ETV Bharat / state

ସାଧାରଣ ଜନତାଙ୍କ କଲ୍ୟାଣ ପ୍ରଶାସନିକ ଅଧିକାରୀଙ୍କର ହେଉ ମୂଳମନ୍ତ୍ର: ମନ୍ତ୍ରୀ

author img

By

Published : May 20, 2023, 11:02 PM IST

ସାଧାରଣ ଜନତାଙ୍କ କଲ୍ୟାଣ ପ୍ରଶାସନିକ ଅଧିକାରୀଙ୍କର ହେଉ ମୂଳମନ୍ତ୍ର : ମନ୍ତ୍ରୀ
ସାଧାରଣ ଜନତାଙ୍କ କଲ୍ୟାଣ ପ୍ରଶାସନିକ ଅଧିକାରୀଙ୍କର ହେଉ ମୂଳମନ୍ତ୍ର : ମନ୍ତ୍ରୀ

କୃଷି ମନ୍ତ୍ରୀ କହିଛନ୍ତି ଯେ, ପ୍ରଶାସନିକ ଅଧିକାରୀମାନେ ଜନସାଧାରଣ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସେତୁ ରୂପେ କାର୍ଯ୍ୟ କରିଥାଆନ୍ତି । ଜନସାଧାରଣଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ବିଧିବ୍ୟବସ୍ଥା ମଧ୍ୟରେ ନିରପେକ୍ଷତା ଅବଲମ୍ବନ କରି ସେମାନଙ୍କର ସମସ୍ୟାର ସମାଧାନ ଦିଗରେ ଅଧିକାରୀମାନେ କାର୍ଯ୍ୟ କରିବା ଉଚିତ । ଅଧିକ ପଢନ୍ତୁ

ଭୁବନେଶ୍ବର: ସାଧାରଣ ଜନତାଙ୍କ କଲ୍ୟାଣ ପ୍ରଶାସନିକ ଅଧିକାରୀଙ୍କ ମୂଳମନ୍ତ୍ର ହେଉ । ସରକାରଙ୍କ ଦ୍ବାରା ପ୍ରବର୍ତ୍ତିତ ୫-‘ଟି’ ରାଜ୍ୟ ପ୍ରଶାସନ କ୍ଷେତ୍ରରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରିଛି । ବିଭିନ୍ନ ଯୋଜନାକୁ ୫-‘ଟି’ ଆଧାରରେ କାର୍ଯ୍ୟକାରୀ କରି ଜନସାଧାରଣଙ୍କ ସମୂହ କଲ୍ୟାଣ ହାସଲ କରିବା ଦିଗରେ ପ୍ରଶାସନିକ ଅଧିକାରୀମାନେ ବ୍ରତୀ ହୁଅନ୍ତୁ । ଏହା କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଗୋପବନ୍ଧୁ ଏକାଡେମୀ ଅଫ ଆଡମିନିଷ୍ଟ୍ରେସନରେ ଆୟୋଜିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରୋବେସନାରୀ ଓଡିଶା ପ୍ରଶାସନିକ ସେବାର ଅଧିକାରୀମାନଙ୍କୁ ଉଦବୋଧନ ଦେବା ଅବସରରେ ସେ ଏହା କହିଛନ୍ତି ।

କୃଷି ମନ୍ତ୍ରୀ କହିଛନ୍ତି ଯେ, ପ୍ରଶାସନିକ ଅଧିକାରୀମାନେ ଜନସାଧାରଣ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସେତୁ ରୂପେ କାର୍ଯ୍ୟ କରିଥାଆନ୍ତି । ଜନସାଧାରଣଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ବିଧିବ୍ୟବସ୍ଥା ମଧ୍ୟରେ ନିରପେକ୍ଷତା ଅବଲମ୍ବନ କରି ସେମାନଙ୍କର ସମସ୍ୟାର ସମାଧାନ ଦିଗରେ ଅଧିକାରୀମାନେ କାର୍ଯ୍ୟ କରିବା ଉଚିତ । କାର୍ଯ୍ୟକ୍ଷେତ୍ରରେ ସମ୍ବେଦନଶୀଳତା ଓ ମାନବୀୟ ସ୍ପର୍ଶ ରହିଲେ ଅଧିକାରୀମାନେ ସଫଳ ହେବା ସହିତ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ପାରିବେ । ସଂପ୍ରତି ପ୍ରଶାସନିକ କ୍ଷେତ୍ରରେ ଓ ଏହାର ଆଭିମୁଖ୍ୟରେ ବ୍ୟାପକ ପରିବର୍ତ୍ତନ ଆସିଛି । ପ୍ରଶାସନିକ କ୍ଷେତ୍ରରେ ସେମାନଙ୍କୁ ଉନ୍ନୟନ ପ୍ରଶାସକ ଭାବରେ କାର୍ଯ୍ୟକରିବାକୁ ପଡିବ ।

ରାଜ୍ୟ ସରକାର ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ମହିଳା ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିଙ୍କ କଲ୍ୟାଣ ଆଦି ଉପରେ ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି । ଜନସାଧାରଣଙ୍କ ସହିତ ସମନ୍ବୟ ରଖି ଏସବୁ କାର୍ଯ୍ୟକୁ ତ୍ବାରାନ୍ବିତ କରିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସଂପ୍ରତି ଡାକ୍ତରୀ, ଇଂଜିନିୟରିଂ, ମ୍ୟାନେଜମେଣ୍ଟ, କୃଷି ଆଦି ବିଭିନ୍ନ ବୈଷୟିକ କ୍ଷେତ୍ରରେ ତାଲିମପ୍ରାପ୍ତ ଯୁବକଯୁବତୀମାନେ ଅଧିକ ସଂଖ୍ୟାରେ ପ୍ରଶାସନିକ ସେବା କ୍ଷେତ୍ରକୁ ଆକର୍ଷିତ ହେଉଛନ୍ତି । ବୈଷୟିକ କ୍ଷେତ୍ରରେ ସେମାନଙ୍କର ପାରଦର୍ଶିତା ଓ ଜ୍ଞାନ ଯୋଜନା ପ୍ରସ୍ତୁତ ଓ ପ୍ରଣୟନ କ୍ଷେତ୍ରରେ ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହେଉଛି ।

କାର୍ଯ୍ୟକ୍ଷେତ୍ରର ଦକ୍ଷତା, ନୀତିନିୟମର ଅନୁପାଳନ ଏବଂ ନିରପେକ୍ଷତା ଅବଲମ୍ବନ କରି ଜନସାଧାରଣଙ୍କ ସେବା ଓ ବିଶେଷ କରି ସମାଜର ସମ୍ବେଦନଶୀଳ ବର୍ଗଙ୍କ ସେବା କରିବା ପ୍ରଶାସନିକ ଅଧିକାରୀଙ୍କ ମୂଳ ଲକ୍ଷ୍ୟ ହେଉ ବୋଲି ମନ୍ତ୍ରୀ କହିଛନ୍ତି । ସଂପ୍ରତି ରାଜ୍ୟ ସରକାର ଅନେକଗୁଡ଼ିଏ ନାଗରିକ କୈନ୍ଦ୍ରୀକ ସେବା କାର୍ଯ୍ୟକାରୀ କରୁଛନ୍ତି । ଏହାର ଲାଭ ଯେପରି ଉଦ୍ଦିଷ୍ଟ ବର୍ଗର ହିତାଧିକାରୀଙ୍କ ନିକଟରେ ଠିକ ସମୟରେ ଓ ଠିକଣା ଭାବେ ପହଞ୍ଚିପାରିବ ସେଥିପ୍ରତି ସଜାଗ ଦୃଷ୍ଟି ଦେବା ଆବଶ୍ୟକ । ‘ମୋ ସରକାର’ ମାଧ୍ୟମରେ ଜନସାଧାରଣଙ୍କ ପ୍ରତିକ୍ରିୟା ସଂଗ୍ରହ କରି ଆବଶ୍ୟକୀୟ ପଦକ୍ଷେପ ନେବା ଦିଗରେ ପ୍ରଶାସନିକ ଅଧିକାରୀମାନେ ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକ୍ରମରେ ଗୋପବନ୍ଧୁ ଏକାଡେମୀ ଅଫ ଆଡମିନିଷ୍ଟ୍ରେସନର ମହାନିର୍ଦ୍ଦେଶକ ରାଜକୁମାର ଶର୍ମା, ଅତିରିକ୍ତ ମହାନିର୍ଦ୍ଦେଶକ ମନୀଷ ଅଗ୍ରୱାଲ ଏବଂ ଅତିରିକ୍ତ କମିଶନର ହିମାଂଶୁ ଭୂଷଣ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.