ETV Bharat / state

୧୯୯୯ ପରେ ରାଜ୍ୟ ବଡ଼ ବିପତ୍ତିକୁ ସାମ୍ନା କଲା: ମୁଖ୍ୟ ଶାସନ ସଚିବ

author img

By

Published : Jun 5, 2023, 6:42 PM IST

୧୯୯୯ ମହାବାତ୍ୟା ପରେ ରାଜ୍ୟ ବାହାନଗା ଟ୍ରେନ ଦୁର୍ଘଟଣା ଭଳି ବଡ଼ ବିପତ୍ତିକୁ ସାମ୍ନା କଲା ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଅଧିକ ପଢନ୍ତୁ

Etv Bharat
Etv Bharat

୧୯୯୯ ପରେ ରାଜ୍ୟ ବଡ଼ ବିପତ୍ତିକୁ ସାମ୍ନା କଲା

ଭୁବନେଶ୍ବର: ୧୯୯୯ ମସିହା ପରେ ରାଜ୍ୟ ଏତେ ବଡ଼ ବିପତ୍ତିକୁ ସାମ୍ନା କଲା । ବାଲେଶ୍ଵର ରେଳ ଦୁର୍ଘଟଣା ଆମ ପାଇଁ ଏହା ପରୀକ୍ଷାର ବେଳ ଥିଲା । ଲୋକଙ୍କ ସହଯୋଗ ଓ ପ୍ରଶାସନର ତତ୍ପରତା ସଫଳତା ଆଣିଦେଇଛି । ଓଡ଼ିଶାର ଶାସନ ଓ ଓଡ଼ିଶାର ଜନସାଧାରଣ ଯେକୌଣସି ପରିସ୍ଥିତିକୁ ସହଜରେ ମୁକାବିଲା କରିପାରିବେ ବୋଲି ଏହି ବିପର୍ଯ୍ୟୟ ପ୍ରମାଣିତ କରିଛି । ସ୍ଥାନୀୟ ଲୋକଙ୍କ ସହଯୋଗ, ରାଜ୍ୟ ପ୍ରଶାସନ ତତ୍ପରତା ଏବଂ ପାଖାପାଖି ସବୁ ଜିଲ୍ଲାର ଭିତ୍ତିଭୂମିକୁ ବ୍ୟବହାର କରି ଅନେକ ଜୀବନକୁ ରକ୍ଷା କରାଯାଇ ପାରିଲା । ବାଲେଶ୍ଵର ଟ୍ରେନ ଦୁର୍ଘଟଣା ନେଇ ଏହା କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।

ମୁଖ୍ୟ ଶାସନ ସଚିବ କହିଛନ୍ତି, "ବର୍ତ୍ତମାନ ପର୍ଯ୍ୟନ୍ତ ଚୂଡାନ୍ତ ମୃତ୍ୟୁ ସଂଖ୍ୟା ୨୭୫ । ବର୍ତ୍ତମାନ ସୁଦ୍ଧା ୧୭୦ଟି ମୃତ ଶରୀରର ପରିଚୟ ମିଳିସାରିଛି । ୮୫ଟି ବାଲେଶ୍ଵରରେ ଓ ଆଉ ୮୫ଟି ଭୁବନେଶ୍ବରରେ ଚିହ୍ନଟ ହୋଇଛନ୍ତି । ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ମୃତଦେହ ନେବାକୁ ଯେଉଁମାନେ ଆସୁଛନ୍ତି ତାଙ୍କ ମାନସିକ ଅବସ୍ଥାରେ ରାଜ୍ୟ ସରକାର ବୁଝିଛନ୍ତି । ତେଣୁ ରାଜ୍ୟ ସରକାର ସେମାନଙ୍କୁ ଅଧିକ ଯନ୍ତ୍ରଣା ଦେବାକୁ ଚାହୁଁନାହାନ୍ତି । ଭୁବନେଶ୍ବର ଆସିବା, ମୃତଦେହ ଚିହ୍ନଟ କରିବା ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବା ଉପରେ ରାଜ୍ୟ ସରକାର ଧ୍ୟାନ ଦେବେ । ରାଜ୍ୟ ସରକାର ନିଜ ଖର୍ଚ୍ଚ ଓ ସହଯୋଗରେ ମୃତ ଶରୀରର ସେମାନଙ୍କ ଘରକୁ ପଠାଇବେ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ।"

ଏହା ବି ପଢନ୍ତୁ- Odisha Train Tragedy: ମୃତଦେହ ସଂରକ୍ଷଣ, ଦିଲ୍ଲୀରୁ ଆସିଲେ ସ୍ଵତନ୍ତ୍ର ଟିମ

ବରିଷ୍ଠ ଅଧିକାରୀମନେ ସମନ୍ବୟ ରଖି କାର୍ଯ୍ୟ କରୁଛନ୍ତି । ମୃତଦେହ ଚିହ୍ନଟ ହୋଇଗଲେ, ଓଡ଼ିଶା ସରକାର ପରବର୍ତ୍ତୀ ଦାୟିତ୍ବ ନିଜ ଆଡୁ ନେବେ । ସମସ୍ତ ସରକାରୀ ସାର୍ଟିଫିକେଟ ମଧ୍ୟ ରାଜ୍ୟ ସରକାର ପ୍ରସ୍ତୁତ କରି ଦେବେ । ୧୯୯୯ ମସିହାରେ ପରେ ରାଜ୍ୟ ଏତେ ବଡ଼ ବିପତ୍ତିକୁ ସାମ୍ନା କଲା । ରାଜ୍ୟ ପାଇଁ ଏହା ପରୀକ୍ଷାର ବେଳ ଥିଲା । ଓଡ଼ିଶାର ଶାସନ ଓ ଓଡ଼ିଶାର ଜନସାଧାରଣ ଯେକୌଣସି ପରିସ୍ଥିତିକୁ ସହଜରେ ମୁକାବିଲା କରିପାରିବେ । ସ୍ଥାନୀୟ ଲୋକଙ୍କ ସହଯୋଗ, ରାଜ୍ୟ ପ୍ରଶାସନ ତତ୍ପରତା ଏବଂ ପାଖାପାଖି ସବୁ ଜିଲ୍ଲାର ଭିତ୍ତିଭୂମିକୁ ବ୍ୟବହାର କରି ଅନେକ ଜୀବନକୁ ରକ୍ଷା କରାଯାଇପାରିଲା ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ସେ ଆହୁରି କହିଛନ୍ତି, "ଭବିଷ୍ୟତ ପାଇଁ ଆମର ଉନ୍ନତ ଭିତ୍ତିଭୂମୀ ରହିଛି । ଯେଉଁଥି ପାଇଁ ଆମକୁ ସର୍ବଭାରତୀୟ ସ୍ତରରେ ଆମକୁ ପ୍ରଶଂସା କରାଯାଇଛି । ଓଡ଼ିଶା ବୋଲି ଏତେ ଜଲଦି ଏହି କାମ ହୋଇଗଲା ବୋଲି କୁହାଯାଉଛି । ରାଜ୍ୟର ନିଜସ୍ଵ ସାଧନ ଥିଲା । ଓଡ୍ରାଫ, ଅଗ୍ନିଶମ ସହ ଅତ୍ୟାଧୁନିକ ଯନ୍ତ୍ରପାତି ଥିବାରୁ ଉଦ୍ଧାର କାର୍ଯ୍ୟ ସହଜରେ ହୋଇପାରିଲା । ଆଗକୁ ଆହୁରି ଅଧିକ ଯନ୍ତ୍ରପାତି ଆଣିବା ସହିତ ଶକ୍ତିଶାଳୀ କରିବାକୁ ଚେଷ୍ଟା କରିବୁ । ଲୋକେ ନିଜ ଶକ୍ତି ଅନୁସାରେ ଯାହା କରିଛନ୍ତି, ସରକାର ତାଙ୍କ ପାଖରେ କୃତଜ୍ଞ । ସେମାନଙ୍କ ବିନା ସହଯୋଗରେ ଏତେ ସବୁ କିଛି ହୋଇପାରିନଥାନ୍ତା । ପ୍ରଶାସନ, ସୁରକ୍ଷା ବଳ, ଉଦ୍ଧାରକାରୀ ଦଳ ପହଞ୍ଚିବା ପୂର୍ବରୁ ସୁବର୍ଣ୍ଣ ସମୟର ଉପଯୋଗ କରିଥିଲେ ସ୍ଥାନୀୟ ଲୋକ । ଲୋକଙ୍କ ସେହି ପ୍ରୟାସ ପାଇଁ ଆମକୁ ଏତେ ବଡ଼ ସଫଳତା ମିଳିଛି ।"

ରେସକ୍ୟୁ ଅପରେସନ ପରେ ଏବେ କୁମ୍ବିଂ ଅପରେସନ ଚାଲିଛି । ଦୁର୍ଘଟଣା ସ୍ଥଳକୁ ପୁଣି ଥରେ ତନତନ କରି ଯାଞ୍ଚ କରାଯାଉଛି । ଯଦି କିଛି କେଉଁଠି କିଛି ଅସୁବିଧା ଥିବ ତାକୁ ଦେଖାଯାଉଛି । ପ୍ରଥମେ ୩୦ ମିଟର ପରେ ୫୦ ମିଟର ପର୍ଯ୍ୟନ୍ତ କରିଯାଉଛି । ୨୦୦ ମିଟର ପର୍ଯ୍ୟନ୍ତ ଯାଞ୍ଚ କରାଯିବ । ଜିଆରପି ଗତକାଲି ସନ୍ଧ୍ୟାରେ ଜଣେ ଆହତଙ୍କୁ ଉଦ୍ଧାର କରିଛି । ଦୁର୍ଘଟଣା ସମୟରେ ଉକ୍ତ ବ୍ୟକ୍ତି ଗେଟ ପାଖରେ ଠିଆ ହୋଇଥିବା ଅନୁମାନ କରାଯାଉଛି, ଏଥିଲାଗି ଜୀବନ ବଞ୍ଚେଇବା ଲାଗି ସେ ଡେଇଁପଡିଥିଲେ । ବୁଦା ଭିତରେ ରହିଯାଇଥିଲେ । ତାଙ୍କୁ ଜୀବିତ ଭାବରେ ଉଦ୍ଧାର କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.