ETV Bharat / state

ଅଦିନରେ ଫଳୁଛି ପେନ୍ଥା ପେନ୍ଥା ଟମାଟୋ, ବର୍ଷା ଦିନେ ବିଲାତି ଫଳାଇ ଚର୍ଚ୍ଚାରେ ଅନୁଗୋଳ ଚାଷୀ

author img

By

Published : Aug 12, 2023, 2:30 PM IST

ଅଦିନରେ ଗଛରେ ଝୁଲୁଛି ପେନ୍ଥା ପେନ୍ଥା ଟମାଟୋ । ରାଜ୍ୟରେ ଟମାଟୋ ଦର ୧୫୦ ଛୁଇଁଥିବା ବେଳେ ବର୍ଷାଦିନେ ଟମାଟୋ ଫଳାଇଛନ୍ତି ଅନୁଗୋଳର ଚାଷୀ ବିଜୟ ସ୍ବାଇଁ । ନିଜର ବୁଦ୍ଧି ଖଟାଇ ଅଦିନରେ ଟମାଟୋ ଚାଷ କରି ଅନ୍ୟ ଚାଷୀଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଅଧିକ ପଢନ୍ତୁ

ଅଦିନରେ ଫଳୁଛି ପେନ୍ଥା ପେନ୍ଥା ଟମାଟୋ
ଅଦିନରେ ଫଳୁଛି ପେନ୍ଥା ପେନ୍ଥା ଟମାଟୋ

ଅଦିନରେ ଫଳୁଛି ପେନ୍ଥା ପେନ୍ଥା ଟମାଟୋ

ଅନୁଗୋଳ: ରାଜ୍ୟରେ ୧୨୦ରୁ ୧୫୦ ଟଙ୍କା ରହିଛି ଟମାଟୋ ଦର । ବଜାରରେ ଦାମ୍ ଶୁଣି ମୁହଁ ବୁଲାଇ ପଳାଉଛନ୍ତି ଗ୍ରାହକ । ଗରୀବ ଓ ମଧ୍ୟବିତ୍ତଙ୍କ ହାଣ୍ଡିଶାଳରୁ ଟମାଟୋ କେବେଠୁ ଉଭାନ ହୋଇଯାଇଛି । ବିଗତ ଦିନରେ ଲଗାଣ ବର୍ଷା ଓ ରାଜ୍ୟରେ ବର୍ଷା ଋତୁରେ ଟମାଟୋ ଅମଳ ହେଉନଥିବାରୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି, ଫଳସୂରୁପ ଦର ଅହେତୁକ ବୃଦ୍ଧି ପାଉଛି । ଏପରି ସ୍ଥିତିରେ ଅଦିନରେ ଟମାଟୋ ଫଳାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି ଅନୁଗୋଳର ଜଣେ ଚାଷୀ । ବର୍ଷା ଋତୁରେ ସେ ନିଜ ଜମିରେ କ୍ବିଣ୍ଟାଲ କ୍ବିଣ୍ଟାଲ ଟମାଟୋ ଫଳାଇଛନ୍ତି । ଆଉ ସପ୍ତାହେ ପରେ ଗଛରୁ ତୋଳି ବଜାରରେ ବିକ୍ରି କରିବେ ।

ଅନୁଗୋଳ ବ୍ଲକ ହିଂସାଲୋଇ ଗାଁର ବିଜୟ କୁମାର ସ୍ବାଇଁ । ବିଜୟ ନିଜ କ୍ଷେତରେ ଟମାଟୋ ଚାଷ କରିଛନ୍ତି । ତାଙ୍କ କ୍ଷେତରେ ଗୋଟିଏ ଗଛରେ ପ୍ରାୟ ୫/୬ କିଲୋ ଟମାଟୋ ଫଳିଛି । ଯୁଆଡେ ଆଖି ବୁଲାଇଲେ କେବଳ ପେନ୍ଥା ପେନ୍ଥା ଟମାଟୋ ଦେଖିବାକୁ ମିଳିଛି । ଆକାଶ ଛୁଆଁ ଟମାଟୋ ଦର ଭିତରେ ନିଜର ବୁଦ୍ଧି ଖଟାଇ ସେ ଏହି ଚାଷ କରିଛନ୍ତି। ବିଜୟ ସୁଦୂର ରାୟପୁର ଅଞ୍ଚଳରୁ ଏକ ବିଶେଷ ପ୍ରକାର ଟମାଟୋ ଚାରା ଆଣି କ୍ଷେତରେ ଲଗାଇଛନ୍ତି । ଏହି ପ୍ରଜାତିର ଗଛରେ ବର୍ଷସାରା ଟମାଟୋ ଫଳେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ସେ ପରୀକ୍ଷାମୂଳକ ଭାବେ ଟମାଟୋ ଚାଷ କରିଛନ୍ତି ଏବଂ ଏଥିରେ ବେଶ୍ ସଫଳ ହୋଇଛନ୍ତି । ଏବେ ଆଖପାଖ ଗାଁର ବହୁ ଚାଷୀ ବିଜୟଙ୍କ ପାଖକୁ ଆସି ଚାଷ ପଦ୍ଧତି ଶିଖିବା ସହ କିଛି କିଛି ଚାରା ନେଇ ଲଗାଇଛନ୍ତି ।

ଏହାମଧ୍ୟ ପଢନ୍ତୁ: ବିଲାତି ପାଇଁ ବନ୍ଧକ: ଟମାଟୋ ନେଇ ଛୁ ମାରିଲା ଗ୍ରାହକ, ବନ୍ଧା ପଡିଲେ 2 ନାବାଳକ

ଆମ ରାଜ୍ୟରେ ଚାଷୀମାନେ ସାଧାରଣତଃ କେବଳ ଶୀତ ଋତୁରେ ଟମାଟୋ ଚାଷ କରନ୍ତି । ଆମ ରାଜ୍ୟର ଜଳବାୟୁରେ ବିଶେଷ କରି ଡିସେମ୍ବର ମାସ ବେଳକୁ ଟମାଟୋ ଉତ୍ପାଦନ ହୁଏ । ପ୍ରଚୁର ଅମଳ ଯୋଗୁଁ ଚାଷୀ ଅଭାବୀ ବିକ୍ରିର ଶିକାର ହୁଏ । ଏହି ସମୟରେ ଟମାଟୋ କିଲୋ ପିଛା ୧୦ରୁ ୨୦ ଟଙ୍କାରେ ବିକ୍ରି ହୋଇଥାଏ । ସେହିପରି ଖରାଦିନେ ଏବଂ ବର୍ଷା ଦିନେ ରାଜ୍ୟରେ ଟମାଟୋ ଉତ୍ପାଦନ ଆଦୌ ହେଉ ନଥିବାରୁ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡେ । ଚଳିତ ବର୍ଷ ବର୍ଷା ଯୋଗୁଁ ଓ ଅନ୍ୟ ରାଜ୍ୟରେ ଟମାଟୋ ଆମଦାନୀ ହେଉଥିବାରୁ ବର୍ତ୍ତମାନ ସମୟରେ ଦର ୧୫୦ ଟଙ୍କା ରହିଛି । ଏଥିପାଇଁ ଉଦ୍ୟାନ ବିଭାଗ ଓ କୃଷି ବିଭାଗ ଚାଷୀ ମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ସେମାନଙ୍କୁ ଆବଶ୍ୟକ ବୈଷୟିକ ଜ୍ଞାନ କୌଶଳ ଯୋଗାଇ ଦେବା ଆବଶ୍ୟକ ।

ଏନେଇ ଉଦ୍ୟାନ ବିଭାଗ ସହକାରୀ ନିର୍ଦେଶକ କହିଛନ୍ତି, ''ଚାଷୀମାନଙ୍କୁ ଆବଶ୍ୟକ ଜ୍ଞାନ କୌଶଳ ଏବଂ ସହାୟତା ଯୋଗାଇ ଦେଲେ ସବୁ ସମୟରେ ଟମାଟୋ ଉତ୍ପାଦନ ହୋଇପାରିବ । ସେଥିପାଇଁ ବିଭାଗ ଚିନ୍ତା କରୁଛି ।'' ତେଣୁ ବିଜୟ ଯେଉଁଭଳି ଭାବେ ଅଦିନରେ ଟମାଟୋ ଫଳାଇ ପାରିଛନ୍ତି ସେହି ପଦ୍ଧତିରେ କେବଳ ଅନୁଗୋଳ ଜିଲ୍ଲା କାହିଁକି ଆମ ରାଜ୍ୟରେ ବିଭିନ୍ନ ସ୍ଥାନରେ ଟମାଟୋ ଚାଷ କଲେ ଆଜି ଯେଉଁ ମହଙ୍ଗା ପରିସ୍ଥିତି ସୃଷ୍ଟି ହେଉଛି ଆଉ ତାହା ହେବ ନାହିଁ ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.