ETV Bharat / state

ଆଗୁଆ ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ, କଂଗ୍ରେସ ଓ ବିଜେପିର ନାରା- ଆମେ ଗଢିବୁ ସରକାର

author img

By

Published : Aug 16, 2023, 8:20 PM IST

ଆଗୁଆ ନିର୍ବାଚନ ହେଲେ କିଏ ଆଗରେ ?
ଆଗୁଆ ନିର୍ବାଚନ ହେଲେ କିଏ ଆଗରେ ?

ଆଗୁଆ ନିର୍ବାଚନ ଚର୍ଚ୍ଚା ମଧ୍ୟରେ ସରକାର ଗଢ଼ିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ । ରାଜନୀତି ସମୀକ୍ଷକ କହିଲେ, ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ଆଗୁଆ । ଅଧିକ ପଢ଼ନ୍ତୁ

ଆଗୁଆ ନିର୍ବାଚନ ହେଲେ କିଏ ଆଗରେ ?

ଭୁବନେଶ୍ବର: ଆଗୁଆ ନିର୍ବାଚନ ଚର୍ଚ୍ଚା ଏବେ ରାଜନୈତିକ ମହଲରେ ଉଷ୍ମତା ଭରି ରଖିଛି । ତେବେ ଦେଶର ଏବଂ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ଯଦି ଆଗୁଆ ନିର୍ବାଚନ ହୁଏ, ଉଭୟ ରାଜ୍ୟରେ ଏବଂ କେନ୍ଦ୍ରରେ କେଉଁ ଦଳ କେତେ ଫାଇଦା ପାଇବ ଏବେ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି । ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡିଶା ଗସ୍ତ ଏବଂ ନବୀନଙ୍କୁ ପ୍ରଶଂସା ତଥା ଲୋକସଭାରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାରକୁ ବିଜେଡିର ସମର୍ଥନ ପରେ ରାଜ୍ୟ ରାଜନୀତିର ଗଣିତରେ କିଛି ଓଲଟପାଲଟ ହେବ କି ବୋଲି ପ୍ରଶ୍ନ ଉଠିଛି ।

ବିଜେପି କହୁଛି ସବୁଠି ଆମେ: ତେବେ ଯଦି ଆଗୁଆ ନିର୍ବାଚନ ହୁଏ ସେଥିପାଇଁ ବିଜେପି ପ୍ରସ୍ତୁତ ଥିବା କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି । ସେ କହିଛନ୍ତି, "ଆଗୁଆ ନିର୍ବାଚନ ହେଉ କି ପରେ ନିର୍ବାଚନ ହେଉ, ବୁଥ ସ୍ତରରୁ ଦଳକୁ ମଜବୁତ କରିଛି ଦଳ । କେନ୍ଦ୍ରରେ ମୋଦିଙ୍କ ୯ ବର୍ଷ ଶାସନର ସଫଳତା ଲୋକଙ୍କ ପାଖରେ ପହଞ୍ଚାଇ ଦିଆଯାଇଛି ।" ରାଜ୍ୟରେ ବିଜେପି ଏବଂ କେନ୍ଦ୍ରରେ ମଧ୍ୟ ବିଜେପି ସରକାର କରିବ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଦିଲ୍ଲୀପ ମହାନ୍ତି ।

ଶରତ କହିଲେ କେନ୍ଦ୍ରରେ ଇଣ୍ଡିଆ, ରାଜ୍ୟରେ କଂଗ୍ରେସ: ଅନ୍ୟପଟେ କଂଗ୍ରେସ ମଧ୍ୟ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ରାଜ୍ୟର ସମସ୍ତ ୩୧୪ ବ୍ଲକରେ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରକୁ ଘେରିବା ପାଇଁ ଯୋଜନା ଆରମ୍ଭ କରିଛି । ପିସିସି ସଭାପତି ଶତ ପଟ୍ଟନାୟକ କହିଛନ୍ତି, "ରାହୁଲଙ୍କ ନେତୃତ୍ବରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟ ସରକାର ଗଠନ କରିବ ।" ରାଜ୍ୟରେ ମଧ୍ୟ କଂଗ୍ରେସ କ୍ଷମତାକୁ ଆସିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ଏହା ମଧ୍ୟ ପଢ଼ନ୍ତୁ...ପିସିସି ସଭାପତିଙ୍କ ସୂଚନା; ୧୮ରେ ରାଜ୍ୟର ସମସ୍ତ ବ୍ଲକ ଘେରିବ କଂଗ୍ରେସ

ଜନମତ ଆମ ସପକ୍ଷରେ ସ୍ପଷ୍ଟ କହିଲା ବିଜେଡି: ଅନ୍ୟପକ୍ଷରେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, "କେବଳ ଏବେ ନୁହେଁ, ଆଗରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଥିଲା, ସମସ୍ତ ସାଂସଦ ଓ ବିଧାୟକ ମାନେ ଲୋକଙ୍କ ସହିତ ସିଧାସଳଖ ସମ୍ପର୍କରେ ରହିବେ । ସ୍ବାଭାବିକ ଭାବେ ନିର୍ବାଚନ ବେଳେ ଅଧିକ ଯୋଗାଯୋଗରେ ରହିବାକୁ ପଡେ । ନିର୍ବାଚନ ଯେଉଁ ସମୟରେ ହେଉ ବିଜୁ ଜନତା ଦଳର କାର୍ଯ୍ୟକ୍ରମ ରହିଛି, ତାହାକୁ ନେଇ ଆମେ ଲୋକଙ୍କ ନିକଟତର ହୋଇ ରହିଛୁ । ନିର୍ବାଚନ ଫଳାଫଳ କଣ ହେବାକୁ ଯାଉଛି ସେନେଇ ଲୋକମତ ସ୍ପଷ୍ଟ ଅଛି । ଏହି ପ୍ରକ୍ରିୟା ଏବେ ନୁହେଁ, କ୍ରମାଗତ ଭାବେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ହେଉଛି । ନବୀନ ପଟ୍ଟନାୟକଙ୍କ ଶାସନର ସୁଫଳ ଲୋକଙ୍କୁ ମିଳୁଛି । ମଧୁବାବୁ ପେନ୍‌ସନ୍‌ ଯୋଜନାର ସୁଫଳ ସିଧାସଳଖ ସାଢ଼େ ୪ ଲକ୍ଷ ଲୋକ ପାଇବାକୁ ଯାଉଛନ୍ତି । ଏହି କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବା ମୁଖ୍ୟ କାର୍ଯ୍ୟ ହୋଇଛି । ଗରିବ ଓ ସାଧାରଣ ଲୋକ କିପରି ଉପକୃତ ହେବେ ତାହା ବିଜେଡିର ଫୋକସ୍‌ । ବିଜେଡି ଫୋକସ୍‌କୁ ନେଇ ଆମେ ଲୋକଙ୍କ ପାଖକୁ ଯାଉଛୁ ।"

'କେନ୍ଦ୍ରରେ ବିଜେପି, ରାଜ୍ୟରେ ବିଜେଡି ଆଗରେ': ସେହିଭଳି ବରିଷ୍ଠ ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି, "ରାଜ୍ୟରେ କଂଗ୍ରେସ ଏବଂ ବିଜେପି ତୁଳନାରେ ବିଜେଡି ଢେର ଆଗରେ ଅଛି । ବିଭିନ୍ନ ଯୋଜନା ସମ୍ପର୍କରେ ଘୋଷଣା କରି ବିଜେଡି ଲୋକଙ୍କ ନିକଟତର ହୋଇସାରିଛି । ସେହି ତୁଳନାରେ ବିଜେପି ଓ କଂଗ୍ରେସ ତୃଣମୂଳସ୍ତରରେ କାର୍ଯ୍ୟକ୍ରମ ଆରମ୍ଭ କରିନାହାନ୍ତି । ସେହିପରି କେନ୍ଦ୍ରରେ ଇଣ୍ଡିଆ ମେଣ୍ଟ ନୂଆ ନୂଆ ଆରମ୍ଭ ହୋଇଛି । ଏହାର ନୀତି ନିର୍ଦ୍ଧାରଣ କରିବାକୁ ସମୟ ଲାଗିବ । ସେତେବେଳକୁ ନିର୍ବାଚନ ପାଖେଇ ସାରିଥିବ ।" ତେଣୁ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ ଯଦି ନିର୍ବାଚନ ହୁଏ, କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର ଗଢିବ ଏବଂ ରାଜ୍ୟରେ ବିଜେଡି ସରକାର ଗଢିବ ବୋଲି ଆକଳନ କରିଛନ୍ତି ରାଜନୀତି ସମୀକ୍ଷକ ।

ଏହା ମଧ୍ୟ ପଢ଼ନ୍ତୁ...Early Election Speculation: ଆଗୁଆ ନିର୍ବାଚନ ଚର୍ଚ୍ଚାକୁ ନେଇ ବିଜେଡି-ବିଜେପି କଥା କଟାକଟି

କିଏ ଜିଣିବ ଲୋକଙ୍କ ମନ: ଦୁଇ ପ୍ରମୁଖ ବିରୋଧୀ ଦଳଙ୍କ ଦାବି, ରାଜ୍ୟରେ ସେମାନେ ସରକାର ଗଢିବେ ଏବଂ କେନ୍ଦ୍ରରେ ମଧ୍ୟ ସରକାର ଗଢିବେ । ବାସ୍ତବିକ ତୃଣମୂଳସ୍ତରେ ବିଜେପି ଓ କଂଗ୍ରେସ କେତେ ପ୍ରସ୍ତୁତ ଅଛନ୍ତି, ତାହା ନିର୍ବାଚନ ଆସିଲେ ଜଣାପଡିବ । କିନ୍ତୁ ଲୋକଭିମୁଖୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇ ବିଜେଡି ନିର୍ବାଚନୀ ବୈତରଣୀ ପାର ହେବାକୁ ରଣନୀତି ପ୍ରସ୍ତୁତ କରିସାରିଛି, ଏଥିରେ ଦ୍ବିମତ ନାହିଁ । ଏବେ ଅପେକ୍ଷା ନିର୍ବାଚନୀ ତାରିଖ ଘୋଷଣାକୁ । କିଏ ଲୋକଙ୍କ ପାଖରେ ପହଞ୍ଚିପାରୁଛି ଓ ଲୋକଙ୍କ ମନ ଜିତି ପାରୁଛି ତାହା ଉପରେ ରାଜ୍ୟ ତଥା ଦେଶବାସୀଙ୍କ ନଜର ଅଟକି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.