ETV Bharat / state

କଂଗ୍ରେସରୁ ଲଢ଼ିବେନି ସୁରଙ୍କ ସାନ ପୁଅ ! ଜାଣନ୍ତୁ କେଉଁ ଦଳରୁ ମିଳିବ ଟିକେଟ୍

author img

By ETV Bharat Odisha Team

Published : Sep 6, 2023, 8:09 PM IST

କଂଗ୍ରେସରୁ ଲଢ଼ିବେନି ସୁରଙ୍କ ପୁଅ ମନ୍ମଥ ରାଉତରାୟ
କଂଗ୍ରେସରୁ ଲଢ଼ିବେନି ସୁରଙ୍କ ପୁଅ ମନ୍ମଥ ରାଉତରାୟ

ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ଏଥର ନିର୍ବାଚନ ଲଢ଼ିବେ ନାହିଁ ବୋଲି ବହୁ ପୂର୍ବରୁ ସ୍ପଷ୍ଟ କରିଛନ୍ତି । ଏଥର ଜଟଣୀରୁ ତାଙ୍କ ପୁଅ ମନ୍ମଥ ରାଉତରାୟ କଂଗ୍ରେସରୁ ଲଢ଼ିବେ ବୋଲି କହିଥିଲେ ସୁର । ହେଲେ କଂଗ୍ରେସରୁ ଲଢ଼ିବେନି ବୋଲି ରୋକ୍‌ଠୋକ୍‌ ମନା କରିଦେଇଛନ୍ତି ମନ୍ମଥ । ଅଧିକ ପଢ଼ନ୍ତୁ

କଂଗ୍ରେସରୁ ଲଢ଼ିବେନି ସୁରଙ୍କ ପୁଅ ମନ୍ମଥ ରାଉତରାୟ

ଭୁବନେଶ୍ବର: ୨୦୨୪ରେ କଂଗ୍ରେସରୁ ନିର୍ବାଚନ ଲଢିବେନି ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ । ଏନେଇ ଗଣମାଧ୍ୟମରେ ସେ ନିଜେ ସ୍ପଷ୍ଟ କରିଥିଲେ । ଅନ୍ୟ ଦଳରୁ ନିର୍ବାଚନ ଲଢିବାକୁ ସେ ଓ ତାଙ୍କ ଟିମ୍‌ ନିଷ୍ପତ୍ତି ନେଇଥିବା କହିଛନ୍ତି ମନ୍ମଥ । କିନ୍ତୁ କେଉଁ ଦଳରୁ ଲଢ଼ିବେ ସେନେଇ ସେ ଅକ୍ଟୋବରରେ ଘୋଷଣା କରିବେ । ଏପରିକି କଂଗ୍ରେସରୁ କଣ ପାଇଁ ଲଢ଼ିବେନି, ସେହି କାରଣ ମଧ୍ୟ ସେତେବେଳେ କହିବେ ବୋଲି ସେ କହିଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ମଥ କହିଛନ୍ତି, "ଆମର ପୁରା ରାଜନୈତିକ ଟିମ ନିଷ୍ପତ୍ତି ନେଇଛୁ କି ଆମେ କଂଗ୍ରେସ ଦଳରୁ ଲଢ଼ିବୁ ନାହିଁ । ଆଗକୁ ମୁଁ କେଉଁ ଦଳରୁ ପାର୍ଥୀ ହେବି ତାହା ଅକ୍ଟୋବର ମାସରେ କହିବି । ମୋ ଇସ୍ତଫା ପତ୍ର କେନ୍ଦ୍ର ସରକାରଙ୍କ ପାଖରୁ ଅନୁମୋଦନ ପାଇବା ପରେ ମୁଁ ସବୁ ସ୍ପଷ୍ଟ କରିଦେବି । ମୁଁ କଂଗ୍ରେସରୁ ଲଢ଼ିବି ବୋଲି ମୋ ବାବା ମତ ଦେଇଥିଲେ । ସେ ବିଷୟରେ ମୁଁ କେବେ କିଛି କହିନାହିଁ । ରାଜନୀତିରେ ବ୍ୟକ୍ତିଗତ ମତ ଅପେକ୍ଷା ମୁଁ ମୋ ଟିମ୍‌ ମତରେ କାମ କରିବାକୁ ଚାହେଁ । କିଛି ରାଜନୈତିକ ଦଳ ମୋ ସହ ଆଲୋଚନା କରିଛନ୍ତି । ଆମ ଟିମ୍‌ ମଧ୍ୟ ତାଙ୍କ ସହ ଆଲୋଚନା କରିଛି । ମୋର ଚୟନ କରିବାର ଅଧିକାର ରହିଛି । ଯେଉଁ ଦଳର ବିଚାରଧାରାକୁ ଆପଣେଇବାର ଅଧିକାର ମଧ୍ୟ ମୋର ରହିଛି । ଆମେ କାହିଁକି କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ିବୁ ନାହିଁ ବୋଲି କହୁଛୁ ତାହା ମଧ୍ୟ ଆଗକୁ ମୁଁ ସ୍ପଷ୍ଟ କରିବି । ମୋ ବାବା ମୋତେ ଜଟଣୀର ଦାୟିତ୍ବ ଦେଇଥିଲେ । ଜଟଣୀବାସୀଙ୍କ ଭଲ ପାଇବା ଓ ଭରସା ଯୋଗୁଁ ମୁଁ ମୋ କମ୍ପାନୀରୁ ଇସ୍ତଫା ଦେଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ଜଟଣୀବାସୀଙ୍କୁ ଦେଇଥିବା ପ୍ରତିଶୃତି ପୂରଣ ପାଇଁ ଚାକିରି ଛାଡିଲି: ମନ୍ମଥ ରାଉତରାୟ

ପ୍ରକାଶଯୋଗ୍ୟ, ଜଟଣୀ ହେଉଛି ବିଧାୟକ ସୁର ରାଉତରାୟଙ୍କ ପାରମ୍ପରିକ ଆସନ । ଏଠାରୁ ସୁର ବହୁବାର ବିଧାୟକ ଭାବେ କଂଗ୍ରେସରୁ ନିର୍ବାଚିତ ହୋଇଛନ୍ତି । ଏଥର ସେ ନିର୍ବାଚନ ଲଢ଼ିବେ ନାହିଁ, ବରଂ ତାଙ୍କ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟ୍‌ରୁ ଲଢ଼ିବେ ବୋଲି ସେ କହିଥିଲେ । ପୂର୍ବରୁ ମନ୍ମଥ ଭାରତ ସରକାରଙ୍କ ପାଇଲଟ ଭାବେ କାର୍ଯ୍ୟରତ ଥିଲେ । ଦୁଇ ମାସ ତଳେ ସେ ଚାକିରିରୁ ଇସ୍ତଫା ଦେଇ ରାଜନୀତିରେ ସକ୍ରିୟ ଅଂଶଗ୍ରହଣ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କ ଇସ୍ତଫା ପତ୍ର ଗୃହୀତ ହୋଇ ସାରିଲା ପରେ ସେ ନିର୍ବାଚନରେ ଭାଗ ନେବେ । ତେବେ ଏକଦା କଂଗ୍ରେସର ଗଡ଼ କୁହାଯାଉଥିବା ଜଟଣୀରେ ସୁରଙ୍କ ପୁଅ ମନ୍ମଥ କେଉଁ ଦଳରୁ ଟିକେଟ୍‌ ପାଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.