ETV Bharat / state

ନିର୍ବାଚନ ଯେତେବେଳେ ହେଉ, କଂଗ୍ରେସ ପ୍ରସ୍ତୁତ ଅଛି: ପିସିସି ସଭାପତି

author img

By ETV Bharat Odisha Team

Published : Aug 29, 2023, 7:54 PM IST

ଆଗୁଆ ନିର୍ବାଚନ ହେଲେ କଂଗ୍ରେସ ପ୍ରସ୍ତୁତ
ଆଗୁଆ ନିର୍ବାଚନ ହେଲେ କଂଗ୍ରେସ ପ୍ରସ୍ତୁତ

ଆସନ୍ତା ୧୩ରେ ଓଡ଼ିଶା ଆସିବେ ନିର୍ବାଚନ ଆୟୋଗ ଅଧିକାରୀ । ଯାହା ରାଜ୍ୟରେ ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ସେପଟେ କଂଗ୍ରେସ କହିଛି ଯେତେବେଳେ ନିର୍ବାଚନ ହେଉ, ଆମେ ପ୍ରସ୍ତୁତ । ଅଧିକ ପଢ଼ନ୍ତୁ

ଆଗୁଆ ନିର୍ବାଚନ ହେଲେ କଂଗ୍ରେସ ପ୍ରସ୍ତୁତ

ଭୁବନେଶ୍ବର: ଆସନ୍ତା ୧୩ ତାରିଖରେ ଓଡ଼ିଶା ଆସିବେ ନିର୍ବାଚନ ଆୟୋଗ ଅଧିକାରୀ । ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ ସହ କରିବେ ନିର୍ବାଚନ ସମ୍ପର୍କୀ ତ ସମୀକ୍ଷା । ତେବେ ଇସିଆଇ ଅଧିକାରୀଙ୍କ ଗସ୍ତ ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ସେପଟେ ଓଡ଼ିଶାରେ ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ଦ୍ବିଗୁଣିତ କରିଛି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଜିର ସାମ୍ବାଦିକ ସମ୍ମିଳନୀ । ରାଜ୍ୟରେ ନିର୍ବାଚନ ନେଇ ପ୍ରଶାସନିକସ୍ତରରେ ତତ୍ପରତା ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି । ପ୍ରମୁଖ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ନିର୍ବାଚନ ସମରସଜ୍ଜା ଆରମ୍ଭ ହୋଇଯାଇଛି । 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଦ୍ଵାରା ବିଜେଡି ନିର୍ବାଚନୀ ପ୍ରଚାରକୁ ଫାଇନାଲ୍ ଟଚ୍‌ ଦେବା ଆଲୋଚନା ହେଉଥିବାବେଳେ ବିଜେପି ପକ୍ଷରୁ ବୁଥ ସଶକ୍ତିକରଣ କାର୍ଯ୍ୟକ୍ରମ ଜାରି ରହିଛି । ସେପଟେ କଂଗ୍ରେସ ମଧ୍ୟ ପ୍ରସ୍ତୁତ ଥିବା କହିଛି । 'ଘର ଘର କଂଗ୍ରେସ' ଅଭିଯାନରେ ପ୍ରତି ଘରକୁ ଯାଇ ଜନସାଧାରଣଙ୍କ ମନ ଜିଣିବାକୁ ପ୍ରୟାସ କରିବ ବୋଲି ପ୍ରକାଶ କରିଛନ୍ତି ପିସିସି ସଭାପତି ।

ପିସିସି ସଭାପତି ସଂକଳ୍ପ ସମାବେଶରେ ୯ରୁ ୯୦ ସିଟ ସ୍ଲୋଗାନକୁ ସାକାର କରିବାକୁ ରଣନୀତି ପ୍ରସ୍ତୁତ କରିଛି ଦଳ । ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ନେତୃତ୍ବ ତୃଣମୂଳସ୍ତରରେ କଂଗ୍ରେସକୁ ଦୃଢ଼ ଓ ଅଧିକ ସଂଗଠିତ କରି କର୍ମୀଙ୍କ ମନୋବଳ ବୃଦ୍ଧି କରିବାରେ ଲାଗିପଡିଛନ୍ତି । ଦଳର ବରିଷ୍ଠ ନେତାଙ୍କ ଦଳକୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଛି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ମୁଖ୍ୟ ଆୟୁଧ କରି ଘର ଘର କଂଗ୍ରେସ କାର୍ଯ୍ୟକ୍ରମ କରିବ । ଚଳିତ ମାସ ୧୮ ତାରିଖରେ ରାଜ୍ୟର ସମସ୍ତ ବ୍ଲକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପଦର୍ଶନ କରିଥିଲା କଂଗ୍ରେସ । ଆଗକୁ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଆସି ରାଜ୍ୟ କଂଗ୍ରେସକୁ ସଞ୍ଜିବନୀ ଦେବେ ବୋଲି ଚର୍ଚ୍ଚା ଜୋର ଧରିଲାଣି । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, "ନିର୍ବାଚନ ଆୟୋଗ ଯେତେବେଳେ ବି ନିର୍ବାଚନ ପାଇଁ ଘୋଷଣା କରନ୍ତୁ, ନିର୍ବାଚନ ଆଗୁଆ ହେଉ ବା ଠିକ ସମୟରେ ହେଉ । ଆମେ ପ୍ରସ୍ତୁତ ଅଛି । କଂଗ୍ରେସ ଦଳର ସମସ୍ତ ନେତା, କର୍ମୀ, ଶୁଭେଚ୍ଛୁ, ସମର୍ଥନ ଏକ ହୋଇ ବିଜେପି ଓ ବିଜେଡି ବିରୋଧରେ ଲଢ଼େଇ କରିବୁ । ଆମର ବିଶ୍ବାସ, ଓଡ଼ିଶାବାସୀ କଂଗ୍ରେସକୁ ଆଶୀର୍ବାଦ କରିବେ ।"

ଏହା ମଧ୍ୟ ପଢ଼ନ୍ତୁ...ଆଗୁଆ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ, କଂଗ୍ରେସ ଓ ବିଜେପିର ନାରା- ଆମେ ଗଢିବୁ ସରକାର

ସେପଟେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ନରେନ୍ଦ୍ର ମୋଦି ସାରା ଦେଶକୁ ବିକ୍ରି କରିସାରିଲେଣି । ଉଭୟ ନବୀନ ଓ ମୋଦି ନିର୍ବାଚନ ପାଇଁ ଅର୍ଥ ଯୋଗାଡ଼ କରୁଛନ୍ତି । କଂଗ୍ରେସ ସମ୍ପୁର୍ଣ୍ଣ ପ୍ରସ୍ତୁତ ଅଛି । ୧୧୩ ଜଣ ପ୍ରାର୍ଥୀଙ୍କୁ କଂଗ୍ରେସ ମୁଖିଆ ଗ୍ରୀନ୍‌ ସିଗ୍ନାଲ ଦେଇସାରିଛନ୍ତି । ସେମାନେ ସେମାନଙ୍କ ଅଞ୍ଚଳରେ ପ୍ର୍ରଚାର ଆରମ୍ଭ କରି ସାରିଛନ୍ତି । ଆଗୁଆ ନିର୍ବାଚନ ନେଇ କଂଗ୍ରେସ ପୁରା ପ୍ରସ୍ତୁତ । ପିସିସି ସଭାପତି ସବୁ ଜିଲ୍ଲା ଗସ୍ତ କରିଛନ୍ତି । ୧୧୩ ଜଣ ବିଧାୟକ ପ୍ରାର୍ଥୀଙ୍କୁ ଆଗୁଆ କୁହାଯାଇଛି ନିଜ ଅଞ୍ଚଳରେ ଫିଲ୍ଡ ସଜାଡ଼ିବା ପାଇଁ । ସେମାନେ ମଧ୍ୟ ନିଜ ଅଞ୍ଚଳରେ ଫିଲ୍ଡ ତିଆରି କରୁଛନ୍ତି । କିନ୍ତୁ ମୁଁ ଭାବୁଛି, ଆଗୁଆ ନିର୍ବାଚନ ହେବନି । କାରଣ ବିଜେଡି ବିଜେପି ଏକାଠି ଅଛନ୍ତି ଓ ଲୁଟିବାରେ ଲାଗିଛନ୍ତି । ଏଥର ନିର୍ବାଚନରେ ସେମାନେ ସରକାରରୁ ଯିବେ ବୋଲି ଜାଣସାରିଛନ୍ତି । ତେଣୁ ଆଗୁଆ ନିର୍ବାଚନ କରିବେନି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.