ETV Bharat / state

ମଣ୍ଡି ସମସ୍ୟା ନେଇ ପୁଣି ଗର୍ଜିଲା କିଷାନ କଂଗ୍ରେସ, କ୍ବିଣ୍ଟାଲ ପିଛା ୬ଶହ ଟଙ୍କା ବୋନସ ଦାବି

author img

By ETV Bharat Odisha Team

Published : Dec 24, 2023, 6:36 PM IST

Odisha Kisan Congress Press Meet
Odisha Kisan Congress Press Meet

Irregularities in paddy procurement: ଧାନ ମଣ୍ଡି ସମସ୍ୟା ନେଇ ପୁଣି ଗର୍ଜିଲା କିଷାନ କଂଗ୍ରେସ । ଏମ୍‌ଏସ୍‌ପି ବୃଦ୍ଧି ଓ ପ୍ରତି କ୍ବିଣ୍ଟାଲରେ ୬ ଶହ ଟଙ୍କା ବୋନସ ଦେବାକୁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ଓଡ଼ିଶା କିଷାନ କଂଗ୍ରେସ ଅଧ୍ଯକ୍ଷ ଅମୀୟ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

Odisha Kisan Congress Press Meet

ଭୁବନେଶ୍ବର: ଧାନ କିଣାରେ ବ୍ୟାପକ ଦୁର୍ନୀତି, ଟୋକନ, ଟାର୍ଗେଟ୍‌ ଓ ମଣ୍ଡି ସମସ୍ୟାରେ ଘୋର ଅବ୍ୟବସ୍ଥା ନେଇ ପୁଣି ବର୍ଷିଛି କଂଗ୍ରେସ । ଏମ୍‌ଏସ୍‌ପି ବୃଦ୍ଧି ଓ ପ୍ରତି କ୍ବିଣ୍ଟାଲ୍‌ରେ ୬ ଶହ ଟଙ୍କା ବୋନସ୍‌ ଦେବାକୁ ଆଜି ଭୁବନେଶ୍ବର କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି କିଷାନ କଂଗ୍ରେସ । ବହୁବାର ଦାବି ସତ୍ତ୍ଵେ ଆଜି ପର୍ଯ୍ୟନ୍ତ ସ୍ଵାମୀନାଥନ କମିଟି ସୁପାରିଶ ଅନୁଯାୟୀ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରାଗଲା ନାହିଁ ଓ ଏମ୍‌ଏସ୍‌ପିର ଆଇନଗତ ଗ୍ୟାରେଣ୍ଟି ମିଳିଲା ନାହିଁ । ଫଳରେ ଚାଷୀ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି ବୋଲି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

ବର୍ତ୍ତମାନ ରାଜ୍ୟରେ ଯେଉଁ ଧାନ ମଣ୍ଡିଗୁଡ଼ିକ ଖୋଲାଯାଉଛି, ସେଠାରେ ବ୍ୟାପକ ଦୁର୍ନୀତି ଓ ଚାଷୀଙ୍କୁ ଶୋଷଣ କରାଯିବା ସହ ମଣ୍ଡି ଅବ୍ୟବସ୍ଥା, ଟୋକନ ସମସ୍ୟା ଓ ଅଭାବୀ ବିକ୍ରି ଚାଷୀଙ୍କ ପାଇଁ କାଳ ହୋଇଛି । ସରକାର ଧାନ କିଣିବା ପରିବର୍ତ୍ତେ ମିଲର ଧାନ କିଣୁଛନ୍ତି । ଫଳରେ ଚାଷୀ ତା'ର ହକ୍ ପାଉନାହିଁ । ମଝିରେ ବହୁ ଅବ୍ୟବସ୍ଥା ହେଉଛି । ଫଳରେ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଏଣୁ ଏହି ସମସ୍ୟାର ତଥ୍ୟ ଅନୁସନ୍ଧାନ କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରଦେଶ ବିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ କିଷାନ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ଗସ୍ତକରି ମଣ୍ଡିରେ ଚାଷୀ ଓ ପ୍ରଶାସନ ସହିତ ଆଲୋଚନା କରି ଫେରିଛନ୍ତି ।

ଏହାପରେ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ କହିଛନ୍ତି, "ସରକାର ଚାଷୀଙ୍କ ସମସ୍ତ ବଳକା ଧାନ ନିର୍ଦ୍ଧାରୀତ ସମୟ ଓ ସର୍ବନିମ୍ନ ସହାୟକ ମୂଲ୍ୟରେ ୨୦୨୩ ଖରିଫ୍‌ ଧାନ ସଂଗ୍ରହ କରିବା ପାଇଁ ଚାଷୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଫଳ ଓଲଟା । ଧାନ ଅମଳର ଠିକ୍‌ ସମୟରେ ମଣ୍ଡି ଖୋଲାଯାଉ ନାହିଁ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ୧୫ ପ୍ରତିଶତରୁ ଅଧିକ ଧାନ ଚାଷୀ ଅଣ୍ଡର ରେଟ୍‌ରେ ବିକିବା ପରେ ମଣ୍ଡି ଖୋଲାଯାଉଛି । ଲଘୁଚାପ ଜନିତ ବର୍ଷାରେ ଧାନ ଫସଲ ବହୁଳ ଭାବରେ ପ୍ରଭାବିତ ହୋଇଛି । ଧାନ ବେରଙ୍ଗୀ ହେବାଦ୍ବାରା ଏହି ଧାନକୁ କିଣିବା ପାଇଁ ମିଲର ବିଭିନ୍ନ ଆଳ ଦେଖାଉଛନ୍ତି । ଧାନ କିଣାରେ ୨ରୁ ୫ କିଲୋ ପର୍ଯ୍ୟନ୍ତ କଟନିଛଟନୀ ଚାଲିଛି । ବିଭିନ୍ନ ମଣ୍ଡିରେ ୧ ମାସରୁ ଅଧିକ ସମୟ ହେଲା ଧାନ ପଡ଼ି ରହିଥିବା ବେଳେ ମିଲରମାନେ ଧାନ ଉଠାଉ ନାହାନ୍ତି । ନିର୍ଦ୍ଧାରିତ ସମୟରେ ଚାଷୀ ଧାନ ବିକିବା ପାଇଁ ଟୋକନ ପାଇନାହିଁ । ଏହାଦ୍ଵାରା ମିଲର ମାଲାମାଲ ହେଉଥିବା ବେଳେ ଚାଷୀ ୧୦୦୦-୧୨୦୦ ଟଙ୍କାରେ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଧାନମଣ୍ଡିରୁ ଧାନ ଚୋରି

ସେହିପରି ସେ କହିଛନ୍ତି, "ଅନେକ ମଣ୍ଡିରେ ମଧ୍ୟ ସିସିଟିଭି କ୍ୟାମେରା ଲାଗିନାହିଁ । ଚାଷୀମାନଙ୍କ ବସିବା, ବିଶ୍ରାମ ନେବା ଓ ପାନୀୟଜଳର ସୁବିଧା ପାଇଁ ବ୍ୟବସ୍ଥା ନାହିଁ । ମଣ୍ଡିରୁ ଧାନ ଉଠାଇବା କେବଳ ମିଲରର କାମ । କିନ୍ତୁ ମିଲର ସରକାରଙ୍କ ଦଣ୍ଡିଆ ସାଜି ଚାଷୀଙ୍କଠାରୁ ମଣ୍ଡିରୁ ସିଧାସଳଖ ଧାନ କିଣୁଛନ୍ତି । ଚାଷୀଙ୍କୁ ପ୍ରତି କ୍ରିଷ୍ଟାଲରେ ୫୧୭ ଟଙ୍କା କ୍ଷତି ସହିବାକୁ ପଡୁଛି । ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଧାନ କିଣାରେ ଚାଷୀଙ୍କୁ କ୍ବିଣ୍ଟାଲ ପିଛା ଅତିକମରେ ୬ ଶହ ଟଙ୍କା ଲେଖାଏଁ ବୋନସ୍ ଦେବା ଆବଶ୍ୟକ । ଅସାଧୁ ମିଲର ଓ ପ୍ରଶାସନିକ କର୍ମଚାରୀଙ୍କ ପ୍ରତି ସରକାରଙ୍କର ରୋକ୍ ନଥିବାରୁ ବହୁ ସ୍ଥାନରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ହେଉଛି । ପ୍ରତି ବ୍ଲକସ୍ତରରେ ମଣ୍ଡି ଜଗିବା ପାଇଁ ଏକ ସ୍ଵତନ୍ତ୍ର ସ୍କ୍ବାର୍ଡ ଗଠନ କରାଯିବା ଅତ୍ୟନ୍ତ ଜରୁରୀ ।"

ଏହା ମଧ୍ୟ ପଢ଼ନ୍ତୁ...ଧାନ ସଂଗ୍ରହ ଆରମ୍ଭରୁ ମୁଣ୍ଡରେ ବାଜିଲାଣି ଚାଳ, କଟନୀ ଛଟନୀ ଅଭିଯୋଗ

ଧାନ ବିକାରେ ସରକାରଙ୍କ ସ୍ଵଚ୍ଛତା କେବଳ ପ୍ରଚାର ପ୍ରସାରରେ ସୀମାବଦ୍ଧ ରହିଛି ବୋଲି କଂଗ୍ରେସ କହିଛି । ଏହି ମର୍ମରେ କିଷାନ କଂଗ୍ରେସ ଅଧ୍ୟକ୍ଷ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହିତ ସବିଶେଷ ଆଲୋଚନା କ୍ରମେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏକ ଦାବିପତ୍ର ପଠାଇଛନ୍ତି । ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗୀୟ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବଙ୍କ ସହିତ ଆଲୋଚନା କରି ତୁରନ୍ତ ଏହି ସବୁ ସମସ୍ୟାଗୁଡ଼ିକର ସମାଧାନ କରିବାକୁ ଦାବି କରାଯାଇଛି । ଯଦି ଏହି ସମସ୍ୟାଗୁଡ଼ିକର ସମାଧାନ କରା ନଯାଏ, ପ୍ରତି ମଣ୍ଡିରେ ବିଷାନ କଂଗ୍ରେସ ପକ୍ଷରୁ ସରକାରଙ୍କ ବିରୋଧରେ ପ୍ରତିବାଦ କରାଯିବ ବୋଲି ଅମୀୟ ପଟ୍ଟନାୟକ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.