ETV Bharat / state

Fake Certificate:ପୁଣି 2 ଜଣଙ୍କୁ ବାନ୍ଧିଲା ପୋଲିସ, ପୂର୍ବରୁ ଗିରଫ ହୋଇଥିଲେ ଅଧ୍ୟାପକ

author img

By

Published : Aug 11, 2023, 4:34 PM IST

ଜାଲ ସାର୍ଟିଫିକେଟ କାରବାରରେ ପୁଣି ଦୁଇଜଣଙ୍କୁ ଗିରଫ କରିଛି ପୋଲିସ। ଜାତୀୟ ମୁକ୍ତ ବିଦ୍ୟାଳୟ ନାମରେ ନକଲି ଯୁକ୍ତଦୁଇ ପ୍ରମାଣପତ୍ର ବିକ୍ରି ଅଭିଯୋଗରେ ପୂର୍ବରୁ ଜଣେ ଅଧ୍ୟାପକ ଗିରଫ ହୋଇଥିଲେ। ଅଧିକ ପଢନ୍ତୁ

ନକଲି ସାର୍ଟିଫିକେଟ କାରବାରରେ ପୁଣି 2 ଗିରଫ
ନକଲି ସାର୍ଟିଫିକେଟ କାରବାରରେ ପୁଣି 2 ଗିରଫ


ଖୋର୍ଦ୍ଧା : ଜାଲ ସାର୍ଟିଫିକେଟ କାରବାରରେ ପୁଣି 2 ଜଣଙ୍କୁ ବାନ୍ଧିଲା ପୋଲିସ। ଜାତୀୟ ମୁକ୍ତ ବିଦ୍ୟାଳୟ ନାମରେ ନକଲି ଯୁକ୍ତଦୁଇ ପ୍ରମାଣପତ୍ର ପ୍ରସ୍ତୁତ କରି ବିକ୍ରି କରିବା ମାମଲାରେ 2 ଜଣ ଗିରଫ ହୋଇଛନ୍ତି। ଗତ 5 ତାରିଖରେ ସଦର ଥାନା ପୁଲିସ କାଇପଦର ସ୍ଥିତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଜଣେ ଅଧ୍ୟାପକ ତପନ କୁମାର ପୃଷ୍ଟିଙ୍କୁ ଗିରଫ କରିଥିବାବେଳେ ଗୁରୁବାର ଅନ୍ୟ 2 ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।

ଗୁରୁବାର ଖୋର୍ଦ୍ଧା ଏସ୍‌ଡିପିଓ ଦିଲ୍ଲୀପ ଦାସ ଏନେଇ ଏକ ବିବୃତ୍ତିରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, "ଜାଲ ସାର୍ଟିଫିକେଟ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ସଦର ଥାନାର ଅଧିକାରୀ କାହ୍ନୁଚରଣ ପୃଷ୍ଟିଙ୍କ ନେତୃତ୍ବରେ ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଏଥିରେ ଗୁରୁବାର ଦୁଇଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଧୀନ ଚୁଆଁପୁର ଗ୍ରାମର କାର୍ତ୍ତିକ ବରିହା ଓ ଜଟଣୀ ଥାନା ଅଧୀନ ରାମଚନ୍ଦ୍ରପୁରର ମହମ୍ମଦ ସାଜିଦ ହୁସେନ ।"

ଏହା ବି ପଢନ୍ତୁ...Fake Certificate: ଖୋର୍ଦ୍ଧାରେ ନକଲି ସାର୍ଟିଫିକେଟ କାରବାର କରି ଅଧ୍ୟାପକ ଗିରଫ

ତେବେ କାର୍ତ୍ତିକ ଭୁବନେଶ୍ବର ଖଣ୍ଡଗିରିରେ ରହୁଥିବାବେଳେ ମହମ୍ମଦ ସାଜିଦ ଭୁବନେଶ୍ବର ଏୟାରଫିଲ୍‌ଡ ଥାନା ଅଞ୍ଚଳ କଣ୍ଟିଲୋକୁହାଠାରେ ରହୁଥିଲେ। ପଚରାଉଚରା ସମୟରେ ଉଭୟ ଏଭଳି ନକଲି ମାଟ୍ରିକ ଓ ଯୁକ୍ତ ଦୁଇ ପ୍ରମାଣ ପତ୍ର ଶତାଧିକ ଲୋକଙ୍କୁ ଦେଇଥିବା ସ୍ବୀକାର କରିଛନ୍ତି । "ମାମଲାର ତଦନ୍ତ ଜାରି ରହିଥିବାବେଳେ ଏଥିରେ ସମ୍ପୃକ୍ତ ଅନ୍ୟ ଅପରାଧୀଙ୍କୁ ଖୁବଶୀଘ୍ର ଧରାଯିବ" ବୋଲି ଏସଡିପିଓ କହିଛନ୍ତି ।

ସୂଚନା ଅନୁସାରେ, କାଇପଦର ସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଜଣେ ଯୁକ୍ତ ଦୁଇ ଫେଲ ହୋଇଥିବା ଛାତ୍ର ଅଭିଷେକ ସାମନ୍ତରାୟଙ୍କ ଠାରୁ 33 ହଜାର ଟଙ୍କା ନେଇଥିଲେ ସେହି ମହାବିଦ୍ୟାଳୟର ଅଧ୍ୟାପକ ତପନ କୁମାର ପୃଷ୍ଟି । ମୁକ୍ତ ବିଦ୍ୟାଳୟର ଯୁକ୍ତ ଦୁଇ ପାସ ପ୍ରମାଣପତ୍ର ଦେବା ନେଇ ପ୍ରତିଶୃତି ଦେବା ସହ 33ହଜାର ଟଙ୍କା ନେଇଥିଲେ ଅଧ୍ୟାପକ ।

ଏନେଇ ପ୍ରମାମପତ୍ର ଦେବା ପରେ ଏହି ସାର୍ଟିଫିକେଟ ନକଲି ଥିବା ଜଣାଯାଇଥିଲା । ଏହି ଘଟଣାରେ ଗତ 3 ତାରିଖରେ ଖୋର୍ଦ୍ଧା ସଦର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଗତ 5 ତାରିଖରେ ଉକ୍ତ ଅଧ୍ୟାପକଙ୍କୁ ଗିରଫ କରିଥିଲା ପୋଲିସ। ଏହାପରେ ଏକ ସ୍ୱତନ୍ତ୍ର ଟିମ୍ ସାହାଯ୍ୟରେ ଅପରେସନ କରାଯାଇ ଏହି ଜାଲ ସାର୍ଟିଫିକେଟ କାରବାରରେ ସଂପୃକ୍ତ ଥିବା ଅନ୍ୟ 2 ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.