ETV Bharat / state

ଶିଶୁ ବୈଜ୍ଞାନିକ ଆଣିଲେ ସମସ୍ୟା ସମାଧାନର ସୂତ୍ର

author img

By ETV Bharat Odisha Team

Published : Dec 16, 2023, 6:55 AM IST

New Invention by Young Scientists: ମାଧ୍ୟାକର୍ଷଣ ଶକ୍ତିକୁ ଉପଯୋଗ କରି ବିଦ୍ୟୁତ ଉତ୍ପାଦନ ସମ୍ପର୍କରେ ଏକ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି ଛାତ୍ର । ସେହିପରି ସୋଲାର ପ୍ୟାନେଲକୁ ସଂଯୋଗ କରି ଛତା ଭିତରେ ଲାଗିଥିବା ଫ୍ୟାନ ଯୋଗେ ତାପ ନିୟନ୍ତ୍ରିତ ପାଇଁ ବ୍ୟବସ୍ଥା କରିଛନ୍ତି ବିଦ୍ୟାଳୟର ଛାତ୍ର ଓମ ପ୍ରକାଶ ଭଟ୍ଟ ।

ନୂଆ ଆବିଷ୍କାର କଲେ ଶିଶୁ ବୈଜ୍ଞାନିକ
ନୂଆ ଆବିଷ୍କାର କଲେ ଶିଶୁ ବୈଜ୍ଞାନିକ

ନୂଆ ଆବିଷ୍କାର କଲେ ଶିଶୁ ବୈଜ୍ଞାନିକ

କୋରାପୁଟ: ମାଧ୍ୟାକର୍ଷଣ ଶକ୍ତିକୁ ଉପଯୋଗ କରି ବିଦ୍ୟୁତ ଉତ୍ପାଦନ ସମ୍ପର୍କରେ ଏକ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି ଛାତ୍ର । କୋରାପୁଟ ଜିଲ୍ଲାର ବୋରିଗୁମ୍ମା ଉଚ୍ଚ ବିଦ୍ୟାଳୟର ଛାତ୍ର ପବିତ୍ର ପୂଜାରୀଙ୍କୁ ଏହି ନୂତନ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି । ପାରମ୍ପରିକ ଓ ଅଣପାରମ୍ପରିକ ଶକ୍ତିର ଉତ୍ସ, ଉତ୍ପତ୍ତି ଓ ବ୍ୟୟ ବହୁଳତାକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ । ଏହାରି ଭିତରେ ମାଧ୍ୟାକର୍ଷଣ ଶକ୍ତିକୁ ଉପଯୋଗ କରି କିପରି ଅଳ୍ପ ଖର୍ଚ୍ଚରେ ସମଗ୍ର ଗାଁ ପାଇଁ ବିଦ୍ୟୁତ ଯୋଗାଇ ହେବ ସେ ସମ୍ପର୍କରେ ସେ ଏକ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି ।

ସେହିପରି ଡଙ୍ଗରପାଉଁସୀ ଗ୍ରାମ ଉଚ୍ଚ ବିଦ୍ୟାଳୟର ଛାତ୍ର ଓମ ପ୍ରକାଶ ଭଟ୍ଟ ସୋଲାର ପ୍ୟାନେଲ ଯୁକ୍ତ ଏକ ଛତା ପ୍ରସ୍ତୁତ କରିଛନ୍ତି । ହାଟବଜାରରେ ଖରା ବର୍ଷା ସହି ରାସ୍ତାକଡରେ ବସି ବ୍ୟବସାୟ କରୁଥିବା ଆଦିବାସୀ ମହିଳାଙ୍କ କଷ୍ଟକୁ ଅନୁଭବ କରି ସେ ଏହି ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି । ଛତା ଖରାର ପ୍ରକୋପରୁ ସୁରକ୍ଷା ପ୍ରଦାନ କରିଥାଏ । ତେବେ ସୋଲାର ପ୍ୟାନେଲକୁ ସଂଯୋଗ କରି ଛତା ଭିତରେ ଲାଗିଥିବା ଫ୍ୟାନ ଯୋଗେ ତାପ ନିୟନ୍ତ୍ରିତ ହୋଇପାରିବ ଓ ବିଜୁଳି ବତୀ ଦ୍ୱାରା ସନ୍ଧ୍ୟାରେ ମଧ୍ୟ ଗରିବ ଲୋକଟିଏ ବ୍ୟବସାୟ କରିବାରେ ସକ୍ଷମ ହେବ ବୋଲି ଓମ ପ୍ରକାଶ ଆଶାପୋଷଣ କରିଛନ୍ତି।

ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସୃଷ୍ଟି କରିବା ପାଇଁ ପ୍ରଚେଷ୍ଟା କରାଯାଉଛି । ‘‘କୋରାପୁଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଲା ସ୍ତରୀୟ 'ଶିଶୁ ବୈଜ୍ଞାନିକ ପ୍ରଦର୍ଶନୀ'ରେ ସମସ୍ତ 14 ଟି ବ୍ଲକରୁ 70 ଜଣ କୁନି ବୈଜ୍ଞାନିକ ଯୋଗ ଦେଇ ସେମାନଙ୍କ ମଧ୍ୟରେ ଥିବା ସୃଜନଶୀଳତା ଓ ବୈଜ୍ଞାନିକ ଚିନ୍ତାଧାରାକୁ ପ୍ରକଳ୍ପ ମାଧ୍ୟମରେ ପ୍ରଦର୍ଶିତ କରିଛନ୍ତି" ବୋଲି ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅର୍ପିତା ନାୟକ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:ରେସ୍କ୍ୟୁରେ ହେବନି ସମସ୍ୟା, ଯୁବ ବୈଜ୍ଞାନିକ ତିଆରି କଲେ ଭିକ୍ଟିମ ଡିଟେକ୍ସନ କ୍ୟାମେରା


"ଜିଲ୍ଲା ସ୍ତରରୁ ଆରମ୍ଭ କରି ରାଜ୍ୟ ଓ ଜାତୀୟ ସ୍ତରରେ ପିଲାଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ବୈଜ୍ଞାନିକ ଚେତନାକୁ ପ୍ରୋତ୍ସାହନ ଦେବା ପାଇଁ ସଭା, ସମିତି, ପ୍ରଦର୍ଶନୀ ଓ କର୍ମଶାଳା ଆୟୋଜିତ ହେଉଛି" ବୋଲି କୋରାପୁଟ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀକାନ୍ତ ଜାନୀ ଜଣାଇଛନ୍ତି । ବିଜ୍ଞାନ କେବଳ ଏକ ବିଷୟ ନୁହେଁ, ବରଂ ଅନ୍ୟ ସମସ୍ତ ବିଷୟକୁ ପଢ଼ି ସଠିକ ଭାବେ ବୁଝିବାର ମାଧ୍ୟମ ହୋଇଥିବା ଯୋଗୁଁ ବର୍ତ୍ତମାନ ନୂତନ ଶିକ୍ଷା ନୀତିରେ ଏହି ଦିଗ ପ୍ରତି ଛାତ୍ରଛାତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରଚେଷ୍ଟା କରାଯାଇଥିବା ସେ କହିଛନ୍ତି । ଏହିପରି ପ୍ରଦର୍ଶନୀ ପିଲାଙ୍କ ମଧ୍ୟରେ ବୈଜ୍ଞାନିକ ମନୋବୃତ୍ତି ବୃଦ୍ଧି କରିବା ଦିଗରେ ବିଶେଷ ଭାବେ ସହାୟକ ହେବ ବୋଲି ଶିକ୍ଷକ ଶିକ୍ଷୟତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.