ETV Bharat / state

Railway Budget: ସର୍ବକାଳୀନ ସର୍ବାଧିକ ଅନୁଦାନ, ରେଲଓ୍ୱେ ବଜେଟରେ ଓଡିଶାକୁ 10012 କୋଟି

author img

By

Published : Feb 3, 2023, 5:52 PM IST

Updated : Feb 3, 2023, 8:16 PM IST

ରେଳ ବଜେଟରେ ଓଡ଼ିଶାକୁ ମିଳିଛି ସର୍ବକାଳୀନ ସର୍ବାଧିକ ଅନୁଦାନ
ରେଳ ବଜେଟରେ ଓଡ଼ିଶାକୁ ମିଳିଛି ସର୍ବକାଳୀନ ସର୍ବାଧିକ ଅନୁଦାନ

ରେଳ ବଜେଟରେ ଓଡ଼ିଶା ସରକାରଙ୍କ ଦାବି ଠାରୁ ଅଧିକା ଅନୁଦାନ ଦିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ରାଜ୍ୟ ସରକାର ଏଥର ରେଳ ବଜେଟରେ ୮ ହଜାର ୪୦୦ କୋଟି ଟଙ୍କା ମାଗିଥିବା ବେଳେ କେନ୍ଦ୍ର ସରକାର ୧୦ ହଜାର ୧୨ କୋଟି ଟଙ୍କା ଅନୁଦାନ ଦେଇଥିବା ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ।

Railway Budget

ଭୁବନେଶ୍ବର: ରେଳ ବଜେଟରେ ଓଡ଼ିଶାକୁ ଅନୁଦାନ ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦେଲେ ବଡ଼ ସୂଚନା । ଓଡ଼ିଶା ସରକାରଙ୍କ ଦାବି ଠାରୁ ଅଧିକା ଅନୁଦାନ ଦିଆଯାଇଥିବା ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ । ରାଜ୍ୟ ସରକାର ଏଥର ରେଳ ବଜେଟରେ ୮ ହଜାର ୪୦୦ କୋଟି ଟଙ୍କା ମାଗିଥିବା ବେଳେ କେନ୍ଦ୍ର ସରକାର ୧୦ ହଜାର ୧୨ କୋଟି ଟଙ୍କା ଅନୁଦାନ ଦେଇଥିବା ସୂଚନା ଦେଇଛନ୍ତି ରେଳମନ୍ତ୍ରୀ । ନୂଆ ଲାଇନ ପାଇଁ ୨ ହଜାର ୫୬୪ କୋଟି, ଡବଲିଂ ପାଇଁ ୩ ହଜାର ୮୦୦ କୋଟି ଦେଇଛନ୍ତି କେନ୍ଦ୍ର ସରକାର । ଚଳିତ ବର୍ଷ ୨୮୦ କିମି ରେଳପଥ ନିର୍ମାଣ କରାଯିବ ଓ ୫୭ଟି ଷ୍ଟେସନର ଆଧୁନିକୀକରଣ କରାଯିବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ।

ଏଥର ବଜେଟରେ ରେଳ ପାଇଁ ଓଡ଼ିଶାକୁ ମିଳିଲା ୧୦ ହଜାର ୧୨ କୋଟି ଟଙ୍କା । ଓଡ଼ିଶା ଯେତିକି ଦାବି କରିଥିଲା ତାର ୧୯ ପ୍ରତିଶତ ଅଧିକ ଦିଆଯାଇଛି ବୋଲି କହିଛନ୍ତି ରେଳ ମନ୍ତ୍ରୀ ଆଶ୍ବିନୀ ବୈଷ୍ଣବ । ୨୦୦୯ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ୨୦ରୁ ୨୫ କିଲୋମିଟର ନୂତନ ରେଳ ଲାଇନ କାମ ହେଉଥିବା ବେଳେ ୨୦୨୨-୨୩ ମସିହା ମଧ୍ୟରେ ୨୮୦ କିଲୋମିଟର ନୂତନ ରେଳପଥ କାର୍ଯ୍ୟକାରୀ ହୋଇଛି ବୋଲି ସେ କହିଛନ୍ତି । ତେବେ ରାଜ୍ୟ ସରକାର ୮ ହଜାର ୪୦୦ କୋଟି ଟଙ୍କା ମାଗିଥିଲେ । ଲୋକସଭାର ବଜେଟ ଆଗତ ହେବାର ୨ ଦିନ ପରେ ରେଳର ବିକାଶ ନିମନ୍ତେ ଓଡ଼ିଶାକୁ ୧୦ ହଜାର ୧୨ କୋଟି ଟଙ୍କା ମିଳିଛି । ଯାହା ଗତ ବର୍ଷ ୯ ହଜାର କୋଟି ଟଙ୍କା ଥିଲା ।

ରାଜ୍ୟରେ ୩୪ଟି ରେଳ ଷ୍ଟେସନ ପୁନଃ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଥିବା ବେଳେ ଚଳିତ ବର୍ଷ ରାଜ୍ୟରେ ୫୭ଟି ଷ୍ଟେସନର ନବୀକରଣ ଲାଗି ବ୍ୟୟ ବରାଦ କରାଯାଇଛି । ଏହା ମଧ୍ୟରେ ପୁରୀ, ଭୁବନେଶ୍ଵର, କଟକ, ଅନୁଗୋଳ, ସମ୍ବଲପୁର, ଝାରସୁଗୁଡ଼ା, ଭଦ୍ରକ, କେନ୍ଦୁଝର, ବାରିପଦା, ବରଗଡ଼, ବେତନଟି, ବାଲିପାଟଣା, ବ୍ରହ୍ମପୁର, ଯାଜପୁର, ଜଳେଶ୍ଵର, କଣ୍ଟାବାଞ୍ଜି, କେସିଙ୍ଗା, ଖୋର୍ଦ୍ଧା, ଖୋର୍ଦ୍ଧା ରୋଡ଼, କୋରାପୁଟ, ଲିଙ୍ଗରାଜ ଟେମ୍ପୁଲ ରୋଡ, ଭଦ୍ରକ, ମଞ୍ଚେଶ୍ବର, ପାରାଦ୍ବୀପ, ପାରଳାଖେମୁଣ୍ଡି, ରାଇରଙ୍ଗପୁର, ରାୟଗଡ଼ା, ସାକ୍ଷୀଗୋପାଳ ଆଦି ଷ୍ଟେସନରେ ଖୁବ୍‌ଶୀଘ୍ର ନବୀକରଣ କାର୍ଯ୍ୟ କରାଯିବ ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି ।

ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି, "ପୁରୀ ଲାଗି ସ୍ଵତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ଭୁବନେଶ୍ବର ଏୟାରପୋର୍ଟରୁ ଭକ୍ତମାନେ ସିଧାସଳଖ ପୁରୀ ଯିବା ପାଇଁ ହେଲେ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲିଙ୍ଗରାଜ ରୋଡ ଷ୍ଟେସନର ଆଧୁନିକୀକରଣ କାର୍ଯ୍ୟ କରାଯାଉଛି । ଏହାଦ୍ବାରା ଯାତ୍ରୀମାନେ ବିଶ୍ବସ୍ତରୀୟ ଯାତ୍ରାର ଉପଭୋଗ କରିପାରିବେ । ଭୁବନେଶ୍ଵର ବିମାନରୁ ଯାତ୍ରୀମାନେ ଓହ୍ଲାଇବା ମାତ୍ରେ ବ୍ୟାଟେରୀ ଗାଡିରେ ସିଧାସଳଖ ଲିଙ୍ଗରାଜ ରୋଡ ଷ୍ଟେସନ ପହଞ୍ଚି ଟ୍ରେନରେ ପୁରୀ ଯାଇପାରିବେ । ସେହିପରି ୫୦ରୁ ୬୦ କିଲୋମିଟର ପରିଧି ମଧ୍ୟରେ ବନ୍ଦେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବ । ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ବନ୍ଦେ ମେଟ୍ରୋ ଟ୍ରେନ ପାଇଁ ଡିଜାଇନ୍ ପ୍ରସ୍ତୁତ ସରିବ । ଖୁବଶୀଘ୍ର ଆଗାମୀ ବର୍ଷ ଠାରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।" ଲୋକଙ୍କୁ ରେଳର ସମସ୍ତ ସୁବିଧା ଯୋଗାଇଦେବା ଲାଗି ସଂରକ୍ଷିତ ଟିକେଟ ଉପରେ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ।

ସେପଟେ ରେଳମନ୍ତ୍ରୀଙ୍କ ପରେ ପୂର୍ବତଟ ରେଳ ପଥର ମହାପ୍ରବନ୍ଧକ କହିଛନ୍ତି, "ନୂଆ ରେଳ ଲାଇନ ପ୍ରକଳ୍ପ ଲାଗି ଚଳିତ ବର୍ଷ ୨ ହଜାର ୫୬୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ରେଳ ଲାଇନ ଦୋହରିକରଣ ପାଇଁ ୩ ହଜାର ୮୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ବହୁ ପ୍ରତିକ୍ଷିତ ଖୋର୍ଦ୍ଧା- ବଲାଙ୍ଗୀର ରେଳ ଲାଇନ୍ ପାଇଁ ପାଖାପାଖି ୧ ହଜାର ୬୦୦ କୋଟି ବ୍ୟୟ ବରାଦ ହୋଇଛି । ସାରା ଦେଶରେ ଜନଜାତୀୟ ଗୌରବ କରିଡ଼ର ଲାଗି ୭୦ ହଜାର କୋଟି ଓ ଫ୍ରେଟ କରିଡ଼ର ପାଇଁ ୪୫ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଯେଉଁଥିରୁ ଓଡ଼ିଶା ଲାଭ ପାଇବ ।" ଚଳିତ ବର୍ଷ ରାଜ୍ୟରେ ୨୮୦ କିମି ନୂଆ ରେଳ ଲାଇନ ତିଆରି ହୋଇଛି ବୋଲି ପୁନର୍ବାର ସୂଚନା ଦେଇଛନ୍ତି ପୂର୍ବତଟ ରେଳପଥ ମହାପ୍ରବନ୍ଧକ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 3, 2023, 8:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.