ ସ୍ପଷ୍ଟ ହୋଇପାରିନାହିଁ । ସୁଲେଇପାଟ ଲୌହ ଖଣି ନିକଟସ୍ଥ ଟିଆକାଟି ପାହାଡ଼ ନିକଟରେ ସ୍ଥାନୀୟ ଲୋକେ ଛେଳି, ଗାଇ, ଗୋରୁ ଚରାଇବା ପାଇଁ ଯାଇଥିବା ବେଳେ ଦୁର୍ଗନ୍ଧ ହେବାରୁ ଯାଇ ଦେଖିଥିଲେ । ଏହି ସମୟରେ ପାହାଡ଼ ଭିତରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ପରେ ଏ ସମ୍ପର୍କରେ ବିଶୋଇ ଥାନା ପୋଲିସକୁ ଖବର ଦେବାରୁ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ତେବେ ମୃତଦେହଟି ସମ୍ପୂର୍ଣ୍ଣ ସଢ଼ି ଯାଇଥିବାରୁ ପରିଚୟ ମିଳିବା ତ ଦୂରର କଥା ମହିଳା କି ପୁରୁଷ ତାହା ମଧ୍ୟ ଜଣା ପଡୁନାହିଁ ।

ପରେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାରିପଦା ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲା ପୋଲିସ । କେହି ଦୁର୍ବୃତ୍ତ ହତ୍ୟା କରି ପଥର ସନ୍ଧିରେ ଲୁଚାଇ ଦେଇଥିବା ପୋଲିସ ଅନୁମାନ କରୁଛି । ଜିନ୍ସ ଓ ଟି-ସାର୍ଟ ପିନ୍ଧିଥିବା ମୃତକ ଜଣକ କିଏ, କ'ଣ ରହିଥିଲା ମୃତ୍ୟୁ ର କାରଣ, କାହା ସହିତ ମୃତକ ସେଠାକୁ ଆସିଥିଲେ ନା କେହି ହତ୍ୟା କରି ସେଠାରେ ଫୋପାଡି ଦେଇଛି, ଏସବୁର କାରଣ ଖୋଜୁଛି ବିଶୋଇ ଥାନା ପୋଲିସ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.