ETV Bharat / state

ଚିକିତ୍ସା ବଦଳରେ ଗୁଣିଆ ଭରସାରେ ପରିବାର, ୨ଭଉଣୀ ମୃତ

author img

By

Published : Oct 28, 2022, 9:34 PM IST

Updated : Oct 29, 2022, 3:40 PM IST

ଚିକିତ୍ସା ବଦଳରେ ଗୁଣିଆ ଭରସାରେ ପରିବାର, ୨ଭଉଣୀ ମୃତ
ଚିକିତ୍ସା ବଦଳରେ ଗୁଣିଆ ଭରସାରେ ପରିବାର, ୨ଭଉଣୀ ମୃତ

ଗୁଣିଆ ଭରସାରେ ପରିବାର । ମାଲକାନଗିରି କୋରକୁଣ୍ଡ ବ୍ଲକରେ ଏକ ପରିବାରର ୨ ଝିଅଙ୍କ ମୃତ୍ୟୁ ପରେ ଆଉ ଏକ ଝିଅ ସମାନ ଭାବେ ଅଜଣା ରୋଗରେ ପୀଡ଼ିତ ହୋଇଛି । ତେବେ ପରିବାର ଆଉ ଡାକ୍ତରଙ୍କ ଉପରେ ଭରସା ନକରି ଗୁଣିଆଙ୍କ ନିକଟରେ ଝିଅର ଝଡ଼ାଫୁଙ୍କା କରୁଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

ମାଲକାନଗିରି: ଅଭାବନୀୟ ଘଟଣା, ଅଜଣା ରୋଗରେ ଦୁଇ ଭଉଣୀଙ୍କର ମୃତ୍ୟୁ । ଏବେ ତୃତୀୟ ଭଉଣୀର ସ୍ବାସ୍ଥ୍ୟବସ୍ଥା ଗୁରୁତର । ପରିବାର ଲୋକେ ଗୁଣିଆ ଭରସାରେ ରହିଛନ୍ତି । ଜିଲ୍ଲାର କୋରକୁଣ୍ଡା ବ୍ଲକ ତାର୍ଲାକୋଟା ପଞ୍ଚାୟତ ଅନ୍ତର୍ଗତ ପୁଷପାଲ୍ଲୀ ଗାଁରେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ପରିବାରକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିଛି । ଅଜଣା ରୋଗରେ ୨ ଭଉଣୀ ଆକ୍ରାନ୍ତ ହେବା ପରେ ପରିବାର ଲୋକେ ଡାକ୍ତରଙ୍କ ନିକଟକୁ ନେଇଥିଲେ । ମାତ୍ର ଔଷଧ ଖାଇବା ପରେ ମଧ୍ୟ ୨ ଭଉଣୀଙ୍କ ମୃତ୍ୟୁ ଘଟିଛି । ଏହି ଦୁଇ ଭଉଣୀଙ୍କ ପରେ ଆଉ ଏକ ଭଉଣୀ ଅଜଣା ରୋଗରେ ପୀଡ଼ିତ ଥିବା ଜଣାଯାଇଛି । ତେବେ ପରିବାରଲୋକେ ଡାକ୍ତରଙ୍କ ଉପରେ ଭରସା ନ କରି ଗୁଣିଆ ନିକଟରେ ଚିକିତ୍ସିତ କରାଉଥିବା ଦେଖିବାକୁ ମିଳିଛି ।

ଚିକିତ୍ସା ବଦଳରେ ଗୁଣିଆ ଭରସାରେ ପରିବାର, ୨ଭଉଣୀ ମୃତ

ସୂଚନା ଅନୁସାରେ, ଗାଁର ଗୋବର୍ଦ୍ଧନ ନାୟକ, ସ୍ବାମୀ ସ୍ତ୍ରୀ ଓ ୪ ଝିଅଙ୍କୁ ଧରି ତାଙ୍କ ହସଖୁସିର ପରିବାର । ହେଲେ ୧୫ ଦିନ ପୂର୍ବରୁ ତାଙ୍କ ପରିବାର ଉପରେ ଆସିଗଲା ବଡ ବିପତ୍ତି । ପ୍ରଥମେ ବଡ ମଝିଆ ଝିଅ ଜୟନ୍ତୀ ନାୟକ (୧୭)କୁ ହାତ, ଗୋଡ ଓ ପେଟ ବ୍ୟଥା ହେବାରୁ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ଆଣି ଚିକିତ୍ସା କରିଥିଲେ । ହେଲେ ସେଠାରେ କିଛିଦିନ ଚିକିତ୍ସା ପରେ ତାଙ୍କର ଶରୀରରେ କୌଣସି ଉନ୍ନତି ନଆସିବାରୁ ଡାକ୍ତର ଜୟନ୍ତୀଙ୍କର କୌଣସି ରୋଗ ନଥିବା କହି କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ରେଫର କରିଥିଲେ । ହେଲେ ରାସ୍ତାରେ ହିଁ ଜୟନ୍ତୀଙ୍କର ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ମାଲକାନଗିରିରେ ମୁଣ୍ଡ ନେଉଛି ଅଜଣା ରୋଗ, ୧୦ ଦିନରେ ଗଲାଣି ୭ ଜୀବନ

ଏହି ଘଟଣାର ସପ୍ତାହ ପରେ ମଝିଆ ଝିଅ ସୁଭଦ୍ରା (୧୫) ଙ୍କର ବି ସମାନ ଲକ୍ଷଣ ଦେଖାଦେଇଥିଲା । କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଡାକ୍ତର ରୋଗ ଚିହ୍ନି ନପାରି କିଛି ଔଷଧ ଦେଇ ଘରକୁ ଫେରାଇ ଦେଇଥିଲେ । କିନ୍ତୁ ଘରକୁ ଆଣିବା ପରେ ସୁଭଦ୍ରା ଗୁରୁତର ହେବାରୁ ତାଙ୍କୁ ପୁଣି ଜିଲ୍ଲା ହସ୍ପିଟାଲକୁ ନିଆଯାଇଥିଲା । ହେଲ ଗତ ୨୩ତାରିଖ ରେ ମାଲକାନଗିରି ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି ।

ଏହା ମଧ୍ୟ ପଢନ୍ତୁ: ଚିନ୍ତା ବଢ଼ାଉଛି ଅଜଣା ରୋଗ, ପ୍ରଶାସନ ଓ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ

ଗୋବର୍ଦ୍ଧନଙ୍କ ଆଉ ଏକ ଝିଅ ଯଶୋଦା (୨୮) ର ମଧ୍ୟ ବର୍ତ୍ତମାନ ସମାନ ସ୍ଥିତି । ଯଶୋଦାକୁ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ମାତ୍ର ସେଠାରେ ଡାକ୍ତର ରୋଗ ଚିହ୍ନି ନପାରି କିଛି ହୋଇନାହିଁ କହି ଔଷଧ ଦେଇ ଗତ ୨୩ ତାରିଖରେ ଘରକୁ ଫେରାଇ ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଯଶୋଦାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ପରେ ପରିବାର ଲୋକେ ହସ୍ପିଟାଲ ଉପରେ ଭରସା କରୁନଥିବା କହିବା ସହ ଗୁଣି ଗାରେଡ଼ି ଉପରେ ଭରସା କରି ଝଡାଫୁଙ୍କା ଓ ଜଡିବୁଟି ଉପରେ ଭରସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅଜଣା ରୋଗରେ ପୀଡିତ ତିନି ସନ୍ତାନ, ସରକାରୀ ସାହାଯ୍ୟ ଅପେକ୍ଷାରେ ପରିବାର

୧୫ ଦିନ ମଧ୍ୟରେ ଗୋଟିଏ ପରିବାରର ୨ ଭଉଣୀଙ୍କର ମୃତ୍ୟୁ ହୋଇଥିବା ବେଳେ ବର୍ତ୍ତମାନ ବଡ ଭଉଣୀ ଅସ୍ୟହ ଯନ୍ତ୍ରଣାରେ ଛଟପଟ ହୋଇ ଶଯ୍ୟାଶାୟୀ । ଏପରି ପରିସ୍ଥିତିରେ ପରିବାର ଜିଲ୍ଲା ହସ୍ପିଟାଲ ଡାକ୍ତରଙ୍କ ଉପରେ ଭରସା କରିପାରୁନଥିବା କହିଛନ୍ତି । ଶେଷରେ ସେମାନେ ବାଧ୍ୟହୋଇ ପାଖ ଗାଁ ଦିସାରି (ଗୁଣିଆ) ଉପରେ ଭରସା କରି ଝଡାଫୁଙ୍କା ଆରମ୍ଭ କରିଛନ୍ତି । ପରିବାର ଲୋକ କହିଛନ୍ତି ଦିସାରି ପୂଜାପାଠ କଲେ ଯଶୋଦାର ସ୍ବାସ୍ଥ୍ୟବସ୍ଥା କିଛି ମାତ୍ରାରେ ଠିକ୍ ରହୁଛି । ଏଣୁ ସେମାନେ ଡାକ୍ତରଙ୍କ ଉପରେ ଭରସା ନ କରି ଦିସାରିକୁ ଦେଖାଉଥିବା କହିଛନ୍ତି ।

ଏହା ବି ପଢନ୍ତୁ- ସିମେଣ୍ଟ କାରଖାନା ନିର୍ମାଣକୁ ବିରୋଧ: ୫ ଜଣଙ୍କୁ ଉଠାଇନେଲା ପୋଲିସ, ଥାନା ଘେରିଲେ ଗ୍ରାମବାସୀ

ପରିବାର ଲୋକଙ୍କ ମନରେ ଅନ୍ଧ ବିଶ୍ବାସ ଭରି ରହିଥିବା ବେଳେ ଗାଁର କିଛି ଲୋକ କହିଛନ୍ତି ଦୁଇ ଝିଅଙ୍କ ମୃତ୍ୟୁ ପରେ ଗୋବର୍ଦ୍ଧନଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ବଡ ଝିଅର ଭଲ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଏଣୁ ତାଙ୍କୁ ସରକାର ସହାୟତା କଲେ ସେ ବଡ ହସ୍ପିଟାଲରେ ଯଶୋଦାର ଚିକିତ୍ସା କରାଇପାରନ୍ତା । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାରେ କେବେ ଲୋକଙ୍କ ମନରୁ ଅନ୍ଧବିଶ୍ବାସ ହଟିବ ଓ ଜିଲ୍ଲା ପ୍ରଶାସନ ଏହା ଉପରେ କିଭଳି ପଦକ୍ଷେପ ନେବ ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ମାଲକାନଗିରି

Last Updated :Oct 29, 2022, 3:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.