ETV Bharat / state

ବନ୍ଧା ହେଲେ ନକଲି ମହିଳା ପୋଲିସ, ହତ୍ୟା ମାମଲାରୁ ନାଁ ହଟାଇବାକୁ ମାଗୁଥିଲେ 20 ହଜାର

author img

By

Published : May 31, 2023, 9:32 AM IST

ରାଇରଙ୍ଗପୁରରୁ ନକଲି ପୋଲିସ ଗିରଫ
ରାଇରଙ୍ଗପୁରରୁ ନକଲି ପୋଲିସ ଗିରଫ

ରାଇରଙ୍ଗପୁରରୁ ନକଲି ମହିଳା ପୋଲିସ ଗିରଫ । ନିଜକୁ ପୋଲିସ କହି ଲୋକଙ୍କୁ ଟଙ୍କା ମାଗୁଥିଲେ ଏହି ମହିଳା । ଅଧିକ ପଢନ୍ତୁ

ନକଲି ମହିଳା ପୋଲିସ ଗିରଫ

ରାଇରଙ୍ଗପୁର: ନିଜକୁ ପୋଲିସ କହି ଲୋକଙ୍କୁ ବୋକା ବନାଉଥିଲେ ମହିଳା । କେସରୁ ନାଁ ହଟାଇବା ପାଇଁ ଡିମାଣ୍ଡ କରୁଥିଲେ ମୋଟ ଅଙ୍କର ଟଙ୍କା । ଶେଷରେ ନକଲି ମହିଳା ପୋଲିସକୁ ବାନ୍ଧିଲା ଅସଲି ପୋଲିସ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରୁ ଏହି ନକଲି ପୋଲିସ ଜଣକ ଧରାପଡିଛନ୍ତି । ଅଭିଯୁକ୍ତ ମହିଳା ଟାଉନ ଥାନା ଅନ୍ତର୍ଗତ କୁଚେଇବୁଢୀ ଗ୍ରାମର ରୁଞ୍ଜୁ ମହାନ୍ତଙ୍କ ଝିଅ ପ୍ରତିଭା ମହାନ୍ତ ଓରଫ ଟିକି (୨୮) । ନିଜକୁ ପୋଲିସର ପରିଚୟ ଦେଇ ଏକ ମର୍ଡର କେସରୁ ନାଁ ହଟାଇବାକୁ ସେ ଜଣେ ବ୍ୟକ୍ତିଙ୍କୁ ୨୦ ହଜାର ଟଙ୍କା ମାଗୁଥିଲେ । ଏନେଇ ଅଭିଯୋଗ ପରେ ପୋଲିସ ପ୍ରତିଭାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁଯାୟୀ, ପ୍ରତିଭା ନିଜକୁ ଜଣେ ପୋଲିସ ବୋଲି ପରିଚୟ ଦେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଦଡା ଅଞ୍ଚଳର କାଳିପଦ ମହାନ୍ତ ଓ ତାଙ୍କ ପୁଅଙ୍କ ନାଁରେ ରାଇରଙ୍ଗପୁର ଟାଉନ ଥାନାରେ ଏକ ମର୍ଡର କେସ ଥିବା ଦର୍ଶାଇ ସୋମବାର ସେମାନଙ୍କ ନିକଟରୁ ୨୦,୦୦୦ ଟଙ୍କା ଦାବି କରିଥିଲେ । ଟଙ୍କା ଦେଲେ ମର୍ଡର କେସରୁ ସେମାନଙ୍କ ନାଁ ହଟାଇ ଦେବେ ବୋଲି କହିଥିଲେ । ଏ ସମ୍ପର୍କରେ କାଳିପଦ ମହାନ୍ତ ଓ ଗାଁ ଲୋକ ରାଇରଙ୍ଗପୁର ଟାଉନ ଥାନା ଆଇଆଇସିଙ୍କୁ ଯୋଗାଯୋଗ କରି ଘଟଣା ବିଷୟରେ ଅବଗତ କରାଇଥିଲେ । ପରେ ଏନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାକୁ ଜଣାଇବାରୁ ପୋଲିସ ପ୍ରତିଭାଙ୍କୁ ବାଦଡା ଗ୍ରାମରୁ ଗିରଫ କରିଛି । ନକଲି ପୋଲିସକୁ ଗିରଫ କରିବା ସହିତ ତାଙ୍କ ନିକଟରୁ OD 11W 5084 ରେଜିଷ୍ଟ୍ରେସନ ନଂ ବିଶିଷ୍ଟ ଏକ ସ୍କୁଟି, ପୋଲିସ ଡ୍ରେସ, ଓଡ଼ିଶା ଜେଲର ଆର୍ମଡ୍ ବ୍ୟାଚ, ପୋଲିସ ବେଲ୍ଟ ଓ ଜୋତା ଆଦି ଜବତ କରିଛି ।

ତେବେ ପଚରାଉଚରା ସମୟରେ ଗିରଫ ଅଭିଯୁକ୍ତ ମହିଳା ପୋଲିସ ନିକଟରେ ନିଜ ଦୋଷ ସ୍ବୀକାର କରିଛନ୍ତି । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ମଙ୍ଗଳବାର ତାଙ୍କୁ ରାଇରଙ୍ଗପୁର କୋର୍ଟ ଚାଲାଣ କରିଥିବାର ସୂଚନା ଦେଇଛନ୍ତି ରାଇରଙ୍ଗପୁର ଏସଡିପିଓ ଗୋକୁଳାନନ୍ଦ ସାହୁ । ଏହାବ୍ୟତୀତ ଉକ୍ତ ମହିଳାଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ଅଛି ନା ନାହିଁ ଏବଂ ଆଉ ଏପରି କୌଣସି ଅପରାଧିକ ମାମଲାରେ ତାଙ୍କର ସମ୍ପୃକ୍ତ ରହିଛି, ସେନେଇ ତଦନ୍ତ ଜାରି ରହିଥିବା ଏସଡିପିଓ କହିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.