ETV Bharat / state

ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା, ସିସିଟିଭି ନଜରରେ ପରୀକ୍ଷା କେନ୍ଦ୍ର

author img

By ETV Bharat Odisha Team

Published : Jan 2, 2024, 10:49 AM IST

plus two practical exam
ଆଜିଠାରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

+2 Practical Exam: ଆଜି(ମଙ୍ଗଳବାର)ଠାରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଯାଇଛି । ସମସ୍ତ ପରୀକ୍ଷା କେନ୍ଦ୍ର ଓ ହଲର ହେଉଛି ଲାଇଭ୍ ଷ୍ଟ୍ରିମିଂ । ଅଧିକ ପଢନ୍ତୁ

ଭୁବନେଶ୍ବର: ଆଜିଠୁ (ମଙ୍ଗଳବାର) ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହୋଇଛି । କଡା ସୁରକ୍ଷା ତଥା ସିସିଟିଭି ବଳୟ ମଧ୍ୟରେ ପରୀକ୍ଷା କରାଯାଉଛି । ସମସ୍ତ ପରୀକ୍ଷା କେନ୍ଦ୍ର ଓ ହଲଗୁଡିକରୁ ଲାଇଭ୍ ଷ୍ଟ୍ରିମିଂ କରାଯାଉଛି । ସକାଳ 10ଟାରୁ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ୩୦ ମିନିଟ ପୂର୍ବରୁ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ CHSE ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ଏହି ପରୀକ୍ଷା ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

ରାଜ୍ୟର ସମସ୍ତ ଯୁକ୍ତ ଦୁଇ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା ଜାରି ରହିଛି । ସ୍ବଚ୍ଛ ଭାବେ ପରୀକ୍ଷା ପରିଚାଳନା କରିବା ପାଇଁ ଚଳିତ ବର୍ଷ ସମସ୍ତ ପରୀକ୍ଷାର ଲାଇଭ ଷ୍ଟ୍ରିମିଂ କରାଯିବା ନେଇ ପୂର୍ବରୁ ଘୋଷଣା କରାଯାଇଥିଲା । ୬୦, ୩୦ ଏବଂ ୨୦ ମାର୍କର ପ୍ରାକ୍ଟିକାଲ୍‌ ପରୀକ୍ଷା ପାଇଁ ୩ ଘଣ୍ଟାର ସମୟ ଦିଆଯାଉଛି । ୧୫ ମିନିଟ୍‌ର ପରୀକ୍ଷା ପାଇଁ ୨ ଘଣ୍ଟା ସମୟ ଦିଆଯାଇଛି । ଅନ୍ୟପଟେ ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍‌ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ପହଞ୍ଚିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ପରାମର୍ଶ ଦିଆଯାଇଥିଲା । ପରୀକ୍ଷାର ୧୫ ମିନିଟ୍‌ ପୂର୍ବରୁ ଆଡମିଟ୍‌ କାର୍ଡ ଯାଞ୍ଚ କରାଯାଇ ହଲ୍‌ ମଧ୍ୟକୁ ପ୍ରବେଶ କରାଯିବ । ତେବେ ପରୀକ୍ଷା କେନ୍ଦ୍ର ପୁରା ସିସିଟିଭି ଅଧୀନରେ ରହିବ । ପରୀକ୍ଷାରେ ଅଧୀକ୍ଷକ ଭାବେ ଉକ୍ତ କଲେଜର ଅଧ୍ୟକ୍ଷମାନେ ଦାୟିତ୍ୱରେ ରହିଛନ୍ତି ।

ଏହାମଧ୍ୟ ପଢନ୍ତୁ... ଫେବୃଆରୀ ୧୬ରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା, ଜାଣନ୍ତୁ କେଉଁ ଦିନ କେଉଁ ବିଷୟ

ସୂଚନା ଅନୁଯାୟୀ, ଆଜିଠାରୁ ୧୨ ତାରିଖ ପର୍ଯ୍ୟନ୍ତ ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗର ବିଭିନ୍ନ ବିଷୟରେ ହେବ ପ୍ରାକ୍ଟିକାଲ୍ ପରୀକ୍ଷା । ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଇଲେକ୍‌ଟ୍ରୋନିକ୍ସ, କମ୍ପ୍ୟୁଟର ସାଇନ୍ସ, ବାୟୋ ଟେକ୍ନୋଲୋଜି, ପରିସଂଖ୍ୟାନ, ଭୂଗୋଳ, ଭୂତତ୍ତ୍ବ ବିଜ୍ଞାନ ଓ ଆଇଟି ବିଷୟର ପ୍ରାକ୍ଟିକାଲ ପରୀକ୍ଷା ହେବ ।

ସେହିପରି କଳା ବିଭାଗର ଶିକ୍ଷା, ଆଇଟି, ମନୋବିଜ୍ଞାନ, ନୃତତ୍ତ୍ବବିଜ୍ଞାନ, ଇଣ୍ଡିଆନ୍‌ ମ୍ୟୁଜିକ୍‌, ହୋମ୍‌ସାଇନ୍ସ, ପରିସଂଖ୍ୟାନ ଓ ଭୂଗୋଳ ବିଷୟ ଏବଂ ବାଣିଜ୍ୟ ବିଭାଗର ଆଇଟି ଓ କମ୍ପ୍ୟୁଟର ସାଇନ୍ସ ବିଷୟର ପ୍ରାକ୍ଟିକାଲ୍‌ ପରୀକ୍ଷା କରାଯିବ । ଇଣ୍ଟିଗ୍ରେଟେଡ୍‌ ଭୋକେସନାଲ ପାଠ୍ୟକ୍ରମର ପ୍ରାକ୍ଟିକାଲ୍‌ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ‌ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭିକୁ ବାଧ୍ୟତାମୂଳକ କରାଯାଇଛି । ଏପଟେ ଫେବୃଆରୀ ୧୬ ତାରିଖରୁ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ଆରମ୍ଭ ହେବ ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.