ETV Bharat / state

ଓଡ଼ିଶାର ଲୋକ ଚାହୁଛନ୍ତି ରତ୍ନ ଭଣ୍ଡାର ଖୋଲାଯାଉ: BJP

author img

By ETV Bharat Odisha Team

Published : Nov 19, 2023, 1:27 PM IST

bjp leader bijay mohapatra
bjp leader bijay mohapatra

ରତ୍ନଭଣ୍ଡାର ଖୋଲିବା ନେଇ କମିଟି ଗଠନ ହେବା ଦରକାର ଏବଂ ରତ୍ନଭଣ୍ଡାର ବି ଖୋଲାଯିବା ଦରକାର ବୋଲି କହିଲେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ଅଧିକ ପଢନ୍ତୁ

ଭୁବନେଶ୍ବର : ଶ୍ରୀମନ୍ଦିର ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ରତ୍ନଭଣ୍ଡାର ଖୋଲିବା ନେଇ ଦାବି ଜୋର ଧରିଛି । ତେବେ ଏହାରି ମଧ୍ୟରେ ରତ୍ନଭଣ୍ଡାର ଖୋଲିବା ନେଇ କମିଟି ଗଠନ ହେବା ଦରକାର ଏବଂ ରତ୍ନଭଣ୍ଡାର ବି ଖୋଲାଯିବା ଦରକାର ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।

ସେ କହିଛନ୍ତି, "ଓଡ଼ିଶାର ଲୋକ ଚାହୁଛନ୍ତି ରତ୍ନ ଭଣ୍ଡାର ଖୋଲାଯାଉ । ରତ୍ନ ଭଣ୍ଡାର ଖୋଲିବା ନେଇ ପରିଚାଳନା କମିଟି ଯେଉଁ ସମୟ ସୀମା ନିର୍ଦ୍ଧାରଣ କରୁଛି, ଗଜପତି ମଧ୍ୟ ଏ ନେଇ ବିବୃତି ଦେଇଥିଲେ ତାହା ସମ୍ଭବ ନୁହେଁ । ରତ୍ନ ଭଣ୍ଡାର ଖୋଲିବା ଏବଂ ଯେଉଁ ରତ୍ନ ସବୁ ଅଛି ତାହା ଗଣିବା ସମୟ ସାପେକ୍ଷ। ଶେଷଥର ଯେଉଁ ରତ୍ନ ଭଣ୍ଡାର ଏବଂ ଗଣତି କରାଯିବା ପାଇଁ ୭୦ ଦିନ ଲାଗିଥିଲା, ତେଣୁ ପାଞ୍ଚ ସାତ ଦିନ ଭିତରେ ସାରି ହେବନି। ରାଜ୍ୟ ସରକାର ସେଥିପାଇଁ ସମୟ ସୀମା ନିର୍ଦ୍ଧାରଣ କରନ୍ତୁ ଏବଂ କମିଟି ଗଠନ କରନ୍ତୁ। ମନ୍ଦିର ଚାଲିଥିବା ସମୟରେ ମଧ୍ୟ ରତ୍ନ ଭଣ୍ଡାର ଗଣତି ହୋଇ ପାରିବ । ମନ୍ଦିରକୁ ବନ୍ଦ ନ କରି ମଧ୍ୟ ରତ୍ନ ଭଣ୍ଡାର ଗଣତି କରାଯାଇ ପାରିବ । ସେ ସମ୍ପର୍କରେ ସ୍ପଷ୍ଟ ନିଷ୍ପତ୍ତି ରାଜ୍ୟ ସରକାର ନେବା ଦରକାର । ପରିଚାଳନା କମଟି ମଧ୍ୟ ଏନେଇ ଜୋରଦାର ଉଦ୍ୟମ କରିବା ଦରକାର । ପରିଚାଳନା କମିଟି ଖାଲି ନବସି ସରକାରଙ୍କୁ ଭେଟୁ ନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିବା ସହ ଓଡ଼ିଶାର ଲୋକ ଚାହୁଁଛନ୍ତି, ଏଣୁ ରତ୍ନ ଭଣ୍ଡାର ଖୋଲାଯାଉ ବୋଲି କହିଛନ୍ତି ବରିଷ୍ଠ ରାଜନେତା ।

ସେହିପରି ଏହାକୁ ନେଇ ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 5Tର ଚେୟାରମ୍ୟାନ ଭିକେ ପାଣ୍ଡିଆନ୍ ତଦାରଖ କରୁଛନ୍ତି । ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପ ଜାନୁଆରୀ ମାସରେ ଶେଷ ହେବ । ରାଜ୍ୟ ସରକାର ରତ୍ନଭଣ୍ଡାର ନିଶ୍ଚିତ ଭାବରେ ଖୋଲିବେ । ସମୟକୁ ଅପେକ୍ଷା କରନ୍ତୁ ।"

ଏହା ମଧ୍ୟ ପଢନ୍ତୁ- Ratna Bhandar Issue: ଲେଜର ସ୍କାନିଂକୁ ରାଜ୍ୟ ସରକାରଙ୍କ ଷଡଯନ୍ତ୍ର କହିଲା ବିଜେପି, ଜବାବ ଦେଲା ବିଜେଡି

ତେବେ ଏନେଇ କଂଗ୍ରେସ କହିଛି, "ବିଜେଡିର ସରକାର କେବେ ବି ରତ୍ନଭଣ୍ଡାର ଖୋଲିବ ନାହିଁ । ଦୀର୍ଘ ବର୍ଷ ଧରି ଶାସନ ରହିବା ଫଳରେ ମନମୁଖୀ କାର୍ଯ୍ୟ କରୁଛନ୍ତି । କିଛି ଗୋଳମାଳ ଅଛି ବୋଲି ରାଜ୍ୟ ସରକାର ଖୋଲୁ ନାହାନ୍ତି । ଆମେ ଦାବି କରିଛୁ ରତ୍ନଭଣ୍ଡାର ଖୋଲିବାକୁ । ଏବେ ଚାରିଦ୍ଵାର ଖୋଲୁ ନାହାନ୍ତି । ଭକ୍ତ ଏବଂ ଭଗବାନ ମଝିରେ ବିଜେଡି ସରକାର ପାଚେରୀ ହୋଇ ଛିଡ଼ା ହୋଇଛି । ତେଣୁ ଏ ସରକାରର ମନମୁଖୀ ଶାସନ ବେଶି ଦିନ ନୁହଁ ।" ଶେଷ ସମୟରେ ଦୀପ ଜୋର୍ ଜାଳେ ବୋଲି କହିଛି କଂଗ୍ରେସ । ପ୍ରକାଶ ଥାଉକି, ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିର ଗସ୍ତ ସମୟରେ ରତ୍ନଭଣ୍ଡାର ଶୀଘ୍ର ଖୋଲାଯିବା ସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ପୁରାତନ କୀର୍ତ୍ତିରାଜିକୁ ସ୍ଥାନ ଦିଆଯାଉ ବୋଲି ମତ ପ୍ରକାଶ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.