ETV Bharat / state

ନୂତନ ମୃତ୍ତିକା ନମୁନା ସଂଗ୍ରହ ଆପ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କ ଦାବି

author img

By

Published : Jun 9, 2023, 8:15 AM IST

ନୂତନ ମୃତ୍ତିକା ନମୁନା ସଂଗ୍ରହ ଆପ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କ ଦାବି
ନୂତନ ମୃତ୍ତିକା ନମୁନା ସଂଗ୍ରହ ଆପ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କ ଦାବି

୨୦୨୨-୨୩ ମସିହାରୁ ରାଜ୍ୟରେ ଗ୍ରୀଡ଼ ବ୍ୟବସ୍ଥାରେ ଚାଷୀମାନଙ୍କ କ୍ଷେତରୁ ମୃତ୍ତିକା ନମୁନା ସଂଗ୍ରହ ଏବଂ ପରୀକ୍ଷଣ କରି ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ପ୍ରଦାନ କରାଯାଇ ଆସୁଥିଲା । ଏଥି ପାଇଁ ପ୍ରସ୍ତୁତ ହୋଇଛି ଏକ ତିନିବର୍ଷିଆ ଯୋଜନା । ରାଜ୍ୟର ପ୍ରାୟ ୧୩ ଲକ୍ଷ ୫୭ ହଜାର ଗ୍ରୀଡ଼ ବ୍ୟବସ୍ଥା କରାଯାଇ ଅଧିକରୁ ଅଧିକ ଚାଷୀ ଓ ଚାଷଜମି ଜୋତକୁ ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ମୃତ୍ତିକା ସଂଗ୍ରହ, ପରୀକ୍ଷଣ ଓ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ସୁବିଧାରେ ଓ ସମୟ ମୁତାବକ ଯୋଗାଇଦେବା ନିମନ୍ତେ ଭାରତ ସରକାରଙ୍କ ଦ୍ବାରା ପ୍ରଚଳନ ହେଉଛି ନବୀକୃତ ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ପୋର୍ଟାଲ । ନବୀକୃତ ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ପୋର୍ଟାଲର ଆବଶ୍ୟକ ସଂଶୋଧନ ଆବଶ୍ୟକତା ରହିଛି । ଏହାକୁ ତୁରନ୍ତ ସଂଶୋଧନ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହି ମର୍ମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଚିଠି ଲେଖିଛନ୍ତି । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ସେ ଚିଠି ଲେଖିଛନ୍ତି । ରାଜ୍ୟର ଚାଷୀମାନଙ୍କ ହିତ ଦୃଷ୍ଟିରୁ ନୂତନ ଆପରେ ପୂର୍ବଧାରା ଅନୁସାରେ ଗୋଟିଏ ଗ୍ରୀଡ଼ର ନମୁନାରେ ଏକାଧିକ କୃଷକଙ୍କୁ ପଞ୍ଜିକରଣ କରିବାର ସୁବିଧା ଯୋଗାଇ ଦେବା ପାଇଁ ସେ ଅନୁରୋଧ କରିଛନ୍ତି ।

ଚାଷ କାର୍ଯ୍ୟ ନିମନ୍ତେ ମୃତ୍ତିକାର ସ୍ବାସ୍ଥ୍ୟ ଓ ଗୁଣବତ୍ତା ବଜାୟ ରଖିବା ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ୨୦୨୨-୨୩ ମସିହାରୁ ରାଜ୍ୟରେ ଗ୍ରୀଡ଼ ବ୍ୟବସ୍ଥାରେ ଚାଷୀମାନଙ୍କ କ୍ଷେତରୁ ମୃତ୍ତିକା ନମୁନା ସଂଗ୍ରହ ଏବଂ ପରୀକ୍ଷଣ କରି ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ପ୍ରଦାନ କରାଯାଇ ଆସୁଥିଲା । ଏଥିପାଇଁ ପ୍ରସ୍ତୁତ ହୋଇଛି ଏକ ତିନିବର୍ଷିଆ ଯୋଜନା । ରାଜ୍ୟର ପ୍ରାୟ ୧୩ ଲକ୍ଷ ୫୭ ହଜାର ଗ୍ରୀଡ଼ ବ୍ୟବସ୍ଥା କରାଯାଇ ଅଧିକରୁ ଅଧିକ ଚାଷୀ ଓ ଚାଷଜମି ଜୋତକୁ ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ଯୋଗାଇଦେବାର ଲକ୍ଷ୍ୟ ରଖାଯାଇଛି । ଉଭୟ ଜଳସେଚିତ ଓ ଅଣଜଳସେଚିତ ଜମି ପାଇଁ ଗ୍ରୀଡ଼ ପିଛା ଯଥାକ୍ରମେ ୨.୫ ହେକ୍ଟର ଓ ୧୦ ହେକ୍ଟର ବ୍ୟବସ୍ଥିତ କରାଯାଇଛି । ସେଥିରୁ ସଂମିଶ୍ରିତ ନମୁନା ମୃତ୍ତିକା ସଂଗ୍ରହ ଓ ପରୀକ୍ଷଣ କରାଯାଇ ଚାଷୀମାନଙ୍କୁ ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ଯୋଗାଇ ଦେବାକୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି ।

ଏହି ଗ୍ରୀଡ ବ୍ୟବସ୍ଥାରେ ଗୋଟିଏ ସଂଗୃହୀତ ମାଟି ନମୁନା ମାର୍ଫତରେ ଏକାଧିକ ଚାଷୀଙ୍କ ନାମ ପଞ୍ଜିକରଣ କରିବାର ବ୍ୟବସ୍ଥା ଥିଲା । କାରଣ ଗୋଟିଏ ଗ୍ରୀଡରେ ଏକରୁ ଅଧିକ ଚାଷୀମାନଙ୍କର ଜୋତ ସଂଖ୍ୟା ରହୁଥିଲା । ଉକ୍ତ ଗ୍ରୀଡରୁ ସଂଗୃହୀତ ସମ୍ମିଶ୍ରିତ ମୃତ୍ତିକା ନମୁନାରେ ଏକାଧିକ ଚାଷୀଙ୍କ ଚାଷ ଜୋତ ରହୁଥିଲା । କିନ୍ତୁ ଗତ ଡିସେମ୍ବର ୨୦୨୨ରେ କେନ୍ଦ୍ର ସରକାର ସେହି ପୋର୍ଟାଲଟିକୁ ବନ୍ଦ କରିଦେଇଛନ୍ତି । ମାର୍ଚ୍ଚ ୨୦୨୩ ମସିହାରେ ଏକ ରୂପାନ୍ତରିତ ପୋର୍ଟାଲର ପ୍ରଚଳନ କରିଛନ୍ତି । ନୂତନ ଆପରେ ଗୋଟିଏ ଗ୍ରୀଡରୁ ସଂଗୃହୀତ ସମ୍ମିଶ୍ରିତ ନମୁନା ମୃତ୍ତିକା ଅଧିନରେ ଏକାଧିକ ଚାଷୀଙ୍କ ନାମ ପଞ୍ଜିକରଣର ସୁବିଧା ନାହିଁ । ଫଳରେ ମୃତ୍ତିକା ସ୍ବାସ୍ଥ୍ୟକାର୍ଡ ପ୍ରସ୍ତୁତ କରି ଚାଷୀମାନଙ୍କୁ ଯୋଗାଇଦେବା ସମ୍ଭବପର ହୋଇପାରୁ ନାହିଁ ।

ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଆପତ୍ତି କରାଯାଇଥିଲା । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବଙ୍କୁ ଗତ ମେ ୧୧ ତାରିଖରେ ସେ ଚିଠି ଲେଖିଥିଲେ । ନୂତନ ପ୍ରଚଳନ କରାଯାଇଥିବା ମୃତ୍ତିକା ନମୁନା ସଂଗ୍ରହ ଆପରେ ଗୋଟିଏ ଗ୍ରୀଡ ମାଟି ନମୁନାରେ ଏକାଧିକ ଚାଷୀଙ୍କୁ ତାଲିକା ଭୁକ୍ତ କରିବାର ସୁବିଧା ଯୋଗାଇଦେବା ପାଇଁ ଅନୁରୋଧ କରିଥିଲେ ।

ଅଦ୍ୟାବଧି ଏହି ବିଷୟରେ କେନ୍ଦ୍ର ସରକାରଙ୍କଠାରୁ କୌଣସି ବିଧିବଦ୍ଧ ଉତ୍ତର ଆସିନାହିଁ । ରାଜ୍ୟରେ ମେ ମାସରୁ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ମୃତ୍ତିକା ନମୁନା ସଂଗ୍ରହ ପାଇଁ ସର୍ବୋଚ୍ଚ ସମୟ ଭାବରେ ବିବେଚନା କରାଯାଏ । ମୌସୁମୀର ଆଗମନ ଦ୍ବାରା ମୃତ୍ତିକା ନମୁନା ସଂଗ୍ରହ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାରୁ ଏ ଦିଗରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ପୋର୍ଟାଲ ଓ ମୃତ୍ତିକା ସଂଗ୍ରହ ଆପରେ ଆବଶ୍ୟକ ସଂଶୋଧନ କରିବା ପାଇଁ ମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.