ETV Bharat / state

ମୋବାଇଲ ଲାଇଟରେ ପୂଜା ପାଉଛନ୍ତି ଭୋଳା ବାବା, କେବେ ଚେତିବ ASI ?

author img

By ETV Bharat Odisha Team

Published : Dec 12, 2023, 12:08 PM IST

Rameswar and Charishambhu Temple neglected
ମୋବାଇଲ ଲାଇଟରେ ପୂଜା ପାଉଛନ୍ତି ଭୋଳା ବାବା

Rameswar and Charishambhu Temple neglected: ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧିନରେ ଥିବା ବୌଦ୍ଧ ଜିଲ୍ଲାର ରାମେଶ୍ବର ଓ ଚାରିଶମ୍ଭୁ ମନ୍ଦିର ଅବହେଳିତ ଅବସ୍ଥାରେ । ମୋବାଇଲ ଲାଇଟରେ ଭଗବାନଙ୍କୁ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

ମୋବାଇଲ ଲାଇଟରେ ପୂଜା ପାଉଛନ୍ତି ଭୋଳା ବାବା

ବୌଦ୍ଧ: ଜିଲ୍ଲାର ଦୁଇ ଜାତୀୟ ପ୍ରତ୍ନତତ୍ତ୍ଵ ଧରୋହରର ଭାଗ୍ୟ ବଦଳି ପାରୁନାହିଁ । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧିନରେ ଥାଇ ମଧ୍ୟ ଅନ୍ଧକାର ମଧ୍ୟରେ ବୁଡ଼ି ରହିଛି ବୌଦ୍ଧ ଜିଲ୍ଲାର ଦୁଇ ଜାତୀୟ ଐତିହ୍ୟ ମନ୍ଦିର । ମୋବାଇଲ ଲାଇଟରେ ଭୋଳା ବାବାଙ୍କୁ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁମାନେ । ଠିକ ଏକ ମାସ ତଳେ ଜିଲ୍ଲାର ଏହି ଦୁଇ ଅବହେଳିତ ଅବସ୍ଥାରେ ରହିଥିବା ପ୍ରସିଦ୍ଧ ଐତିହାସିକ ପୀଠ ବୁଲି ଦେଖିଥିଲେ ଏଏସଆଇର ବରିଷ୍ଠ ଅଧିକାରୀ । ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ବି ଦେଇଥିଲେ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ପୀଠରେ ଲାଗି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ବୌଦ୍ଧ ଜିଲ୍ଲା ସଦର ମହକୁମା ରାମେଶ୍ବର ମନ୍ଦିର ସମୂହ ଓ ଚାରିଶମ୍ଭୁ ହରିହରଙ୍କ ଯୁଗ୍ମ ମନ୍ଦିର କେନ୍ଦ୍ର ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥାର ଅଧିନରେ ରହିଛି । କିନ୍ତୁ ଦୀର୍ଘ ବର୍ଷ ହେଲା ଏହି ଦୁଇ ପ୍ରାଚୀନ ତଥା ଐତିହାସିକ ପୀଠର ବିକାଶ ଆଦୌ କରାଯାଇନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ ଆଣିଛନ୍ତି । ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡିରହିଛି ଏହି 2ଟି ମନ୍ଦିର । ଏଭଳିକି ମନ୍ଦିରରେ ବିଦ୍ୟୁତ ସଂଯୋଗୀକରଣ ମଧ୍ୟ କରାଯାଇନାହିଁ । ଭକ୍ତମାନେ ପୂଜାର୍ଚ୍ଚନା କରିବା ପାଇଁ ମୋବାଇଲ କିମ୍ବା ଟର୍ଚ୍ଚ ଲାଇଟ୍ ବ୍ୟବହାର କରୁଛନ୍ତି ।

ଏହାମଧ୍ୟ ପଢନ୍ତୁ... ଅବହେଳିତ ଅବସ୍ଥାରେ ଜୈନ ମନ୍ଦିର, ମରାମତି ନାଁରେ ବିନାଶ କରି ଚାଲିଗଲେ ପ୍ରତ୍ନତତ୍ତ୍ୱ ଅଧିକାରୀ !

ବ୍ୟାପକ ସମସ୍ୟା ମଧ୍ୟରେ ଏହି 2 ମନ୍ଦିର ରହିଥିବା ନେଇ ଇଟିଭି ଭାରତରେ ବାରମ୍ବାର ଖବର ପ୍ରସାରଣ ପରେ ଗତ ମାସ ନଭେମ୍ବର 12 ତାରିଖରେ କେନ୍ଦ୍ର ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥାର ମହାନିର୍ଦ୍ଦେଶକ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଜିଲ୍ଲାର ଏହି ଦୁଇ ଜାତୀୟ ଐତିହ୍ୟକୁ ବୁଲି ଦେଖିଥିଲେ । କିନ୍ତୁ ଉକ୍ତ ଟିମର ଗସ୍ତକୁ ଠିକ ମାସେ ପୁରିଥିବା ବେଳେ ସମସ୍ୟାର ସମାଧାନ ନେଇ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଯାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

ଅନ୍ୟପଟେ ଚତୁର୍ଦ୍ଦଶୀ ଅବସରରେ ବୌଦ୍ଧର ରାମେଶ୍ବର ମନ୍ଦିର ଠାରେ ବହୁ ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁମାନେ ସନ୍ଧ୍ୟାରେ ପହଞ୍ଚିଥିବା ବେଳେ ସମସ୍ତେ ମୋବାଇଲ ଲାଇଟରେ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଯାହାକୁ ନେଇ ଭକ୍ତ ଶ୍ରଦ୍ଧାଳୁମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ତୁରନ୍ତ ଏନେଇ ଏଏସଆଇ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.