ETV Bharat / state

ରେଙ୍ଗାଲୀ ଦକ୍ଷିଣ ପାର୍ଶ୍ୱ କେନାଲ ପ୍ରକଳ୍ପ, ଶୀଘ୍ର ସାରିବାକୁ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ

author img

By ETV Bharat Odisha Team

Published : Nov 2, 2023, 12:07 PM IST

ରେଙ୍ଗାଲୀ ଦକ୍ଷିଣ ପାର୍ଶ୍ୱ କେନାଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ନେଇ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଅଧକ୍ଷ୍ୟତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢ଼ନ୍ତୁ

Rengali South Canal Project Review Meeting
ରେଙ୍ଗାଲୀ ଦକ୍ଷିଣ ପାର୍ଶ୍ୱ କେନାଲ ପ୍ରକଳ୍ପ ସମୀକ୍ଷା ବୈଠକ

ଭୁବନେଶ୍ବର: ରେଙ୍ଗାଲୀ ଦକ୍ଷିଣ ପାର୍ଶ୍ୱ କେନାଲ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରିତା ଅଗ୍ରଗତି ସଂପର୍କରେ ସମୀକ୍ଷା ଅନୁଷ୍ଠିତ ହୋଇଛି । ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ସମୀକ୍ଷା କରିଛନ୍ତି । ରାଜୀବ ଭବନ ସ୍ଥିତ ଜଳସମ୍ପଦ ବିଭାଗ ସମ୍ମିଳନୀ କକ୍ଷରେ ଏହି ସମୀକ୍ଷା ବୈଠକ ହୋଇଛି । ପ୍ରକଳ୍ପକୁ ଶୀଘ୍ର ସଂପୂର୍ଣ୍ଣ କରିବା ସମ୍ପର୍କରେ ପଦକ୍ଷେପ ନେଇ ବ୍ୟାପକ ଆଲୋଚନା ଓ ପରାମର୍ଶ ଦେଇଛନ୍ତି ଉନ୍ନୟନ କମିଶନର ।

ନିର୍ମାଣାଧିନ ରେଙ୍ଗାଲୀ ଦକ୍ଷିଣ ପାର୍ଶ୍ୱ ଜଳସେଚନ ପ୍ରକଳ୍ପ କିପରି ଶୀଘ୍ର ସଂପୂର୍ଣ୍ଣ କରାଯିବ । ଏହା ଦ୍ୱାରା ଅଧିକରୁ ଅଧିକ ଚାଷୀ ଉପକୃତ ହେବେ । ସେ ସଂପର୍କରେ ଏକ ସମୀକ୍ଷା ବୈଠକ କରି ରହିଥିବା ସମସ୍ୟାର ସମାଧାନ କରିବାକୁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉନ୍ନୟନ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ମାଣାଧିନ ପ୍ରକଳ୍ପ କେତେ ଶେଷ ହୋଇଛି, ଅବଶିଷ୍ଟ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ କ’ଣ ସବୁ ସମସ୍ୟା ରହିଛି, ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି । ପରବର୍ତ୍ତୀ ପଦକ୍ଷେପ ପାଇଁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ଉନ୍ନୟନ କମିଶନର ।

ଅନୁଗୁଳ ଜିଲ୍ଲାର ସମଲ ବ୍ୟାରେଜରୁ ବାହାରିଥିବା ରେଙ୍ଗାଲୀ ଦକ୍ଷିଣ ପାର୍ଶ୍ୱ କେନାଲରୁ ଗୋନ୍ଦିଆ, ଦର୍ପଣ, ନରସିଂହପୁର ଓ ଆଠଗଡ଼ ଶାଖା କେନାଲ ସୃଷ୍ଟି ହୋଇଛି । ଏହା ଦ୍ୱାରା ଅନୁଗୁଳ, ଢ଼େଙ୍କାନାଳ, କଟକ, ଯାଜପୁର ଜିଲ୍ଲାର ୧୪ ବ୍ଲକରେ ମୋଟ ୮୪,୪୦୬ ହେକ୍ଟର ଚାଷ ଉପଯୋଗୀ ସଞ୍ଚାଳନକୁ କେନାଲ ଯୋଗେ ଜଳ ପ୍ରବାହ ଲକ୍ଷ୍ୟ ରହିଛି । ଏହି ସବୁ ଅଞ୍ଚଳରେ ୧୯,୬୮୬ ହେକ୍ଟରକୁ ଉଠା ଜଳସେଚନ ମାଧ୍ୟମରେ ଜଳସେଚନ ଲକ୍ଷ୍ୟ ରହିଛି । ରେଙ୍ଗାଲୀ ଦକ୍ଷିଣ ପାର୍ଶ୍ୱ ଜଳସେଚନ ପ୍ରକଳ୍ପ ମୁଖ୍ୟ କେନାଲର ଦୈର୍ଘ୍ୟ ୯୫.୦୪ କି.ମି ହୋଇଥିବା ବେଳେ ଏହାର ନିର୍ମାଣ କାର୍ଯ୍ୟ ସରିଛି । ଏହାର ଶାଖା କେନାଲଗୁଡିକର ମୋଟ ଦୈର୍ଘ୍ୟ ୧୯୬.୬୬ କି.ମି ହୋଇଥିବା ବେଳେ ସେଥିରୁ ୧୩୬.୮୮ କି.ମିର ଖନନ କାର୍ଯ୍ୟ ସରିଛି । ଅବଶିଷ୍ଟ କେନାଲ ଖନନ ପାଇଁ ତ୍ୱରିତ ପଦକ୍ଷେପ ପାଇଁ ବୈଠକରେ ଆଲୋଚନା କରାଯାଇଛି ।

ଜଳସେଚନ ଉପଯୋଗୀ ସେଚାଞ୍ଚଳ ମଧ୍ୟରୁ ପୂର୍ବରୁ କେନାଲ ଯୋଗେ ୧୭,୬୦୬ ହେକ୍ଟର ସେଚାଞ୍ଚଳରେ ସେଟ ସାମର୍ଥ୍ୟ ସୃଷ୍ଟି କରାଯାଇଛି । ଆଗାମୀ ଡିସେମ୍ବର ସୁଦ୍ଧା ଆଉ ୧୦,୦୦୦ ହେକ୍ଟର ଓ ମାର୍ଚ୍ଚ ମାସ ସୁଦ୍ଧା ଆଉ ୧୬,୩୩୪ ଏହିପରି ଏହି ମୋଟ ୪୩,୯୪୦ ହେକ୍ଟର ସେଚାଞ୍ଚଳକୁ ସେଚ ସାମର୍ଥ ସୃଷ୍ଟି ଲକ୍ଷ୍ୟ ଧାର୍ଯ୍ୟ ରହିଛି । ନିର୍ମାଣାଧିନ ଅବଶିଷ୍ଟ ଅଂଶରୁ କେତେକ କ୍ଷେତ୍ରରେ ଜମି ଅଧଗ୍ରହଣରେ ବିଳମ୍ବ ଘଟିଥିବା ଓ ପରିବେଶ ମଞ୍ଜୁରୀ ଜନିତ ସମସ୍ୟା ରହିଛି । ସେ ସବୁ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇ ନିର୍ମାଣାଧିନ କେନାଲ କାର୍ଯ୍ୟକୁ ସଂପୂର୍ଣ୍ଣ କରାଯିବାକୁ ବୈଠକରେ ଗୁରୁତ୍ୱାରୋପ କରାଯାଇଛି ।
ଏହା ବି ପଢନ୍ତୁ...CRUT Bags Excellence Award: ଟିମକୁ ଅଭିନନ୍ଦନ ଜଣାଇଲେ ନବୀନ

ମୋଟ କେନାଲ ଦୈର୍ଘ୍ୟର ୮୦.୩୭% ଜମି ଅଧିଗ୍ରହଣ ପୂର୍ବକ ଖନନ କାର୍ଯ୍ୟ କରାଯାଇଥିବା ବେଳେ ସ୍ଥାନୀୟ ସମସ୍ୟା ରହିଥିବା ୮.୪୬ ପ୍ରତିଶତ କାର୍ଯ୍ୟ ସମାଧାନ କରାଯାଇ କରାଯିବ । ସେହିପରି ୧୧.୧୭% ସଂରକ୍ଷିତ ଜଙ୍ଗଲ ଓ ଜଙ୍ଗଲ ମଞ୍ଜୁର ଅର୍ନ୍ତଭୁକ୍ତ ରହିଥିବା ବେଳେ ସେଥିରୁ ୮୭୪.୫୯୫୭ ହେକ୍ଟର ଷ୍ଟେଜ-୨ ଜଙ୍ଗଲ ଜମି ମଞ୍ଜୁରୀ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ତରଫରୁ ମିଳିସାରିଛି । ଅବଶିଷ୍ଟ ୨୫୧.୧୭ ହେକ୍ଟର ଜଙ୍ଗଲ ଜମି ପରିବେଶ ଅନୁମୋଦନ ପାଇଁ ପକ୍ରିୟା ଜାରି ରହିଛି । କ୍ଷତିପୂରଣ ବନୀକରଣ ଜରିଆରେ ଏହି ସମସ୍ୟାର ସମାଧାନ କରାଯାଇ ପରିବେଶ ମଞ୍ଜୁରୀ ନିମନ୍ତେ ପଦକ୍ଷେପ ନିଆଯାଇଛି । କଟକ ଜିଲ୍ଲାରେ ଜମି ଅଧିଗ୍ରହଣ ସମସ୍ୟା ରହିଥିବା ପ୍ରସଙ୍ଗରେ କଟକ ଜିଲ୍ଲାପାଳଙ୍କୁ ସମସ୍ୟାର ଅନୁଧ୍ୟାନ କରି ଉଚିତ ପଦକ୍ଷେପ ନେବାକୁ ଉନ୍ନୟନ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।

ଅନୁଗୁଳ ଜିଲ୍ଲାର ଶତ ପ୍ରତିଶତ, ଢେଙ୍କାନାଳ ଜିଲ୍ଲାର ୫୮%, କଟକ ଜିଲ୍ଲାର ୧୭% ସେଚାଞ୍ଚଳରେ ସେଚ ସାମର୍ଥ ସୃଷ୍ଟି କରାଯାଇଛି । କେତେକ ଅଞ୍ଚଳରୁ ପରୀକ୍ଷାମୂଳକ ଭାବେ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଛି । ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ କାର୍ଯ୍ୟ କରି ରେଙ୍ଗାଲୀ ଦକ୍ଷିଣ ପାର୍ଶ୍ୱ ଜଳସେଚନ କେନାଲ ଯୋଗେ ସେଚ ସୁବିଧା ଯୋଗାଇବା ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଉନ୍ନୟନ କମିଶନର ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.