ETV Bharat / state

ଲଗାଣ ବର୍ଷାରେ କାନ୍ଥ ପଡି ୪ ମାସର ଶିଶୁ ମୃତ, ବାପାମାଆ ଗୁରୁତର

author img

By

Published : Mar 19, 2023, 9:37 AM IST

ଲଗାଣ ବର୍ଷାରେ ଘରର କାନ୍ଥ ପଡି ୪ ମାସର ଶିଶୁକନ୍ୟା ମୃତ । ମାଲକାନଗିରି ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ

ଲଗାଣ ବର୍ଷାରେ କାନ୍ଥ ପଡି ୪ ମାସର ଶିଶୁ ମୃତ
ଲଗାଣ ବର୍ଷାରେ କାନ୍ଥ ପଡି ୪ ମାସର ଶିଶୁ ମୃତ

ମାଲକାନଗିରି: ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାରେ ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଛି । ଲଗାଣ ବର୍ଷାରେ ଘରର କାନ୍ଥ ପଡିଯିବାରୁ ଜଣେ ୪ ମାସର ଶିଶୁକନ୍ୟାର ମୃତ୍ୟୁ ହୋଇଛି । ଏଥିରେ ଶିଶୁର ମାଆ ଓ ବାପା ଗୁରୁତର ଆହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ମେଟାଗୁଡା ଗାଁରୁ ଏହି ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମୃତ ଶିଶୁ ଗାଁର ଆଇତା ମାଡକାମିଙ୍କ ୪ ମାସର ଝିଅ ସ୍ବାତୀ । ବାପାମାଆ ୪ ମାସର ଶିଶୁ ସହ ଘରେ ଶୋଇଥିବାବେଳେ ତାଙ୍କର ଉପରେ କାନ୍ଥ ପଡିଥିବା ଜଣାପଡିଛି ।

ସୂଚନା ମୁତାବକ, ମେଟାଗୁଡା ଗ୍ରାମର ଆଇତା ମାଡକାମି, ତାଙ୍କ ସ୍ତ୍ରୀ ଓ ୪ ମାସର କୁନି ଝିଅ ସ୍ଵାତି ଘରେ ଶୋଇଥିଲେ । ଆଜି ସକାଳୁ ଅଚାନକ ଘରର କାନ୍ଥ ଭାଙ୍ଗି ତିନି ଜଣଙ୍କ ଉପରେ ପଡିଥିଲା । ଆଇତାଙ୍କ ପରିବାର ଲୋକଙ୍କ ଚିତ୍କାର ଶୁଣି ଆଖପାଖ ଲୋକେ ସେଠାକୁ ଧାଇଁ ଆସିଥିଲେ । ଗ୍ରାମବାସୀ ଭଙ୍ଗା କାନ୍ଥ ତଳୁ ବାପାମାଆ ଓ ଝିଅକୁ ଉଦ୍ଧାର କରି ନିକଟସ୍ଥ ପଡିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଘଟଣାସ୍ଥଳରେ ହିଁ ୪ ମାସର ନିଷ୍ପାପ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ଏବେ ଶିଶୁର ବାପାମାଆ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି ।

ଏ ସମ୍ପର୍କରେ ଖବର ପାଇ ବିଡିଓ ରାମକୃଷ୍ଣ ନାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିବା ସହ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି । ପୀଡିତ ପରିବାରକୁ ତୁରନ୍ତ ଥଇଥାନ କରିବା ଏବଂ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରି ବାସଗୃହ ଯୋଗାଇ ଦେବା ଦିଗରେ କାର୍ଯ୍ୟ କରିବାକୁ ସେ ପିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ସରପଞ୍ଚ ଲଛମନ ମାଡକାମି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ଆଶ୍ଵସନା ଦେଇଥିବା ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ: ରାୟଗଡ଼ାରେ କାଶ୍ମୀର ଭ୍ରମ ! ତାଣ୍ଡବ ରଚିଲା ପଶ୍ଚିମା ଝଡ, ତିନି ମହିଳା ଗୁରୁତର

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲାରେ ତିନି ଦିନ ହେବ ଅଦିନିଆ ବର୍ଷା ଲାଗି ରହିଛି । କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ ଯୋଗୁଁ ମାଥିଲି ବ୍ଲକର କଳିଆଗୁଡା,ମଞ୍ଜାରିଗୁଡା ଓ ପୂଜାରୀ ଗୁଡାରେ ଅନେକ ଲୋକଙ୍କ ଘରର ଛପର ଉଡିଯାଇଛି । ସେହିପରି ଅନେକ ସ୍ଥାନରେ ପବନରେ ଗଛ ଭାଙ୍ଗି ରାସ୍ତା ଉପରେ ପଡିଛି । ଯାହାଫଳରେ ଯାତାୟତରେ ଅସୁବିଧା ହେଉଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.