ETV Bharat / state

Post Budget Press Meet: ୧୬ଲକ୍ଷ ଛାତ୍ରଛାତ୍ରୀ ଦକ୍ଷ, କେତେ ନିଯୁକ୍ତି ପାଇଲେ ? ମନ୍ତ୍ରୀଙ୍କ ପାଖରେ ନାହିଁ ଉତ୍ତର

author img

By

Published : Mar 14, 2023, 8:18 PM IST

ରାଜ୍ୟରେ ୧୬ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଦକ୍ଷ କରାଯାଇଛି ବୋଲି କହୁଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ । ହେଲେ କେତେ ସେଥିରୁ ନିଯୁକ୍ତି ପାଇଛନ୍ତି ସେ ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ସନ୍ତୋଷଜନକ ଉତ୍ତର ଦେଇପାରିନାହାନ୍ତି । ଅଧିକ ପଢନ୍ତୁ

Post Budget Press Meet
Post Budget Press Meet

Post Budget Press Meet

ଭୁବନେଶ୍ବର: ରାଜ୍ୟରେ ପ୍ରାୟ ୧୬ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସ୍କିଲଡ୍‌ କରିଛନ୍ତି ରାଜ୍ୟ ସରକାର । ହେଲେ ସେମାନଙ୍କ ମଧ୍ୟରୁ କେତେ ନିଯୁକ୍ତି ସୃଷ୍ଟି କରାଯାଇଛି ସେ ତଥ୍ୟ ସରକାରଙ୍କ ପାଖରେ ନାହିଁ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିଭାଗୀୟ ବଜେଟ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟରେ କେତେ ନିଯୁକ୍ତି କ୍ଷେତ୍ର ସୃଷ୍ଟି କରାଯାଇଛି ତାର ତଥ୍ୟ ଦେଇପାରିନାହାନ୍ତି ବିଭାଗୀୟ ମନ୍ତ୍ରୀ ଏବଂ ସଚିବ । ସେପଟେ ପ୍ରଥମ ଥର ପାଇଁ ରାଜ୍ୟରେ ସ୍କିଲଡ୍‌ କନକ୍ଲେଭ ଆୟୋଜନ କରାଯିବ । ପ୍ରାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ନୂଆ ଓଡ଼ିଶା ଗଠନ କରାଯିବ ବୋଲି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଏହି କନକ୍ଲେଭରେ ଆଧୁନିକ ଯୁଗର ଉଦୀୟମାନ ପ୍ରଯୁକ୍ତିରେ ଯୁବକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବା ଏହାର ଲକ୍ଷ୍ୟ । ପ୍ରତିବର୍ଷ ୧ ଲକ୍ଷ ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏହି ଯୁବପୀଢିଙ୍କୁ ଭବିଷ୍ୟତରେ ଚାକିରି ପାଇଁ ପ୍ରସ୍ତୁତି କରିବାରେ ବଡ଼ ସହାୟକ ହେବ । ଏହି ଯୋଜନାରେ ଯୁବକ ଯୁବତୀମାନଙ୍କୁ କ୍ଲାଉଡ଼ କମ୍ପ୍ୟୁଟିଂ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଅଗମେଣ୍ଟେଡ଼ ରିଅଲିଟି, ଭର୍ଚ୍ଚୁଆଲ ରିଅଲିଟି, ଡାଟା ସାଇନ୍ସ, ଥ୍ରୀଡି ପ୍ରିଣ୍ଟିଂଗ ଭଳି ନୂତନ ପ୍ରଯୁକ୍ତି ବିଦ୍ୟାରେ ତାଲିମ ପ୍ରଦାନ କରାଯିବ । ଆସନ୍ତା ଏପ୍ରିଲ ୨୦ ଓ ୨୧ ୨ ଦିନ ଧରି କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଏହି ମେଗା ସ୍କିଲ କନକ୍ଲେଭ ।

ରାଜ୍ୟର ଅନେକ ଯୁବକ ଯୁବତୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ଶିଳ୍ପପତି ଵ୍ୟଵସାୟୀ ଆସିବେ । ପିଲାମାନେ ସେମାନଙ୍କ ସହ ଆଲୋଚନା କରିବାର ସୁଯୋଗ ମଧ୍ୟ ପାଇବେ। କାର୍ଯ୍ୟକ୍ରମର ସମ୍ପୂର୍ଣ୍ଣ ବିବରଣୀ ବିଭାଗ ପକ୍ଷରୁ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଆଜି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କର ଅନେକ ପ୍ରଶ୍ନରେ ଉତ୍ତର ରଖଇଛନ୍ତି ବିଭାଗୀୟ ମନ୍ତ୍ରୀ ଓ ସଚିବ ।

ଏହା ବି ପଢନ୍ତୁ- ମେଡିକାଲ ବେଡରେ ସ୍ବାମୀ, ପ୍ରେମିକକୁ ଦ୍ବିତୀୟ ବିବାହ କଲା ପତ୍ନୀ

ରାଜ୍ୟରେ କୋଭିଡ ସମୟରେ ପାଖାପାଖି ୧୦ ଲକ୍ଷ ଲୋକେ ବାହାର ରାଜ୍ୟରୁ ଫେରିଥିଲେ, ସରକାର ପ୍ରତିଶ୍ରୁତି ଦେଇଥିଲେ ସେମାନେ ଆଉ ବାହାରକୁ ଯିବେ ନାହିଁ, ସେମାନଙ୍କୁ କୁଶଳୀ କରାଯିବ ହେଲେ କାହିଁକି ଏବେ ବି ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି, ଯଦି ସରକାର କୁଶଳୀ କରିଛନ୍ତି ତେବେ କେତେ ସଂଖ୍ୟା ମନ୍ତ୍ରୀଙ୍କୁ ତଥ୍ୟ ମାଗିଥିଲେ । ଉତ୍ତରରେ ମନ୍ତ୍ରୀ ସଠିକ ତଥ୍ୟ ରଖିନାହାନ୍ତି । ବୁଲେଇ ବଙ୍କେଇ ସ୍ବୀକାର କରିଛନ୍ତି ଯେ ବାହାର ରାଜ୍ୟକୁ ଲୋକେ ଏବେ ବି ଯାଉଛନ୍ତି। ଏହା ଗୋଟେ Part of the Process । ସରକାର ଏମାନଙ୍କୁ କୁଶଳୀ କରିବାର ଦାୟିତ୍ବ ନେଇଛନ୍ତି କରିବେ । ପ୍ରକ୍ରିୟା ଚାଲିଛି ବୋଲି ଉଭୟ ମନ୍ତ୍ରୀ ଓ ସଚିବ କହିଛନ୍ତି ।

BPUTର ୨ୟ କ୍ୟାମ୍ପସ ନେଇ ୨୦୧୪ ମସିହାରେ ପ୍ଲାନିଂ ହୋଇଥିଲା ତାହା କେତେ ଦୂର କାର୍ଯ୍ୟକାରୀ ହୋଇଛି ? ବିଭିନ୍ନ ଇଞ୍ଜିନିୟରିଂ କଲେଜ ତଥା ବିପିୟୁଟିରେ ମଧ୍ୟ କୁଳପତି ନିଯୁକ୍ତି କାହିଁକି ହୋଇନାହିଁନ୍ତି ବୋଲି ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି, "ତାହା ଉପରେ ଆଲୋଚନା ହେଉଛି । ଆବଶ୍ୟକ ପଡ଼ିଲେ ବ୍ରାଞ୍ଚ ଖୋଲାଯିବ । ସରକାରଙ୍କ ତରଫରୁ କୁଳପତି ପୋଷ୍ଟିଂ ପାଇଁ ଗ୍ରୀନ ସିଗନାଲ ମିଳିଛି । ବାକି ବିପିୟୁଟି ଉପରେ ନିର୍ଭର କରେ ।" ବିଭାଗ ଦ୍ବାରା ପରିଚାଳିତ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ, ଓଡି଼ଶା ଦକ୍ଷତା ବିକାଶ ପ୍ରାଧିକରଣ, ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ ପରିଷଦ ଏବଂ ନିଯୁକ୍ତି ନିର୍ଦ୍ଦେଶାଳୟ ଏ ଦିଗରେ ବ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ କହିଛନ୍ତି ।

ରାଜ୍ୟ ସରକାରଙ୍କ ବଜେଟ ୨୦୨୩ - ୨୪ ଉପରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଏବଂ ବିଭାଗର ପ୍ରିନ୍ସପାଲ ସେକ୍ରେଟେରୀ ଉଷା ପାଢ଼ୀ ସାମ୍ବାଦିକ ସମ୍ମିଳନୀରେ ନିଜର ମତ ରଖିଛନ୍ତି। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମୋଟ ୧୦ଟି ବିଭାଗ ସହ ସମନ୍ବୟ ରଖି ଏ ଦିଗରେ ପଦକ୍ଷେପ ନେଉଛି। ସ୍କିଲ୍ଡ ଇନ ଓଡିଶା ବ୍ୟାନରେ ୧୬ ଲକ୍ଷ ୧୭ ହଜାର ୧୦୧ଜଣଙ୍କୁ ବିଭାଗ ପକ୍ଷରୁ ତାଲିମ ଦିଆଯାଉଛି। ରାଜ୍ୟର ସବୁ ଜିଲ୍ଲାରେ ସରକାରୀ ପଲିଟେକ୍ନିକ ଓ ଆଇଟିଆଇ ଅନୁଷ୍ଠାନ ନିର୍ମାଣ କରାଯାଉଛି। ରାଜ୍ୟରେ ମୋଟ ୬୦ ଟି ସରକାରୀ ଆଇଟିଆଇ ଏବଂ ୩୪ ଟି ସରକାରୀ ପଲିଟେକ୍ନିକ କାର୍ଯ୍ୟ କରୁଛି। ସରକାରଙ୍କ 5T ପଦକ୍ଷେପ ଅଂଶବିଶେଷ ସ୍ବରୂପ ଓଡିଶା ବୈଷୟିକ ଓ ଗବେଷଣା ବିଶ୍ବବିଦ୍ୟାଳୟ ଆଗାମୀ ୫ ବର୍ଷ ମଧ୍ୟରେ ଏକ ଉତ୍କର୍ସ ବିଶ୍ବବିଦ୍ୟାଳୟ ଭାବେ ବିକଶିତ କରିବା ପାଇଁ ସରକାର ଯୋଜନା କରିଛନ୍ତି । ବୈଷୟିକ ଶିକ୍ଷାନୁଷ୍ଠାନ ଭିତ୍ତିଭୂମି ବିକାଶ ପାଇଁ ୨୪୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.