ETV Bharat / state

Tomato Price: ଖସିଲା ଟମାଟୋ ଦର, ଆଗକୁ କନ୍ଦାଇବ ପିଆଜ !

author img

By

Published : Aug 13, 2023, 1:07 PM IST

Updated : Aug 13, 2023, 2:33 PM IST

ଟମାଟୋ ଦର ହ୍ରାସ
ଟମାଟୋ ଦର ହ୍ରାସ

ବୌଦ୍ଧ ଜିଲ୍ଲାର ହାଟ ବଜାରରେ କମିଲା ଟମାଟୋ ଦର । ୫୦ରୁ ୮୦ ଟଙ୍କା ବିକ୍ରି ହେଉଛି ଲାଲ ଟହଟହ ଟମାଟୋ । ହେଲେ ଆଗକୁ ପିଆଜ ଦର ବଢିବା ନେଇ ଆଶଙ୍କା କରାଯାଉଛି । ଅଧିକ ପଢନ୍ତୁ

Tomato Price

ବୌଦ୍ଧ: କମୁଛି ଟମାଟୋ ଦର । ବୌଦ୍ଧ ଜିଲ୍ଲାରେ ୨୦୦ ଟଙ୍କା ଛୁଇଁଥିବା ଟମାଟୋ ଏବେ ସେଞ୍ଚୁରୀ ତଳକୁ ଖସିଛି । ବଜାରରେ ଟମାଟୋ କେଜି ୫୦ରୁ ୮୦ ଟଙ୍କା ମଧ୍ୟରେ ରହିଛି । ଯାହାଫଳରେ ଶନିବାର ଠାରୁ ଜିଲ୍ଲାର ବିଭିନ୍ନ ବଜାରରେ ପୁଣି ଲାଲ୍ ଟହଟହ ଟମାଟୋ କିଣିବାକୁ ଗ୍ରାହକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଇଛି । ତେବେ ଟମାଟୋ ଦର ଖସିଥିବା ବେଳେ ଆଗକୁ ପିଆଜ ମହଙ୍ଗା ହେବ ବୋଲି ପ୍ରାକ୍ ସୂଚନା ମିଳିଛି । ରୋଷେଇ ଘରେ ପିଆଜ ଅତି ଦରକାରୀ ପରିବା । ତେଣୁ ଏହି ଦର ବଢିଲେ ଲୋକଙ୍କୁ ପୁଣି ହନ୍ତସନ୍ତ ହେବାକୁ ପଡିବ ।

ମାସେରୁ ଅଧିକ ସମୟ ଧରି ଟମାଟୋ ଦରରେ ଅହେତୁକ ବୃଦ୍ଧି ପାଇଁ ଗ୍ରାହକ ଚିନ୍ତାରେ ଥିଲେ । ଗରୀବ ଓ ମଧ୍ୟବିତ୍ତ ଘରର ହାଣ୍ଡିଶାଳରୁ ଏହି ପରିବା ଗାଏବ ହୋଇଯାଇଥିଲା । ଗତ ସପ୍ତାହରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ହାଟ ବଜାରରେ ଟମାଟୋ ଦୁଇ ଶହ ଟଙ୍କା ପାର୍ କରିଥିଲା । ହେଲେ ଗତକାଲିଠୁ ହଠାତ୍ ଏହାର ଦର ହଠାତ୍ ହ୍ରାସ ପାଇ ୫୦ରୁ ୮୦ ଟଙ୍କାରେ ବିକ୍ରି ହେଉଥିବା ଦେଖାଯାଉଛି । ତେଣୁ ବର୍ତ୍ତମାନ ବଜାରରେ ଟମାଟୋ କିଣିବା ପାଇଁ ଗ୍ରାହକ ମଧ୍ୟରେ ଆଗ୍ରହ ପରିଲକ୍ଷିତ ହୋଇଛି ।

ଏହାମଧ୍ୟ ପଢନ୍ତୁ: ଅଦିନରେ ଫଳୁଛି ପେନ୍ଥା ପେନ୍ଥା ଟମାଟୋ, ବର୍ଷା ଦିନେ ବିଲାତି ଫଳାଇ ଚର୍ଚ୍ଚାରେ ଅନୁଗୋଳ ଚାଷୀ


ବୌଦ୍ଧ ଜିଲ୍ଲା ଏକ କୃଷି ପ୍ରଧାନ ଅଞ୍ଚଳ ହୋଇଥିବା ବେଳେ ବର୍ତ୍ତମାନ ସମୟରେ କୌଣସି ସ୍ଥାନୀୟ ପନିପରିବା ବଜାରରେ ଉପଲବ୍ଧ ହେଉନାହିଁ । ଫଳରେ ଜିଲ୍ଲାର ସମସ୍ତ ବଜାର ବର୍ତ୍ତମାନ ବାହାର ଅଞ୍ଚଳର ପନିପରିବା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । କେବଳ ବର୍ଷା ଋତୁର ଦେଶୀ କାଙ୍କଡ଼, ଛତୁ ଭଳି କିଛି ପନିପରିବା ଉପଲବ୍ଧ ହେଉଥିଲେ ହେଁ ସେସବୁର ଦର ବି ଆକାଶଛୁଆଁ । ପନିପରିବାର ଉତ୍ପାଦନରେ ବୌଦ୍ଧ ଜିଲ୍ଲାର ରେକର୍ଡ ରହୁଥିବା ବେଳେ ଏଠାରେ କୌଣସି ଶୀତଳ ଭଣ୍ଡାର ନଥିବାରୁ ଆବଶ୍ୟକ ସମୟରେ ଗ୍ରାହକଙ୍କୁ ଉପଯୁକ୍ତ ଦରରେ ପନିପରିବା ମିଳୁନାହିଁ ।

ଜିଲ୍ଲାର ବିଭିନ୍ନ ବଜାରରେ ଆଳୁ ଦର ସାମାନ୍ୟ ରହୁଛି । ଫୁଲକୋବି, ପୋଟଳ, ଭେଣ୍ଡି, ବାଇଗଣ, ଜହ୍ନି, କଖାରୁ, ଛୁଇଁ ଭଳି ବିଭିନ୍ନ ପନିପରିବା ବାହାରୁ ଆସୁଥିବା କାରଣରୁ ଦର ଅଧିକ ରହୁଥିବା ଗ୍ରାହକ କହିଛନ୍ତି । ପନିପରିବା ଦର ବୃଦ୍ଧିର ପ୍ରଭାବ ସିଧାସଳଖ ରୋଷେଇ ଘରର ହାଣ୍ଡିଶାଳ ଉପରେ ପଡୁଛି । ଗୋଟିଏ ପଟେ ଟମାଟୋ ଦର ହ୍ରାସ ପାଉଥିବା ବେଳେ ପିଆଜ ଦର ବୃଦ୍ଧି ହେବା ଆରମ୍ଭ ହୋଇଛି । ଆଗକୁ ନିଶ୍ଚୟ ଭାବରେ ପିଆଜ ଦର ଗ୍ରାହକଙ୍କୁ କନ୍ଦାଇବ ବୋଲି ବ୍ୟବସାୟୀ ଆଶଙ୍କା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated :Aug 13, 2023, 2:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.