ETV Bharat / state

ପିସିସି ସଭାପତିଙ୍କ ସୂଚନା; ୧୮ରେ ରାଜ୍ୟର ସମସ୍ତ ବ୍ଲକ ଘେରିବ କଂଗ୍ରେସ

author img

By

Published : Aug 16, 2023, 3:50 PM IST

Updated : Aug 16, 2023, 10:47 PM IST

୯ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ଆସନ୍ତା ୧୮ରେ ୩୧୪ ବ୍ଲକ ଘେରିବ କଂଗ୍ରେସ । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଅଧିକ ପଢନ୍ତୁ

୧୮ରେ ରାଜ୍ୟର ସମସ୍ତ ବ୍ଲକ ଘେରିବ କଂଗ୍ରେସ
୧୮ରେ ରାଜ୍ୟର ସମସ୍ତ ବ୍ଲକ ଘେରିବ କଂଗ୍ରେସ

୧୮ରେ ରାଜ୍ୟର ସମସ୍ତ ବ୍ଲକ ଘେରିବ କଂଗ୍ରେସ

ଭୁବନେଶ୍ବର: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଆନ୍ଦୋଳନ ପାଇଁ ସଜବାଜ ହେଉଛି କଂଗ୍ରେସ । ଆସନ୍ତା ୧୮ ତରିଖରେ ପିସି କାରବାର, ନିଯୁକ୍ତି ଓ ବିଦ୍ୟୁତ କାଟ ବନ୍ଦ ସମେତ ୯ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ରାଜ୍ୟର ସମସ୍ତ ୩୧୪ ବ୍ଲକ ସମ୍ମୁଖରେ ଆନ୍ଦୋଳନ ନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ସାମ୍ବାଦିକ ସମ୍ମିଳନୀ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଂଗ୍ରେସ ଟାର୍ଗେଟ କରିଛି । ସାରା ରାଜ୍ୟରେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ କଂଗ୍ରେସ ସଜବାଜ ଆରମ୍ଭ କରିଛି । ସରକାରଙ୍କ ବିଫଳତା ଅଭିଯୋଗର ଫର୍ଦ୍ଦ, ଭ୍ରଷ୍ଟାଚାରର ଅଭିଯୋଗ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ରାଜ୍ୟର ସମସ୍ତ ୩୧୪ ବ୍ଲକରେ ବିଡିଓଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବ । ସରକାର ପ୍ରତିଶ୍ରୃତି ଦେଇନାହାନ୍ତି ଯେ ଓଡ଼ିଶାବାସୀଙ୍କ ସହ ଉପହାସ କରିଛନ୍ତି ବୋଲି କହି ଭୁବନେଶ୍ୱର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ।

ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି କହିଛନ୍ତି, ''ରାଜ୍ୟ ସରକାରଙ୍କ ବିଫଳତାର ଲମ୍ବା ତାଲିକା ଧରି ବିକ୍ଷୋଭ ସ୍ୱରକୁ ଶାଣିତ କରିବ କଂଗ୍ରେସ । ବ୍ଲକ ଘେରାଓ ଆନ୍ଦୋଳନ ହେବ । ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାରେ ଶାସନ କରି ଆସୁଛି ବିଜେଡି ସରକାର, ହେଲେ ଆଖିଦୃଶିଆ କାର୍ଯ୍ୟ କରିନାହିଁ । ଯୋଜନା ପରେ ଯୋଜନା ଆଣୁଛି ଏ ସରକାର । ନିର୍ବାଚନ ସରିଲେ ଯୋଜନା ସରିଲା । ଅଗଷ୍ଟ ୧୮ରେ ରାଜ୍ୟବ୍ୟାପୀ ସମସ୍ତ ୩୧୪ ବ୍ଲକ୍ ଘେରାଓ କରିବ ଦଳ । ୯ ଦଫା ଦାବି ନେଇ ଗର୍ଜିବ କଂଗ୍ରେସ । ପିସି କାରବାର, ନିଯୁକ୍ତି ଓ ବିଦ୍ୟୁତ କାଟ ନାଁରେ ୧୫ ହଜାରରୁ ଊର୍ଦ୍ଧ୍ବ କୋଟି ଆତ୍ମସାତ କରି ଏବେ ସଫେଇ ଦେଉଛି ବିଜେଡି । ଯଦି ତାଙ୍କ କଥା ସତ୍ୟ ତେବେ ଶ୍ଵେତପତ୍ର ରାଜ୍ୟବାସୀଙ୍କ ଆଗରେ ରଖିବା ସହ ପାୱାର କଟ୍‌ ବନ୍ଦ କରି ଦେଖାଉ ନବୀନ ସରକାର । ବିଲ ନାଁରେ ହିତାଧିକାରୀଙ୍କୁ ଶୋଷଣ କରିବା ବନ୍ଦ କରୁ ଏ ସରକାର।"

ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପିସିସି ସଭାପତି କହିଛନ୍ତି, "ରାଜ୍ୟରେ ୨ ଲକ୍ଷରୁ ଊର୍ଦ୍ଧ୍ବ ପଦବୀରେ ଚାକିରି ଖାଲି ପଡ଼ିଛି । ବେକାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେଉ ସରକାର । ଚାଷୀ ମାରଣା ନୀତି ବନ୍ଦ କରୁ । କଟନି ଛଟନି କରି ଆଉ ଚାଷୀଙ୍କୁ ନମାରୁ ଏ ସରକାର । ଦରଦାମ ବୃଦ୍ଧି ଆଜି ସମସ୍ତଙ୍କ ମୁଣ୍ଡରେ ବୋଝ ହୋଇପଡିଛି । ହାଣ୍ଡିଶାଳରେ ଚଡକ ପଡିଛି । ନାରୀ ସଶକ୍ତିକରଣ କଥା କହି ମହିଳାଙ୍କୁ ସମ୍ମାନ କଥାରେ ମଣିପୁର ଘଟଣାକୁ ଭୁଲି ଯାଇଛି ।"

ଏହା ବି ପଢନ୍ତୁ...ବଦଳିବ କଂଗ୍ରେସ ଦୃଶ୍ୟପଟ, ଆରମ୍ଭ ହେବ ପରିବର୍ତ୍ତନ ପଦଯାତ୍ରା

ଏହା ବି ପଢନ୍ତୁ...2024 Election: ରାଜ୍ୟରେ ମୁଣ୍ଡ ଟେକିବ କଂଗ୍ରେସ, ଦଳକୁ ଫେରିବେ ପୁରୁଖା ନେତା !

ସେ ଆହୁରି କହିଛନ୍ତି, "ଜନସାଧାରଣଙ୍କ ନାର୍ଯ୍ୟଦାବି ପାଇଁ ରାଜରାସ୍ତାରେ ଲଢେଇ କରିବ କଂଗ୍ରେସ ଦଳ । ଜିଲ୍ଲାର ସମସ୍ତ ବ୍ଲକରେ କଂଗ୍ରେସ ପକ୍ଷରୁ BDOଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଦାବି ପତ୍ର ମଧ୍ୟ ପ୍ରଦାନ କରାଯିବ । କଂଗ୍ରେସ ସମୟରେ ହିଁ ଓଡ଼ିଶାରେ ଜଳସେଚନ ହୋଇପାରିଛି । ନବୀନ ପଟ୍ଟନାୟକଙ୍କ ସରକାର ବାହସ୍ପଟ ମାରିଲେ, ହେଲେ ଜଳସେଚନ ପ୍ରକଳ୍ପ କୁଆଡେ ଗଲା ଉତ୍ତର ରଖନ୍ତୁ ମୁଖ୍ୟମନ୍ତ୍ରୀ । ସରକାର କହୁଛନ୍ତି ଓଡ଼ିଶା ବିଦ୍ୟୁତ୍ ବଳକା ରାଜ୍ୟ । ହେଲେ ରାଜ୍ୟବାସୀ ଆଜି ବି ପାୱାର କଟ୍‌ର ସମ୍ମୁଖୀନ ହେଉଛନ୍ତି । ଖାଲି ଭୁଆଁ ବୁଲାଇଛନ୍ତି । ଜନ୍ମ ହେଲା ଛୁଆ ମୁଣ୍ଡରେ ରାଜ୍ୟ ସରକାର ଏବେ ୨୩ ହଜାରରୁ ଊର୍ଦ୍ଧ୍ଵ ଟଙ୍କାର ଋଣ ବୋଝ ଲଦିଛନ୍ତି । ଏ ଘେରାଓ କଂଗ୍ରେସର ନୁହେଁ, ଏହା ଜନତାଙ୍କ ଘେରାଓ । ଆଗକୁ ଅଧିକ ସକ୍ରିୟ ହେବ କଂଗ୍ରେସ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ଆୟୁଧ କରି ଗାଁ ଗାଁକୁ ଯିବ ଦଳ । ଲୋକଙ୍କ ପାଖରେ ଜନ ସଚେତନତା ସୃଷ୍ଟି କରିବ । କଂଗ୍ରେସକୁ ଅଧିକ କ୍ରିୟାଶୀଳ କରି ଭୋଟରଙ୍କ ବିଶ୍ୱାସଭାଜନ ହେବାକୁ ଲକ୍ଷ୍ୟ ରଖିଛି ଦଳ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated :Aug 16, 2023, 10:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.