ETV Bharat / state

ଦର୍ଶକଙ୍କ ଲାଗି ଖୋଲିଲା ଲୋକସେବା ଭବନ, ଗଣମାଧ୍ୟମ ପାଇଁ କେବେ ?

author img

By

Published : Jan 1, 2023, 5:35 PM IST

ଦର୍ଶକଙ୍କ ଲାଗି ଖୋଲିଲା ଲୋକସେବା ଭବନ । ଅପରାହ୍ନ 4ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ବୁଲି ଦେଖିପାରିବେ ଦର୍ଶକ । ଅଧିକ ପଢନ୍ତୁ

ଲୋକସେବା ଭବନ
ଲୋକସେବା ଭବନ

ଭୁବନେଶ୍ବର: ଦୀର୍ଘ 3 ବର୍ଷର କଟକଣା ପରେ ଦର୍ଶକଙ୍କ ଲାଗି ଖୋଲିଲା ଲୋକସେବା ଭବନ(Lok Seva Bhawan Flower Garden To Open For Public) । ଜାନୁଆରୀ ମାସର ସବୁ ଛୁଟି ଦିନଗୁଡିକ ଦର୍ଶକଙ୍କ ପାଇଁ ଲୋକସେବା ଭବନ ପୁଷ୍ପ ଉଦ୍ୟାନ ଖୋଲା ରହିବ । ଅପରାହ୍ନ 4ରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ବୁଲି ଦେଖିପାରିବେ ଦର୍ଶକ । ଆଜି ଅପରାହ୍ନ 4ରୁ ଏହି ପ୍ରକ୍ରିୟା ଆରମ୍ଭ ହେବ । ତେବେ ପ୍ରଶ୍ନ ଉଠୁଛି, ଯଦି ଦର୍ଶକଙ୍କ ପାଇଁ ଲୋକସେବା ଭବନ ଖୋଲିପାରୁଛି ତେବେ ଗଣମାଧ୍ୟମ ପାଇଁ କାହିଁକି ନୁହେଁ ?

କୁହାଯାଏ ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଲିଖିତ ଭାବେ ନଥିଲେ କଥିତ ଭାବେ ଗଣମାଧ୍ୟମ ଚତୁର୍ଥ ସ୍ତମ୍ଭ ବୋଲି ସମସ୍ତେ ଗ୍ରହଣ କରିଛନ୍ତି । କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶ ତଥା ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ସାଧାରଣ ଲୋକ ଓ ଗଣମାଧ୍ୟମକୁ ବାରଣ କରାଯାଇଥିଲା । ସଂକ୍ରମଣ ଦୂର ହେବା ପରେ ସାଧାରଣ ଲୋକ ଓ ଗଣମାଧ୍ୟମ ଲାଗି ଲାଗୁ ସମସ୍ତ କଟକଣା ଉଠାଇ ନିଆଯାଇଛି । ସଂସଦ ଏବଂ ବିଧାନସଭା କାର୍ଯ୍ୟ ମଧ୍ୟ ସ୍ବାଭାବିକ ହୋଇଛି । ଏହାସହ ବିନା କଟକଣାରେ ଚାଲିଛି କୋର୍ଟ ଓ ପ୍ରଶାସନିକ କାର୍ଯ୍ୟ । କିନ୍ତୁ ଓଡିଶା ସରକାରଙ୍କ ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନ କଟକଣା ମୁକ୍ତ ହୋଇପାରିନାହିଁ । ଏହି ଭବନଗୁଡିକୁ ପ୍ରବେଶ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଗଣମାଧ୍ୟମ ଓ ସାଧାରଣ ଲୋକଙ୍କ ଲାଗି କଟକଣା ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ: ନୂଆବର୍ଷରେ ଖାଉଟିଙ୍କୁ ଝଟକା, ବଢିଲା ବ୍ୟବସାୟିକ LPG ସିଲିଣ୍ଡର ଦାମ

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜାନୁଆରୀ 2023ରେ ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ । ଚଳିତ ମାସରେ ରବିବାର, ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟିକୁ ମିଶାଇ ମୋଟ 8ଟି ଛୁଟିରେ ଅପରାହ୍ନ 4ଟାରୁ 6ଟା ପର୍ଯ୍ୟନ୍ତ ଜନସାଧାରଣ ଲୋକସେବା ଭବନ ପୁଷ୍ପ ଉଦ୍ୟାନ ବୁଲି ଦେଖିପାରିବେ । ଆଜି ନୂଆବର୍ଷରେ ଜନସାଧାରଣ ଲୋକସେବା ଭବନ ଉଦ୍ୟାନ ବୁଲି ଦେଖିପାରିବେ । ଏହି ଉଦ୍ୟାନ ବର୍ତ୍ତମାନ ବିଭିନ୍ନ କିସମର ଫୁଲରେ ସଜେଇ ହୋଇ ଅତ୍ୟନ୍ତ ମନୋରମ ପରିବେଶ ସୃଷ୍ଟି କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.