ETV Bharat / state

ଦୁବାଇ ଫେରନ୍ତା ମିଶନ ଶକ୍ତି ସଭାନେତ୍ରୀଙ୍କୁ ସମ୍ବର୍ଦ୍ଧନା

author img

By ETV Bharat Odisha Team

Published : Nov 25, 2023, 10:30 AM IST

ମିଶନ ଶକ୍ତି ସଭାନେତ୍ରୀ
ମିଶନ ଶକ୍ତି ସଭାନେତ୍ରୀ

ବିଦେଶରୁ ଫେରିଲେ ରାଇରଙ୍ଗପୁର ପାନପୋଷି ଗ୍ରାମର ଲୀଳାବତୀ ମହାନ୍ତ । ଦୁବାଇରୁ ଫେରିବା ପରେ ତାଙ୍କୁ ସମ୍ବର୍ଦ୍ଧିତ କଲା ରାଇରଙ୍ଗପୁର ବ୍ଲକ ପ୍ରଶାସନ । ଅଧିକ ପଢନ୍ତୁ

ବିଦେଶରୁ ଫେରିଲେ ମିଶନ ଶକ୍ତି ସଭାନେତ୍ରୀ

ରାଇରଙ୍ଗପୁର: ମିଶନ ଶକ୍ତି ଦେଇଛି ମହିଳାଙ୍କୁ ନୂତନ ପରିଚୟ । ହାଣ୍ଡିଶାଳରୁ ଦୁବାଇ ଯାତ୍ରା କରି ଫେରିଲେ ମିଶନ ଶକ୍ତି ମହିଳା । ସେଠାରେ ନିଜ ଦକ୍ଷତା, ଜ୍ଞାନ କୌଶଳକୁ ଅତ୍ୟାଧୁନିକ କରି ଓଡିଶା ଫେରିଛନ୍ତି । ତେବେ ଏସଏଚଜି ମହିଳାମାନେ ଦ୍ବିତୀୟ ପର୍ଯ୍ୟାୟରେ ଭୁବନେଶ୍ୱରରୁ ଦୁବାଇ ଯିବାର କାର୍ଯ୍ୟକ୍ରମ ଥିବାବେଳେ ରାଇରଙ୍ଗପୁରରୁ ଦୁବାଇକୁ ଯିବା ପାଇଁ ମନୋନୀତ ହୋଇଥିଲେ ପାନପୋଷି ଗ୍ରାମର ଲୀଳାବତୀ ମହାନ୍ତ । ଶୁକ୍ରବାର ଲୀଳାବତୀ ମହାନ୍ତ ଦୁବାଇରୁ ଫେରିବା ପରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।

ମିଶନ ଶକ୍ତିର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଧୂପ ତିଆରି କରି ନିଜେ ସ୍ୱାବଲମ୍ବୀ ହେବା ସହିତ ଅନେକ ସଦସ୍ୟାଙ୍କୁ ସ୍ୱାବଲମ୍ବୀ କରାଇଥିଲେ ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ପାନପୋଷି ଗ୍ରାମର ଲୀଳାବତୀ । ଏଥି ସହିତ ସ୍ବାଧୀନତା ଦିବସ ଉପଲକ୍ଷେ ଘରେ ଘରେ ତ୍ରିରଙ୍ଗା ଯୋଗାଇବା କାର୍ଯ୍ୟକ୍ରମ ପାଇଁ ପ୍ରାୟ 9 ହଜାର ଜାତୀୟ ପତାକା ତିଆରି କରି ରାଜ୍ୟ ସରକାରଙ୍କ ନଜରକୁ ଆସିଥିଲେ । ଏହାରି ମଧ୍ୟରେ ଓଡିଶା ସରକାର ରାଜ୍ୟର ବିଭିନ୍ନ ସ୍ଥାନରୁ ମିଶନ ଶକ୍ତି ମାଆମାନଙ୍କୁ ଅଧିକ ଜ୍ଞାନ ଆରୋହଣ ପାଇଁ ନିକଟରେ ଦୁବାଇ ପଠାଇଥିଲେ । ସେମାନଙ୍କ ସହିତ ଲୀଳାବତୀ ମହାନ୍ତ ମଧ୍ୟ ଦୁବାଇ ଯିବାକୁ ସୁଯୋଗ ପାଇଥିଲେ । ତେବେ ଦୁବାଇରୁ ଫେରିବା ପରେ ମିଶନ ଶକ୍ତି ସଭାନେତ୍ରୀ ଲୀଳାବତୀ ମହାନ୍ତଙ୍କୁ ସ୍ଵାଗତ ଓ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ରାଇରଙ୍ଗପୁର ବ୍ଲକ ପରିସରରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ- ବିଦେଶ ଯିବେ SHG ମହାସଂଘ ସଭାନେତ୍ରୀ, ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

ଉକ୍ତ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଞ୍ଜନ ହେମ୍ବ୍ରମ, ଏବିଡିଓ ସୁରାଇ ମାରାଣ୍ଡି, ସିଡିପିଓ କୋଇଲି ମଣୀ ଟୁଡୁ, ପ୍ରମୁଖ ଯୋଗ ଦେଇଥିଲେ । ଉପସ୍ଥିତ ମିଶନ ଶକ୍ତିର ସଦସ୍ୟା ତଥା ବ୍ଲକ ପ୍ରଶାସନ ପକ୍ଷରୁ ଫୁଲମାଳ, ଶାଢ଼ୀ ପ୍ରଭୃତି ଦେଇ ଲୀଳାବତୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେଠାରେ ଥିବା ମିଶନ ଶକ୍ତି ସଦସ୍ୟାମାନେ ହୁଳୁହୁଳି ଦେଇ ତାଙ୍କୁ ସ୍ୱାଗତ କରିଥିଲେ ।

ଲୀଳାବତୀ ୨୦୧୭ ମସିହାରୁ ନିଜେ କଠିନ ପରିଶ୍ରମ କରି ସ୍ବାବଲମ୍ବୀ ହେବା ସହିତ ଅନ୍ୟ ମହିଳାମାନଙ୍କୁ ବିଭିନ୍ନ କାର୍ଯ୍ୟ ଯଥା ଧୂପ ତିଆରି, ମହମବତୀ, ସିଲେଇ ଆଦିରେ ନିୟୋଜିତ କରାଇ ସ୍ବାବଲମ୍ବୀ କରିବା ପାଇଁ ସର୍ବଦା ଚେଷ୍ଟିତ ଅଛନ୍ତି । ଲୀଳାବତୀ ଏମଜିଏଲ ନାମକ ଏନଜିଓ ସହଯୋଗରେ ଏହି କାର୍ଯ୍ୟ ଆଗକୁ ଜାରି ରଖିବା ସହିତ ବହୁ ସଂଖ୍ୟାରେ ମାଆମାନେ କିପରି ଯୋଡି ହୋଇ ସ୍ୱାବଲମ୍ବୀ ହୋଇପାରିବେ ସେ ଦିଗରେ ନିଜର ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.