ETV Bharat / state

ଫରେଷ୍ଟ ଗାର୍ଡଙ୍କୁ ହତ୍ୟା ଘଟଣାରେ ୨ ଗିରଫ: ମୃତକଙ୍କ ପରିବାରକୁ ୫୦ ଲକ୍ଷ ସହାୟତା ଦାବି

author img

By

Published : May 24, 2023, 12:36 PM IST

ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟ ଗାର୍ଡଙ୍କୁ ଗୁଳିକରି ହତ୍ୟା ଘଟଣା । ଦୁଇ ଜଣ ଶିକାରୀ ଗିରଫ । ଅଧିକ ପଢନ୍ତୁ

ଫରେଷ୍ଟ ଗାର୍ଡଙ୍କୁ ହତ୍ୟା ଘଟଣାରେ ୨ ଗିରଫ
ଫରେଷ୍ଟ ଗାର୍ଡଙ୍କୁ ହତ୍ୟା ଘଟଣାରେ ୨ ଗିରଫ

ଫରେଷ୍ଟ ଗାର୍ଡଙ୍କୁ ହତ୍ୟା

ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟରେ ଫରେଷ୍ଟ ଗାର୍ଡଙ୍କୁ ଗୁଳିକରି ହତ୍ୟା ଘଟଣା । ଦୁଇ ଜଣ ଶିକାରୀଙ୍କୁ ଗିରଫ କଲା ପୋଲିସ । ଗୁଳିକାଣ୍ଡ ପରେ ମୟୂରଭଞ୍ଜ ପୋଲିସ ଓ ବନ ବିଭାଗର ସ୍ବତନ୍ତ୍ର ଟିମ୍ ଶିକାରୀମାନଙ୍କୁ ଧରିବା ପାଇଁ ଶିମିଳିପାଳ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଏହି ଘଟଣାରେ ପୋଲିସ ଗତକାଲି ୫ ଜଣ ଶିକାରୀଙ୍କୁ ଉଠାଇ ଆଣି ବାଙ୍ଗିରିପୋଷି ଥାନାରେ ଅଟକ ରଖିଥିଲା । ସେମାନଙ୍କୁ ମଧ୍ୟରୁ ୨ ଜଣଙ୍କୁ ଗିରଫ କରାଯିବା ସହ ଗୋଟିଏ ବନ୍ଧୁକ ଜବତ କରାଯାଇଛି ।

ପିସିସିଏଫ୍ କହିଛନ୍ତି ଯେ, ଏହି ଗୁଳିମାଡ ପରେ ଶିମିଳିପାଳ ଜଙ୍ଗଲରେ ବନ ବିଭାଗ ଓ ପୋଲିସର ୫ଟି ଟିମ୍ ଗଠନ କରାଯାଇ ସୋମବାର ରାତିରୁ ମିଳିତ କମ୍ବିଂ ଅପରେସନ ଚାଲିଛି । ଗତକାଲି ଜଙ୍ଗଲରେ ପାଟ୍ରୋଲିଂ ଚାଲୁଥିବା ସମୟରେ ୫ ରୁ ୬ ଜଣ ଶିକାରୀ କୁଟୁରା ଶିକାର କରି ନେଉଥିଲେ । ପୋଲିସ ସମସ୍ତଙ୍କୁ ଅଟକ ରଖିବା ପରେ ଦୁଇ ଜଣଙ୍କୁ ଗିରଫ କରିଛି । ଗୁଳିମାଡ କରିଥିବା ଶିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଅନ୍ୟପଟେ ଫରେଷ୍ଟ ଗାର୍ଡ ବିମଲଙ୍କ ମୃତଦେହ ବାରିପଦା ପିଆରଏମରେ ବ୍ୟବଚ୍ଛେଦ ପରେ ଗତକାଲି(ମଙ୍ଗଳବାର) ମରଶରୀରକୁ ଏକ ଶୋଭାଯାତ୍ରାରେ ବାରିପଦା ସ୍ଥିତ ମଞ୍ଚାବନ୍ଧା ଶହୀଦ ସ୍ତମ୍ଭ ପାଖକୁ ଅଣାଯାଇଥିଲା । ସେଠାରେ ବନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ତାଙ୍କୁ ଗାର୍ଡ ଅଫ ଅନର‌ ପ୍ରଦାନ କରାଯାଇଥିଲା । ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ସୋମବାର ସନ୍ଧ୍ୟାରେ ଶିମିଳିପାଳରେ ବିମଲଙ୍କୁ ଶିକାରୀ ଗୁଳି କରିଥିଲେ । ଗୁଳି ବାମପଟ ଛାତିରେ ବାଜିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଜଙ୍ଗଲ ମଧ୍ୟରେ ଜଣେ ଫରେଷ୍ଟ ଗାର୍ଡଙ୍କୁ ଗୁଳିମାଡ଼ କରି ହତ୍ୟା କରାଯିବା ଏହା ଓଡ଼ିଶାରେ ପ୍ରଥମ ଘଟଣା ।

ତେବେ ଶହୀଦ ବିମଲ କୁମାର ଜେନାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଯୋଗାଇ ଦେବାକୁ ବନରକ୍ଷୀ ସଂଘ ପକ୍ଷରୁ ଦାବି କରାଯାଇଛି । ଜଙ୍ଗଲ ମଧ୍ୟରେ ଫରେଷ୍ଟ ଗାର୍ଡମାନେ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିବା ବେଳେ ହାତରେ ଥିବା କେବଳ ଲାଠି ହିଁ ତାଙ୍କ ସାହା ଭରସା ହୋଇଥାଏ । ସେ ଲାଠି ଧରି ଅସୁରକ୍ଷିତ ଭାବେ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ ଶିକାରୀଙ୍କ ପାଖରେ ବନ୍ଧୁକ ରହିଥାଏ । ତେଣୁ ଏ ଦିଗରେ ଦୃଷ୍ଟି ଦେଇ ଫରେଷ୍ଟ ଗାର୍ଡମାନଙ୍କୁ ବନ୍ଧୁକ ଯୋଗାଇବା ସହ ଶହୀଦ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ଦେବାକୁ ରାଜ୍ୟ ସରକାରଙ୍କ ନିକଟରେ ରାଜ୍ୟ ବନରକ୍ଷୀ ସଂଘର ଉପସଭାପତି ପ୍ରଭାତ ରଞ୍ଜନ ମହାନ୍ତ ଦାବି କରିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.