ETV Bharat / state

ଜୁଲାଇ ସୁଦ୍ଧା ଶେଷ ହେବ ବିଜୁ ସେତୁ ଯୋଜନାରେ ୨୦୦ ପ୍ରକଳ୍ପର ସର୍ଭେ ଓ ଜିଏଡି ମଞ୍ଜୁରି

author img

By

Published : Jun 23, 2023, 8:50 AM IST

Rural Development monthly review meeting
Rural Development monthly review meeting

ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ । ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ବିଭାଗ ଅଧିନରେ ଥିବା ସମସ୍ତ ଯୋଜନାର ସମୀକ୍ଷା କରିଛନ୍ତି । ବ୍ୟୟବରାଦ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ପ୍ରମୁଖ ଶାସନ ସଚିବଙ୍କ ଗୁରୁତ୍ୱାରୋପ କରିଛନ୍ତି । ଅଧିକ ପଢନ୍ତୁ

ଭୁବନେଶ୍ବର: ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ । ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ବୈଠକର ଅଧ୍ୟକ୍ଷତା କରିଥିଲେ । ବିଜୁ ସେତୁ ଯୋଜନାରେ ବ୍ୟୟବରାଦ ଧାର୍ଯ୍ୟ ସମୟ ମଧ୍ୟରେ ସାରିବାକୁ ପ୍ରମୁଖ ଶାସନ ସଚିବଙ୍କ ଗୁରୁତ୍ୱାରୋପ କରିଥିଲେ ।

Rural Development monthly review meeting
Rural Development monthly review meeting

ପ୍ରମୁଖ ଶାସନ ସଚିବ କହିଛନ୍ତି ଯେ, ବିଭିନ୍ନ ପ୍ରକଳ୍ପ ବ୍ୟୟ ପାଇଁ ଅନୁଦାନ ଦିଆ ଯାଇଥିବା ଅର୍ଥ ଧାର୍ଯ୍ୟ ସମୟ ମଧ୍ୟରେ ଖର୍ଚ୍ଚ ହେବା ଜରୁରୀ । କେତେକ ଡିଭିଜନରେ ପ୍ରକଳ୍ପ ପାଇଁ ଦିଆଯାଇ ଥିବା ଅର୍ଥ ବିନିଯୋଗ ସନ୍ତୋଷଜନକ ହୋଇନଥିବାରୁ ଅଧିକାରୀମାନଙ୍କୁ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବଜେଟ ଅନୁଦାନ ଓ ବିଲ ପୈଠ ଆଦି ସମସ୍ୟା ଯଦି କାହାର ଥାଏ, ଏହାର ସମାଧାନ ପୂର୍ବକ ପରବର୍ତ୍ତୀ ମାସିକ ବୈଠକ ପୂର୍ବରୁ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଡିଭିଜନ ଅନୁନ୍ୟ ୫ କୋଟି ଟଙ୍କା ପ୍ରକଳ୍ପ ନିମନ୍ତେ ବ୍ୟୟ କରି ରିପୋର୍ଟ ପ୍ରଦାନ କରିବାକୁ କହିଛନ୍ତି ସଞ୍ଜୟ କୁମାର ସିଂହ।



''ବିଜୁ ସେତୁ ଯୋଜନା ଅଧିନରେ ପ୍ରକଳ୍ପଗୁଡିକ ପାଇଁ ଜମି ଅଧିଗ୍ରହଣ, ଜଙ୍ଗଲ ଜମି ଓ ଆନ୍ତଃରାଜ୍ୟ ସମସ୍ୟା ଗୁଡିକୁ ତୁରନ୍ତ ସମାଧାନ ପୂର୍ବକ ଅଞ୍ଚଳ ସର୍ଭେ କରାଯାଇ ଟେଣ୍ଡର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯିବ । ଏନେଇ ବିଭାଗୀୟ ସଚିବ କ୍ଷେତ୍ରାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଭୂ-ଅଧିଗ୍ରହଣ ଓ ଜଙ୍ଗଲ ଜମି ସମସ୍ୟା ସମାଧାନ ନିମିତ୍ତ ଆସନ୍ତା ଜୁଲାଇ ୧୫ ତାରିଖରେ ଏକ ବୈଠକ ବସିବ । ବିଜୁ ସେତୁ ଯୋଜନା ଅଧିନରେ ୨୦୨୩ -୨୪ ଆର୍ଥିକ ବର୍ଷରେ ଅନ୍ୟୁନ ୨୦୦ ଟି ପ୍ରକଳ୍ପର ସର୍ଭେ କାର୍ଯ୍ୟ ଓ ଜିଏଡି ମଞ୍ଜୁରି ଆସନ୍ତା ଜୁଲାଇ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବା ଦରକାର । ଏଥିପାଇଁ ବିଭାଗୀୟ ଅଧିକାରୀମାନେ ଜୁଲାଇ ୧୦ ତାରିଖ ସୁଦ୍ଧା ରିପୋର୍ଟ ପ୍ରସ୍ତୁତ କରି ରଖିବାକୁ କୁହାଯାଇଛି । ''

''ଯେଉଁ ପ୍ରକଳ୍ପ ଗୁଡିକର ଟେଣ୍ଡର କାର୍ଯ୍ୟ ସରିଛି, ସେ ଗୁଡିକରେ ଜମି ଅଧିଗ୍ରହଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ କୁହାଯାଇଛି । ଏହା ସହିତ ମନ୍ଥର ଗତିରେ ଚାଲୁଥିବା ଏବଂ ସ୍ଥଗିତ ଥିବା ପ୍ରକଳ୍ପ କାର୍ଯ୍ୟ ଉପରେ ଧ୍ୟାନ ଦେବାକୁ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଛନ୍ତି ସଚିବ । ମୁଖ୍ୟଯନ୍ତ୍ରୀମାନେ ଏଥିପ୍ରତି ଯତ୍ନବାନ ହେବା ସହ ଆଗାମୀ ବୈଠକରେ ଏହାକୁ ସୁନିଶ୍ଚିତ କରାଇବେ । ଚଳିତ ଆର୍ଥିକ ବର୍ଷରେ ବିଜୁ ସେତୁ ଯୋଜନା ଅଧିନରେ ୩୬୦ ଗୋଟି ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ଓ ପ୍ରଶାସନିକ ଅନୁମୋଦନ ଜୁଲାଇ ମାସ ଶେଷ ସୁଦ୍ଧା ସାରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ''

ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଆହୁରି ମଧ୍ୟ କହିଛନ୍ତି ଯେ, ଆରଆଇଡିଏଫ ସ୍କିମ ଅଧିନରେ ଚାଲୁଥିବା ପ୍ରକଳ୍ପର ସମୀକ୍ଷା କରାଯିବା ସହ ସମ୍ପୂର୍ଣ୍ଣ ହେଉଥିବା ପ୍ରକଳ୍ପ ଗୁଡିକର ପ୍ରକଳ୍ପ ସମାପ୍ତି ରିପୋର୍ଟ ପ୍ରଦାନ କରିବାକୁ ଡିଭିଜନାଲ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତା, ସେତୁ ଓ କୋଠାବାଡି ନିର୍ମାଣ କାମ ତ୍ୱରାନ୍ୱିତ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ବିଭାଗର ଗୁରୁଦାୟିତ୍ୱ । ପ୍ରକଳ୍ପ ସମ୍ପୂର୍ଣ୍ଣ ପାଇଁ ଡିଭିଜନମାନେ ବିଭାଗକୁ ଦେଉଥିବା ସମୟ ସୀମା ଉପରେ ଧ୍ୟାନ ଦେବା ଜରୁରୀ । ଯୋଗାଯୋଗ ପାଇଁ ଏଣିକି ବିଭାଗକୁ ପ୍ରେରିତ ସମସ୍ତ ଚିଠି ପତ୍ର ଓଶ୍ୱାସ ମାଧ୍ୟମରେ ପଠାଇବାକୁ ସମସ୍ତ କ୍ଷେତ୍ରୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ଆସନ୍ତା ମାସରେ ସମସ୍ତ ସର୍କଲମାନଙ୍କରେ ଏ ବାବଦରେ ବିଧିବଦ୍ଧ ଆଲୋଚନା କରାଯିବ । ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, କୋଠାବାଡି, ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଯୋଜନା, ମୁଖ୍ୟମନ୍ତ୍ରୀ ଜନଶୁଣାଣି ଓ ‘ମୋ ସରକାର’ ସମ୍ପର୍କରେ ଆଲୋଚନା କରାଯାଇଛି ।



ବିଗତ ବର୍ଷରେ ଆରମ୍ଭ କରାଯାଇଥିବା ପ୍ରକଳ୍ପଗୁଡିକ ଶୀଘ୍ର ସମ୍ପୂର୍ଣ୍ଣ କରିବା ସହ ଚଳିତ ୨୦୨୩-୨୪ ଆର୍ଥିକ ବର୍ଷରେ ହାତକୁ ନିଆ ଯାଇଥିବା ଯୋଜନା ଓ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି । ରାଜ୍ୟର ସମସ୍ତ ୬୦ ଟି ଡିଭିଜନ ଏବଂ ୧୩ ଟି ଇଞ୍ଜିନିୟରିଂ ସର୍କଲ ସସ୍ଥାର ମୁଖ୍ୟଯନ୍ତ୍ରୀ ଏବଂ ସର୍ବୋଚ୍ଚ ଯନ୍ତ୍ରୀ ଭିସି ମାଧ୍ୟମରେ ଏହି ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ପ୍ରତ୍ୟେକ ସର୍କଲ ଓ ଡିଭିଜନର ସମସ୍ତ ଯନ୍ତ୍ରୀମାନଙ୍କୁ ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ଅଗ୍ରଗତି ଓ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ପ୍ରମୁଖ ଶାସନ ସଚିବ ପଚାରି ବୁଝିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ, ସ୍ୱତନ୍ତ୍ର ଶାସନ ସଚିବ ସୁଦର୍ଶନ ପରିଡା, ଇଆଇସି ଅକ୍ଷୟ କୁମାର ପ୍ରଧାନ, ଇଆଇସି ପ୍ରଦୀପ ସାମଲଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.