ETV Bharat / state

୯ରେ କୃଷକ ବିଜୟ ସମାବେଶ କରିବ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି

author img

By ETV Bharat Odisha Team

Published : Sep 2, 2023, 7:54 AM IST

Updated : Sep 2, 2023, 1:15 PM IST

ମହାପ୍ରଭୁ ଜଗନ୍ନାଥ ଓ ଚାଷୀଙ୍କ ଜମି ଫେରସ୍ତ ଦାବି
ମହାପ୍ରଭୁ ଜଗନ୍ନାଥ ଓ ଚାଷୀଙ୍କ ଜମି ଫେରସ୍ତ ଦାବି

ଆସନ୍ତା ୯ ତାରିଖରେ ପୁରୀର ବେଳଦଳ ଠାରେ କୃଷକ ବିଜୟ ସମାବେଶ ଅନୁଷ୍ଠିତ ହେବ । ସବୁ ଚାଷୀ ଏକାଠି ହୋଇ ସରକାରଙ୍କ ମନମାନିକୁ ବିରୋଧ କରାଯିବ ବୋଲି ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ପକ୍ଷରୁ କୁହାଯାଇଛି । ଅଧିକ ପଢ଼ନ୍ତୁ

କୃଷକ ବିଜୟ ସମାବେଶ

ଭୁବନେଶ୍ବର: ବେଦାନ୍ତ ବିଶ୍ବବିଦ୍ୟାଳୟ ସ୍ଥାପନ ଆଳରେ ରାଜ୍ୟ ସରକାର ଦଖଲ କରି ରଖିଥିବା ମହାପ୍ରଭୁ ଜଗନ୍ନାଥ ଓ ଚାଷୀଙ୍କ ଜମିକୁ ଫେରାଇବାକୁ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ଦାବି କରିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଶ୍ରୀଜଗନ୍ନାଥ ଓ ଚାଷୀଙ୍କର ଜମି ତୁରନ୍ତ ଫେରସ୍ତ କରନ୍ତୁ ବୋଲି ଦାବି କରି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସରକାରଙ୍କ ଉପରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ବର୍ଷିଛି ।

ଆସନ୍ତା ୯ ତାରିଖରେ ପୁରୀର ବେଳଦଳ ଠାରେ କୃଷକ ବିଜୟ ସମାବେଶ ଅନୁଷ୍ଠିତ ହେବ । ସବୁ ଚାଷୀ ଏକାଠି ହୋଇ ସରକାରଙ୍କ ମନମାନିକୁ ବିରୋଧ କରାଯିବ ବୋଲି ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ପକ୍ଷରୁ କୁହାଯାଇଛି । ଏପ୍ରସଙ୍ଗରେ ବିଶିଷ୍ଟ ସର୍ବୋଦୟ ନେତ୍ରୀ କୃଷ୍ଣା ମହାନ୍ତି କହିଛନ୍ତି ଯେ, "ରାଜ୍ୟ ସରକାରଙ୍କ ଅତ୍ୟଧିକ ବେଦାନ୍ତ ପ୍ରୀତି ଯୋଗୁଁ ପୁରୀ କୋଣାର୍କ ବେଳାଭୂମି ଉପକଣ୍ଠରେ ୧୦ ହଜାର ଏକର ଚାଷଜମିକୁ ହଡ଼ପ କରିବା ପାଇଁ ଯୋଜନାବଦ୍ଧ ଷଡଯନ୍ତ୍ରକୁ ସୁପ୍ରିମକୋର୍ଟ ବେଆଇନ ଘୋଷଣା କରିଛନ୍ତି । ଓଡ଼ିଶା ସରକାରଙ୍କୁ ସୁପ୍ରିମକୋର୍ଟ ଭତ୍ସନା କରିବା ସହିତ ବେଦାନ୍ତ କମ୍ପାନୀକୁ ୫ଲକ୍ଷ ଟଙ୍କା ଜୋରିମାନା ଦାଖଲ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାରେ କମ୍ପାନୀ ଓ ସରାକାରଙ୍କ ବନ୍ଧୁତା ଯୋଗୁଁ ସମଗ୍ର ଓଡ଼ିଶାବାସୀ ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି । ତେଣୁ ଚାଷୀଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ସହିହେବନି ।"

ସେପଟେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ବେଦାନ୍ତ କମ୍ପାନୀ ପ୍ରତି ଓଡ଼ିଶା ସରକାରଙ୍କର ଅହେତୁକ ଅନୁକମ୍ପାକୁ କଠୋର ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ତରଫରୁ ୨୦୦୬ ମସିହାରୁ ଏକ ବେଆଇନ କାର୍ଯ୍ୟ ବିରୋଧରେ ବିଭିନ୍ନ ସ୍ତରରେ ଯେଉଁ ବିରୋଧ ପ୍ରକଟ କରାଯାଇଥିଲା ତାର ପୁରାଭାଗରେ ସ୍ୱର୍ଗତ ଦ୍ୱାରିକା ମୋହନ ମିଶ୍ରଙ୍କର ଅବଦାନ ଅତୁଳନୀୟ । ଓଡ଼ିଶା ସରକାର ବେଦାନ୍ତ କମ୍ପାନୀକୁ ପୁରୀ କୋଣାର୍କ ବେଳାଭୂମି ଅଞ୍ଚଳରେ ୧୦ ହଜର ଏକର ଚାଷଜମି ଶାଗମାଛ ମୂଲରେ ଅଧିଗ୍ରହଣ କରିଥିଲେ । ଯାହାଦ୍ୱାରା ସିଧାସଳଖ ୬ ହଜାର ପରିବାର, ୩୦ ହଜାର ଲୋକ ପ୍ରତ୍ୟକ୍ଷ ଭାବରେ ଏହି ବେଆଇନ କାର୍ଯ୍ୟଦ୍ୱାରା ପ୍ରଭାବିତ ହୋଇଥିଲେ । ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କ କାର୍ଯ୍ୟାଳୟ, ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ସମସ୍ତ ଆଇନକାନୁନକୁ ଜଳାଞ୍ଜଳି ଦେଇ ଶ୍ରୀଜଗନ୍ନାଥଙ୍କ ଅମୃତମଣୋହୀ ଜମି ଓ କୃଷକଙ୍କ ଚାଷ ଜମିକୁ ହଡ଼ପ କରିବା ଉଦ୍ଦେଶ୍ୟରେ ଯେଉଁ ଜମି ଅଧିଗ୍ରହଣ କରିଥିଲେ ତାକୁ ସୁପ୍ରିମକୋର୍ଟ ଖାରଜ କରିବା ସହିତ ସମସ୍ତ ଜମିକୁ ଚାଷୀଙ୍କୁ ଫେରାଇ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ତୁରନ୍ତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ କରନ୍ତୁ ଓ ଶ୍ରୀଜଗନ୍ନାଥଙ୍କ ଅମୃତମଣୋହୀ ଜମି ଓ କୃଷକଙ୍କ ଚାଷ ଜମିକୁ ଫେରସ୍ତ କରିବାକୁ ନରସିଂହ ଦାବି କରିଛନ୍ତି ।

ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ୨୦୧୧ ମସିହାରୁ ନ୍ୟାୟିକ ସହାୟତା ପ୍ରଦାନ କରିଥିବାରୁ ବେଦାନ୍ତ ବିଶ୍ୱବିଦ୍ୟାଳୟ ବିରୋଧି ସଂଘର୍ଷ ସମିତି ତରଫରୁ ତାଙ୍କୁ ଆସନ୍ତା ୯ ତାରିଖରେ ପୁରୀର ବେଳଦଳ ଠାରେ କୃଷକ ବିଜୟ ସମାବେଶରେ ନାଗରିକ ସମ୍ବର୍ଦ୍ଧନା ଦିଆଯିବ । ଏଥିରେ ୧୦ ହଜାରରୁ ଊର୍ଦ୍ଧ୍ୱ ଅନ୍ନଦାତା ଚାଷୀ ଯୋଗଦେବେ । ଏଥିରେ ବହୁସଂଖ୍ୟାରେ ସାଧାରଣ ଜନତାଙ୍କୁ ଯୋଗଦେବାପାଇଁ ସମିତି ପକ୍ଷରୁ ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Sep 2, 2023, 1:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.