ETV Bharat / state

ଅବହେଳିତ ଅବସ୍ଥାରେ ଜୈନ ମନ୍ଦିର, ମରାମତି ନାଁରେ ବିନାଶ କରି ଚାଲିଗଲେ ପ୍ରତ୍ନତତ୍ତ୍ୱ ଅଧିକାରୀ !

author img

By ETV Bharat Odisha Team

Published : Dec 9, 2023, 12:52 PM IST

Updated : Dec 9, 2023, 1:20 PM IST

ଅବହେଳିତ ଅବସ୍ଥାରେ ଜୈନ ମନ୍ଦିର
ଅବହେଳିତ ଅବସ୍ଥାରେ ଜୈନ ମନ୍ଦିର

Koraput Jain temple Neglected: ଅବହେଳିତ ଅବସ୍ଥାରେ ବହୁ ପୁରାତନ ଜୈନ ମନ୍ଦିର । ମନ୍ଦିର ମରାମତି ନାଁରେ ମନ୍ଦିର ଭାଙ୍ଗି ଅଧାଗଢା କରି ଚାଲିଗଲା ପ୍ରତ୍ନତତ୍ତ୍ୱ ବିଭାଗ । 2 ବର୍ଷ ହେଲା ଖୋଲା ଆକାଶ ତଳେ ପଡିରହିଛି ମୂର୍ତ୍ତି । କିଛି ମୂର୍ତ୍ତି ଚୋରି ହୋଇଯାଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ଅବହେଳିତ ଅବସ୍ଥାରେ ଜୈନ ମନ୍ଦିର

କୋରାପୁଟ: ଅବହେଳିତ ଅବସ୍ଥାରେ କୋରାପୁଟରେ ଅବସ୍ଥିତ ସପ୍ତମ ଶତାବ୍ଦୀର ଜୈନ ମନ୍ଦିର । ମନ୍ଦିରର ମରାମତି କରିବା ଆଳରେ ପୂରାତନ ମନ୍ଦିରକୁ ଭାଙ୍ଗି ଅଧାଗଢା ଅବସ୍ଥାରେ ଛାଡି ଚାଲିଯାଇଛନ୍ତି ପ୍ରତ୍ନତତ୍ତ୍ବ ବିଭାଗ । 2 ବର୍ଷ ହେଲା ମନ୍ଦିର ଓ ମୂର୍ତ୍ତି ଗୁଡିକ ଅବହେଳିତ ଅବସ୍ଥାରେ ପଡିରହିଥିବା ବେଳେ କେତେକ ମୂର୍ତ୍ତି ଚୋରି ହୋଇଯାଇଥିବା ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ସେପଟେ ଯଥାଶୀଘ୍ର ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ ।

କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ପୁପୁଗାଁରେ ରହିଛି ବହୁ ପୁରାତନ ଜୈନ ମନ୍ଦିର । ପାଖାପାଖି ସପ୍ତମ ଶତାବ୍ଦୀରେ ଏହି ମନ୍ଦିରଟି ନିର୍ମାଣ କରାଯାଇଥିବା ନେଇ ଇତିହାସରୁ ଜଣାପଡେ । ଏହି ମନ୍ଦିରରେ ତୀର୍ଥଙ୍କର ମହାବୀରଙ୍କ ବହୁ ପୁରାତନ ମୂର୍ତ୍ତି ରହିଥିବା ବେଳେ ମନ୍ଦିରଟି ସମ୍ପୂର୍ଣ୍ଣ ପଥରରେ ନିର୍ମାଣ ହୋଇଥିଲା । ସ୍ଥାନୀୟ ଲୋକମାନେ ଏହାକୁ ବିଷ୍ଣୁ ମନ୍ଦିର ଭାବରେ ମଧ୍ୟ ପୂଜାର୍ଚ୍ଚନା କରିଆସୁଥିଲେ । ମନ୍ଦିରର ଅଧିକାଂଶ ଭାଗ ଠିକ ଥିବା ବେଳେ କେବଳ ଉପରି ଭାଗ ସାମାନ୍ୟ ଢଳି ଯାଇଥିବା ନେଇ ସ୍ଥାନୀୟ ଲୋକମାନେ ସୂଚନା ଦେଇଛନ୍ତି ।

ତେବେ 2 ବର୍ଷ ତଳେ ଭୁବନେଶ୍ୱରରୁ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀମାନେ ଏହି ମନ୍ଦିର ତଦାରଖ କରିବାକୁ ଆସିଥିବା ବେଳେ ଉପରିଭାଗ ଭାଙ୍ଗିଯାଇଥିବା ଜାଣି ତାକୁ ମରାମତି କରିବା ପାଇଁ କହିଥିଲେ । ଗ୍ରାମବାସୀମାନେ ମଧ୍ୟ ମରାମତି ହେବାକୁ ନେଇ ସମ୍ମତି ପ୍ରକାଶ କରିଥିଲେ । ହେଲେ ମରାମତି ଆଳରେ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀ ପୁରା ମନ୍ଦିରକୁ ଭାଙ୍ଗି ନଷ୍ଟ କରିଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ମନ୍ଦିର ପୂର୍ବରୁ ପଥରରେ ତିଆରି ହୋଇଥିବା ବେଳେ ସେହି ପଥରକୁ କାଢି ସିମେଣ୍ଟରେ ତିଆରି କରିଥିଲେ ପ୍ରତ୍ନତତ୍ତ୍ବ ବିଭାଗ । ହେଲେ ମନ୍ଦିର କାମ ଶେଷ ନକରି ସେମିତି ଅଧା ଗଢା ମନ୍ଦିରକୁ ଛାଡି ଚାଲିଯାଇଥିଲେ । ଦୀର୍ଘ 2 ବର୍ଷ ହେଲା ପୂଜା ପାଇଆସୁଥିବା ଜୈନ ମୂର୍ତ୍ତି ସେମିତି ଖୋଲା ଆକାଶରେ ପଡିରହିଛି ।

ଏହାମଧ୍ୟ ପଢନ୍ତୁ.. ଜୈନ ସଭ୍ୟତା ସହ ଜଡ଼ିତ କୋରାପୁଟ ! ମାଆ ଷୋଳଭୂଜାଙ୍କୁ ପୂଜା କରୁଛନ୍ତି ମହିଳା ପୂଜକ

ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ଏବେସୁଦ୍ଧା ଏହା ହୋଇପାରିନାହିଁ । ଅନ୍ୟପଟେ ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ଆଉମଧ୍ୟ ସ୍ଥାନୀୟ ସଂସ୍କୃତି ଗବେଷକ ଶରତ କୁମାର ରାଉତରାଏ ଏନେଇ କ୍ଷୋଭ ପ୍ରକାଶ କରିଛନ୍ତି ।

ଜୈନ ସଂସ୍କୃତି ଗବେଷକ କହିଛନ୍ତି, "କୋରାପୁଟ ଜିଲ୍ଲାର ସୁବାଇ, ନନ୍ଦପୁର, କେଚେଲା ଓ ବିସିଂପୁର ପ୍ରଭୃତି ଅଞ୍ଚଳରେ ଦେଖାଯାଉଥିବା ଜୈନ ମୂର୍ତ୍ତି ଏହି ଅଞ୍ଚଳରେ ବହୁ ପୂର୍ବେ ଜୈନ ଧର୍ମର ଦୃଢ଼ ଉପସ୍ଥିତି ଆଡକୁ ଇଙ୍ଗିତ କରୁଛି । ଏହି ମୂର୍ତ୍ତି ଗୁଡିକର ବୟସର ଆକଳନ କରାଯାଇ ପାରୁନଥିଲେ ବି ଏହା ବହୁ ପୁରାତନ ତାହା କାରୁକାର୍ଯ୍ୟରୁ ଜଣାପଡୁଛି । ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ହେଉ ବା ବିଶ୍ୱବିଦ୍ୟାଳୟ ଗୁଡିକଦ୍ୱାରା ହେଉ ଏହି ମୂର୍ତ୍ତି ଗୁଡିକର ଇତିହାସ ସମ୍ପର୍କରେ ଗବେଷଣା କରାଗଲେ ଏହି ଅଞ୍ଚଳର ଜୈନ ଧର୍ମ ସହିତ ଥିବା ସମ୍ପର୍କ ଜଣାପଡନ୍ତା ।"

ଇଟିଭି ଭାରତ, କୋରାପୁଟ

Last Updated :Dec 9, 2023, 1:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.