ରାୟଗଡ଼ାରେ କାଶ୍ମୀର ଭ୍ରମ ! ତାଣ୍ଡବ ରଚିଲା ପଶ୍ଚିମା ଝଡ, ତିନି ମହିଳା ଗୁରୁତର

author img

By

Published : Mar 18, 2023, 10:24 PM IST

Updated : Mar 18, 2023, 10:55 PM IST

ରାୟଗଡ଼ାରେ ତାଉ ଦେଖାଇଲା ପଶ୍ଚିମା ଝଡ

ରାୟଗଡ଼ାରେ ତାଉ ଦେଖାଇଲା ପଶ୍ଚିମା ଝଡ । ବିଜୁଳି ଘଡ଼ଘଡ଼ି ସାଙ୍ଗକୁ କୁଆପଥର ବର୍ଷାରେ ଅନେକ କ୍ଷୟକ୍ଷତି ହୋଇଥିବା ସୂଚନା । ଅଧିକ ପଢ଼ନ୍ତୁ

ରାୟଗଡ଼ାରେ ତାଉ ଦେଖାଇଲା ପଶ୍ଚିମା ଝଡ

ରାୟଗଡ଼ା: ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ବର୍ଷା ହୋଇଛି । ପବନ ଓ ଘଡ଼ଘଡ଼ି ସାଙ୍ଗକୁ କୁଆପଥର ବର୍ଷା ମଧ୍ୟ ହୋଇଛି । ପଶ୍ଚିମା ଝଡ ପ୍ରଭାବରେ ରାୟଗଡ଼ା ଜିଲ୍ଲାରେ ପ୍ରବଳ ମାତ୍ରାରେ କୁଆପଥର ବର୍ଷା ହୋଇଛି । ଜିଲ୍ଲାର କାଶୀପୁର ବ୍ଲକରେ କୁଆପଥର ଆସ୍ତରଣ ଯୋଗୁଁ କାଶ୍ମୀରର ଭ୍ରମ ସୃଷ୍ଟି କରିଛି । ଏହି ଅଞ୍ଚଳରେ ଗତ 100 ବର୍ଷ ମଧ୍ୟରେ ଏଭଳି କୁଆପଥର ବର୍ଷା ହୋଇନଥିବା ବେଳେ ସଂପୂର୍ଣ୍ଣ କାଶୀପୁର ବ୍ଲକ ଅଞ୍ଚଳରେ 2 ଫୁଟର ବରଫ ଆସ୍ତରଣ ଦେଖିବାକୁ ମିଳିଥିଲା ।

ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପଶ୍ଚିମା ଝଡର ପ୍ରଭାବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଓ କୁଆପଥର ମାଡ଼ରେ କାଶିପୁର ବ୍ଲକର ଡି କରଳ ଗ୍ରାମରେ 10ଟି ଘର ଭାଙ୍ଗିବା ସହ ବହୁ ଗଛପତ୍ର ଭାଙ୍ଗିଯାଇଛି । ଅପରାହ୍ନ 4ଟା ବେଳେ ହଠାତ କଳାହାଣ୍ଡିଆ ମେଘ ଘୋଟିଆସିଥିଲା । କିଛି ସମୟରେ ଆରମ୍ଭ ହୋଇଥିଲା ବର୍ଷା । ବିଜୁଳି ଘଡ଼ଘଡ଼ି ସାଙ୍ଗକୁ କୁଆପଥର ବର୍ଷା ହୋଇଛି । ଏହାର ପ୍ରଭାବରେ ଡି କରଳ ଗ୍ରାମର କେତେକଙ୍କ ଘର ଆଜବେଷ୍ଟସ ଛାତ ସଂପୂର୍ଣ୍ଣ ଧ୍ବସ୍ତ ହୋଇଯାଇଥିବା ବେଳେ ଅନ୍ୟ ଆଠଟି ଘର କିଛି ମାତ୍ରାରେ ଭାଙ୍ଗି ଥିବା ଜଣାପଡ଼ିଛି । ତେବେ ଘର ଆଗରେ ଥିବା ବଡ଼ବଡ଼ ଗଛ ମଧ୍ୟ ଭାଙ୍ଗି ଯାଇଛି । ଘର ଉପରେ ଗଛ ପଡ଼ିବାର କିଛି ସମୟ ପୁର୍ବରୁ ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ । ଫଳରେ ପରିବାର ଲୋକେ ଅଳ୍ପକେ ବଡ଼ ଦୁର୍ଘଟଣାରୁ ବଞ୍ଚି ଯାଇଥିଲେ ।

ପ୍ରବଳ ବର୍ଷା ଯୋଗୁଁ ଅନେକ ବଡ଼ ବଡ଼ ଗଛ ଭାଙ୍ଗିଯାଇ ରାସ୍ତା ଉପରେ ପଡ଼ିରହିଛି । ପ୍ରଭାବିତ ଲୋକଙ୍କୁ ପ୍ରଶାସନ ତରଫରୁ ସହାୟତା ଯୋଗାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଅଦିନିଆ ଝଡ଼ ଦ୍ବାରା କାଶୀପୁର ବ୍ଲକରେ ଅନେକ ଗାଈଗୋରୁଙ୍କ ମୃତ୍ୟୁ ଘଟିଛି । ପଣଷ ଗୁଡା, କଞ୍ଜାକଣା, ଡି. କରଳ ଭଳି ଅନେକ ଗ୍ରାମରେ ଘର ଗୁଡିକରେ ବର୍ଷାପାଣି ପଶି ବହୁ ଆଶାବାବପତ୍ର ସହ ସଞ୍ଚିତ ଖାଦ୍ୟ ଶସ୍ୟ ନଷ୍ଟ ହୋଇଯାଇଛି । କଞ୍ଜାକଣା ଗ୍ରାମର ପାଳଙ୍ଗ ମାଝୀ, ଜୁଲମେ ମାଝୀ ଏବଂ ସନେ ମାଝି ପାଣି ଆଣିବାକୁ ଝରଣାକୁ ଯାଇଥିବା ବେଳେ କୁଆ ପଥର ମାଡ଼ ଦ୍ବାରା ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ କାଶୀପୁର ତହସିଲଦାର କ୍ଷୟକ୍ଷତି ଅଞ୍ଚଳ ଅନୁଧ୍ୟାନ କରିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ରାୟଗଡ଼ା

Last Updated :Mar 18, 2023, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.