ETV Bharat / politics

ପୁରୁଣା ଭୁବନେଶ୍ବରରେ ପାଣ୍ଡିଆନଙ୍କ ପ୍ରଚାର, ଧର୍ମେନ୍ଦ୍ର ଓ ଅପରାଜିତାଙ୍କୁ ଟାର୍ଗେଟ - Vk Pandian campaign

author img

By ETV Bharat Odisha Team

Published : May 16, 2024, 12:48 PM IST

lok sabha election 2024: ନିର୍ବାଚନୀ ସଭାରେ ଧର୍ମେନ୍ଦ୍ର ଓ ଅପରାଜିତାଙ୍କୁ ପରୋକ୍ଷ ଟାର୍ଗେଟ କଲେ ବିଜେଡି ଷ୍ଟାର ପ୍ରଚାରକ ପାଣ୍ଡିଆନ । ମନ୍ମଥ ଓ ଅଶୋକଙ୍କ ପାଇଁ ମାଗିଲେ ଭୋଟ । କହିଲେ ଜୁନ 9 ତାରିଖରେ ନବୀନଙ୍କ ଷଷ୍ଠ ଥରର ଶପଥ । ଅଧିକ ପଢନ୍ତୁ

ଧର୍ମେନ୍ଦ୍ର ଓ ଅପରାଜିତାଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ
ଧର୍ମେନ୍ଦ୍ର ଓ ଅପରାଜିତାଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ (PIC- ETV Bharat Odisha)

ଭୁବନେଶ୍ୱର: ଆରମ୍ଭ ହୋଇଛି ବିଜେଡିର ହାଇଭୋଲଟେଜ ପ୍ରଚାର । ପ୍ରଚାରର ମଙ୍ଗ ଧରିଛନ୍ତି 5-ଟି ଅଧ୍ୟକ୍ଷ ତଥା ବିଜେଡିର ଦ୍ବିତୀୟ ଷ୍ଟାର-ପ୍ରଚାରକ ଭି.କେ ପାଣ୍ଡିଆନ । ଗତକାଲି (ବୁଧବାର) ଦଳର ସଂସଦୀୟ ପ୍ରାର୍ଥୀ ମନ୍ମଥ ରାଉତରାୟ ଓ ବିଧାୟକ ପ୍ରାର୍ଥୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ପାଇଁ ସେ ପ୍ରଚାର କରିଛନ୍ତି । ପୁରୁଣା ଭୁବନେଶ୍ୱରରୁ ପ୍ରଚାର ଆରମ୍ଭ ପୂର୍ବରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ ପାଣ୍ଡିଆନ । ଏହା ପରେ ଲିଙ୍ଗରାଜ ମନ୍ଦିର ନିକଟରେ ଦଳ ପକ୍ଷରୁ ଆୟୋଜିତ ପ୍ରଚାର ମଞ୍ଚରେ ସେ ଅଭିଭାଷଣ ରଖିଥିଲେ । ଏଥିରେ ସେ ପ୍ରତିଦ୍ବନ୍ଦ୍ବୀ ଦଳ ଭାରତୀୟ ଜନତା ପାର୍ଟିର ଦୁଇ ବରିଷ୍ଠ ନେତା ତଥା ଚଳିତଥର ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ଥାନୀୟ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରିଥିଲେ ।

ନିର୍ବାଚନୀ ସଭାମଞ୍ଚରେ ‘ହର ହର ମହାଦେବ’ କହି ଭାଷଣ ଆରମ୍ଭ କରି ‘ଜୟ ଜଗନ୍ନାଥ’ ନାରାରେ ଶେଷ କରିଥିଲେ ପାଣ୍ଡିଆନ । ପାଣ୍ଡିଆନ କହିଛନ୍ତି,‘‘ଲିଙ୍ଗରାଜ ମନ୍ଦିରକୁ ମୁଁ ପ୍ରତ୍ୟେକ ସୋମବାର ଆସେ । ଥରେ ଶିବରାତ୍ରୀ ସମୟରେ ମୁଁ ଦେଖିଲି ମା’ମାନଙ୍କ ପାଇଁ ଛିଡା ହେବାକୁ ମଧ୍ୟ ଜାଗା ନାହିଁ । ଶାନ୍ତିରେ ଦୀପ ବସାଇ ପାରୁନାହାନ୍ତି । ଏ ବିଷୟ ମୁଖ୍ୟମନ୍ତ୍ରୀଙ୍କୁ କହିବା ପରେ ‘ଏକାମ୍ର ପ୍ରକଳ୍ପ’ ଆରମ୍ଭ ହେଲା । ଏବେ ମା’ମାନେ ବହୁତ ଶାନ୍ତିରେ ପରିବାର ସଦସ୍ୟଙ୍କୁ ଧରି ଦୀପ ବସାଇ ପାରୁଛନ୍ତି । ସବୁ ମହାପ୍ରଭୁ ଲିଙ୍ଗରାଜଙ୍କ ଇଛା । ମନ୍ଦିର ବିକାଶ ପାଇଁ ସମସ୍ତେ ତ୍ୟାଗ କରିଛନ୍ତି । ଏହି ତ୍ୟାଗ ଇତିହାସ ମନେ ରଖିବ । ମହାପ୍ରଭୁ ଲିଙ୍ଗରାଜ ଆପଣଙ୍କୁ ଆଶୀର୍ବାଦ କରିବେ ।’’



ଆହୁରି ମଧ୍ୟ ପାଣ୍ଡିଆନ କହିଛନ୍ତି, ଆଗକୁ ଏକାମ୍ର ପ୍ରକଳ୍ପ ଆହୁରି ଆଗେଇବ । ଆହୁରି ଭବ୍ୟ ଓ ଦିବ୍ୟ ହେବ । ଭକ୍ତ ଆଧ୍ୟାତ୍ମିକ ଅନୁଭବ ପାଇବେ । ହଜାର ହଜାର ପର୍ଯ୍ୟଟକ ଆସିବେ । ରୋଜଗାର ବଢିବ ଓ ସ୍ଥାନୀୟ ଲୋକଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ । କିନ୍ତୁ ଭୁବନେଶ୍ୱର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲିଙ୍ଗରାଜଙ୍କ କାମକୁ ବନ୍ଦ କରିବା ପାଇଁ ଷଡଯନ୍ତ୍ର କଲେ । ସାଂସଦ ଭାବେ ତାଙ୍କ କାମ ହେଉଛି କେନ୍ଦ୍ର ସରକାରଙ୍କଠାରୁ ବଡ ବଡ ଯୋଜନା ଆଣିବେ । ଫ୍ଲାଇ-ଓଭର, IT ପାର୍କ, MSME, ଦକ୍ଷତା ବିକାଶ ଆଦି ଯୋଜନାରେ ହଜାର ହଜାର କୋଟି ଟଙ୍କା ସେ ଆଣି ପାରିଥାନ୍ତେ । ବେଙ୍ଗାଲୁରୁ ଓ ଜୟପୁର ଆଦି ସହରରେ ସାଂସଦମାନେ ସେମାନଙ୍କ ସହର ପାଇଁ ୪୦ ହଜାର, ୫୦ ହଜାର କୋଟି ଟଙ୍କା ଆଣୁଛନ୍ତି । କିନ୍ତୁ ଦୁଃଖର କଥା ଭୁବନେଶ୍ୱର ସାଂସଦ ଛୋଟ କଥାରେ ମାତୁଛନ୍ତି । କର୍ପୋରେଟରମାନଙ୍କ କଥାରେ ମୁଣ୍ଡ ଖେଳାଉଛନ୍ତି । ତାଙ୍କର କିଛି ଉଚ୍ଚ ଚିନ୍ତାଧାରା ନାହିଁ ।

ଜୁନ ୯ ତାରିଖରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ପ୍ରଥମ ଦସ୍ତଖତରେ ଆପଣମାନଙ୍କ ବିଜୁଳି ବିଲ୍‌ ଛାଡ କରିବେ । ୯୦ ପ୍ରତିଶତ ପରିବାର ଏଥିରେ ଉପକୃତ ହେବାକୁ ଯାଉଛନ୍ତି । ଦ୍ବିତୀୟ ଦସ୍ତଖତରେ ବାକି ରହିଥିବା ଲୋକଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ‘BSKY’ରେ ସାମିଲ କରିବେ । ସରକାରୀ କର୍ମଚାରୀ, ଅଙ୍ଗନବାଡି, ଆଶାକର୍ମୀମାନେ ମଧ୍ୟ ଏଥିରେ ସାମିଲ ହେବେ । ତୃତୀୟ ଦସ୍ତଖତରେ ମିଶନ ଶକ୍ତିକର୍ମୀଙ୍କୁ ପେନସନ ମିଳିବ । ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ, ବିଧାୟକ ପ୍ରାର୍ଥୀ ଅଶୋକ ପଣ୍ଡା ଏ ମାଟିର ପୁଅ । ସେମାନଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ ।’’

ଏହା ମଧ୍ୟ ପଢନ୍ତୁ:- ଖଲ୍ଲିକୋଟରେ ରାଜନୈତିକ ହିଂସା; ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ଆକ୍ରମଣରେ ଜଣେ ମୃତ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ - Violence in Khallikote



ସେହିପରି ବିଜେଡିର ସ୍ଥାନୀୟ ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ କହିଛନ୍ତି, ‘‘ଯେଉଁମାନେ ବିଜୁ ପଟ୍ଟନାୟକଙ୍କୁ ‘ଭାରତରତ୍ନ’ ଦେବାକୁ ଚିନ୍ତା କରିନାହାନ୍ତି, ଓଡିଆ ଭାଷା ପାଇଁ ଟଙ୍କା ଟିଏ ମଧ୍ୟ ଦେଇନାହାନ୍ତି, ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେଇନାହାନ୍ତି, ସେମାନଙ୍କର ଅସ୍ମିତା କଥା କହିବାର କିଛି ଅଧିକାର ନାହିଁ, ସେମାନଙ୍କୁ କଡା ଜବାବ ଦିଅନ୍ତୁ ।’’ ସେହିପରି ଅଶୋକ ପଣ୍ଡା କହିଛନ୍ତି, ‘‘ମହାପ୍ରଭୁ ଲିଙ୍ଗରାଜ ଆମର କ୍ଷେତ୍ରାଧିପତି । ଲିଙ୍ଗରାଜ ଆଇନକୁ ଚକ୍ରାନ୍ତ କରି ଦିଲ୍ଲୀରେ ଅଟକାଇଛି ବିଜେପି । ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରିଛନ୍ତି । ସେମାନଙ୍କୁ ଇତିହାସ କ୍ଷମା ଦେବ ନାହିଁ । ମହାପ୍ରଭୁ କ୍ଷମା ଦେବେ ନାହିଁ ।’’


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.