ETV Bharat / state

ହାଇୱାକୁ ପଛରୁ ଧକ୍କା ଦେଲା ବାଇକ, ଚାଳକ ମୃତ

author img

By ETV Bharat Odisha Team

Published : Oct 30, 2023, 10:29 PM IST

ହାଇୱାକୁ ପଛରୁ ଧକ୍କା ଦେଲା ବାଇକ
ହାଇୱାକୁ ପଛରୁ ଧକ୍କା ଦେଲା ବାଇକ

ଛିଡ଼ା ହୋଇଥିବା ହାଇୱା ଟ୍ରକକୁ ପଛରୁ ଧକ୍କା ଦେଲା ବାଇକ । ବାଇକ ଚାଳକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଅଧିକ ପଢ଼ନ୍ତୁ

ରାଇରଙ୍ଗପୁର: ଦିନକୁ ଦିନ ବଢ଼ିବାରେ ଲାଗିଛି ସଡ଼କ ଦୁର୍ଘଟଣା । ବେପରୁଆ ଗାଡି ଚାଳନା ଓ ଅସାବଧାନତା ପାଇଁ ଅକାଳରେ ଚାଲି ଯାଉଛି ନିରିହ ଜୀବନ । ତେବେ ପୁଣି ଏକ ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜରେ । ଯେଉଁଠି ଛିଡ଼ା ହୋଇଥିବା ଗୋଟିଏ ହାଇୱା ଟ୍ରକକୁ ପଛରୁ ଆସୁଥିବା ଏକ ବାଇକ ଧକ୍କା ଦେବା ଫଳରେ ବାଇକ ଚାଳକ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।

ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ପାଖାପାଖି ୫.୩୦ ସମୟରେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ଅସନବଣୀ ଗ୍ରାମର ଆନପା ହେମ୍ବ୍ରମଙ୍କ ପୁଅ ରାଜୁ ହେମ୍ବ୍ରମ (୨୦) ଓ ତାଙ୍କ ସାଙ୍ଗ କରକଚିଆ ଗ୍ରାମର ସାମାଇ ଟୁଡୁ କୌଣସି କାମରେ ରାଇରଙ୍ଗପୁରରୁ ହାଟବାଦଡା ଅଞ୍ଚଳ ପଟକୁ ଏକ ବାଇକରେ ଯାଉଥିଲେ । ନାଉଜୋଡା ଗ୍ରାମ ନିକଟରେ ଥିବା ଏକ ପୋଲ ପାଖରେ ପୂର୍ବରୁ ଛିଡ଼ା ଥିବା ଏକ ହାଇୱା ଟ୍ରକକୁ ପଛ ପଟୁ ଧକ୍କା ଦେଇଥିଲା ବାଇକ । ଫଳରେ ଘଟଣାସ୍ଥଳରେ ହିଁ ଦୁହେଁ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିଲେ । ପରେ ଏସମ୍ପର୍କରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେବାରୁ ଦୁହିଁଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ରାଇରଙ୍ଗପୁର ମେଡିକାଲକୁ ଅଣା ଯାଇଥିଲା ।

ତେବେ ସେଠାରେ ଉଭୟଙ୍କ ଚିକିତ୍ସା ଚାଲିଥିବା ବେଳେ ବାଇକ ଚାଳକ ରାଜୁ ହେମ୍ବ୍ରମଙ୍କ ମୃତ୍ୟୁ ଘଟିଥିଲା । ଏଥି ସହିତ ଗୁରୁତର ଅବସ୍ଥାରେ ସମାଇ ଟୁଡୁଙ୍କ ଚିକିତ୍ସା ରାଇରଙ୍ଗପୁର ଡାକ୍ତରଖାନାରେ ଜାରି ରହିଛି । ଏ ସମ୍ପର୍କରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଏକ ଦୁର୍ଘଟଣା ମାମଲା ରୁଜୁ କରି ବାଇକକୁ ଜବତ କରିଛି । ତେବେ ଆସନ୍ତାକାଲି ରାଇରଙ୍ଗପୁର ମେଡିକାଲରେ ମୃତଦେହ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଇରଙ୍ଗପୁରରେ ଦୁଇଟି ପୃଥକ ଦୁର୍ଘଟଣାରେ ୨ ମୃତ

ପୂର୍ବରୁ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ବୁଧିଆକୁଦର ଗ୍ରାମର କ୍ଷୀରଦ ମହାନ୍ତ ଏକ ସ୍କୁଟି ଯୋଗେ କ୍ଷୀର ବିକ୍ରି କରିବାକୁ ସହରକୁ ଯାଉଥିଲେ । ରେଳ ଫାଟକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ ଭ୍ୟାନ ଅନ୍ୟ ଏକ ବାଇକରେ ଆସୁଥିବା ଅସନା ଗ୍ରାମର ରାହୁଲ ଓ ତାଙ୍କ ସ୍ତ୍ରୀକୁ ଧକ୍କା ଦେଇ କ୍ଷୀରଦଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ କ୍ଷୀରଦଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.