ETV Bharat / state

ରାଜ୍ୟରେ ଋଷ ବ୍ୟକ୍ତିଙ୍କ ମୃତ୍ୟୁ ନେଇ ବଢୁଛି ସନ୍ଦେହ, ଅଛି କି ନାଟୋ ରାଷ୍ଟ୍ରର ଷଡଯନ୍ତ୍ର ?

author img

By

Published : Jan 3, 2023, 5:26 PM IST

ବୈଦଶିକ ବ୍ୟାପାର ବିଶେଷଜ୍ଞ ବିନୋଦ ମିଶ୍ରଙ୍କ ପ୍ରତିକ୍ରିୟା
ବୈଦଶିକ ବ୍ୟାପାର ବିଶେଷଜ୍ଞ ବିନୋଦ ମିଶ୍ରଙ୍କ ପ୍ରତିକ୍ରିୟା

ରାୟଗଡ଼ା ପରେ ପାରାଦ୍ବୀପରେ ଋଷ ନାଗରିକଙ୍କ ମତ୍ୟୁକୁ ନେଇ ବଢ଼ୁଛି ଚିନ୍ତା । ଋଷ ବିରୋଧି ରାଷ୍ଟ୍ରଙ୍କ ଷଡ଼ଯନ୍ତ୍ର ବୋଲି ସନ୍ଦେହ କଲେ ବୈଦଶିକ ବ୍ୟାପାର ବିଶେଷଜ୍ଞ ବିନୋଦ ମିଶ୍ର । ସେପଟେ ଆବଶ୍ୟକ ହେଲେ ତଦନ୍ତ କ୍ରାଇମବ୍ରାଞ୍ଚ କରିବ ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ଅଧିକ ପଢ଼ନ୍ତୁ

ଋଷ ବ୍ୟକ୍ତିଙ୍କ ମୃତ୍ୟୁ ନେଇ ବଢୁଛି ସନ୍ଦେହ

ଭୁବନେଶ୍ବର: ରାୟଗଡ଼ା ପରେ ଏବେ ପାରାଦ୍ବୀପରେ । ଓଡ଼ିଶାରେ ଗଡୁଛି ଗୋଟିଏ ପରେ ଗୋଟିଏ ଋଷ ନାଗରିକଙ୍କ ମୁଣ୍ଡ । ଏହାରି ଭିତରେ ବିଶେଷଜ୍ଞଙ୍କ ମତ ବଢ଼ାଇଛି ସନ୍ଦେହ । କେବଳ ଓଡିଶାରେ ନୁହେଁ, ଏହିପରି ୧୩ ଜଣ ଋଷ ନାଗରିକଙ୍କର ବିଭିନ୍ନ ସ୍ଥାନରେ ହେଲାଣି ସନ୍ଦେହଜନକ ମୃତ୍ୟୁ । ଏମାନଙ୍କ ମଧ୍ୟରେ ଅନେକ ପ୍ରତିପତି ରହିଥିବାବେଳେ ଏହା ଋଷ ବିରୋଧି ରାଷ୍ଟ୍ରର ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି ସନ୍ଦେହ କରିଛନ୍ତି ବୈଦଶିକ ବ୍ୟାପାର ବିଶେଷଜ୍ଞ ବିନୋଦ ମିଶ୍ର । ସେପଟେ ଆବଶ୍ୟକ ହେଲେ ତଦନ୍ତ କ୍ରାଇମବ୍ରାଞ୍ଚ କରିବ ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ।

ରାୟଗଡା ପରେ ଏବେ ପାରାଦ୍ବୀପରେ ଜଣେ ଋଷୀୟ ନାଗରିକଙ୍କର ମୃତ୍ୟୁ ହୋଇଛି । ଗତକାଲି (ସୋମବାର) ବିଳମ୍ବିତ ରାତିରେ ଜଣେ ଋଷୀୟ ଚିଫ୍ ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପାରାଦ୍ବୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଚିଫ୍ ଇଞ୍ଜିନିୟର ୟାକୁବ ସର୍ଜଇଙ୍କ ମୃତଦେହ ମିଳିଛି । ସୂଚନା ଅନୁଯାୟୀ ଋଷୀୟ ନାଗରିକ ଇଞ୍ଜିନିୟର ମିଲ ୟାକୁବ ସର୍ଜଇ ଏକ ଜାହାଜ ଅଲଦାନା ଭେସେଲରେ ପାରାଦ୍ବୀପ ଆସିଥିଲେ । ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । କିଭଳି ତାଙ୍କର ମୃତ୍ୟୁ ହେଲେ ସେ ନେଇ ପାରାଦ୍ବୀପ ବନ୍ଦର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଘଟଣାର ତଦନ୍ତ ପରେ ଋଷୀୟ ନାଗରିକଙ୍କର ମୃତ୍ୟୁର କାରଣ ଜଣାପଡିବ ।

ନାଟୋ ରାଷ୍ଟ୍ରର ଷଡ଼ଯନ୍ତ୍ର !

ତେବେ କେବଳ ଓଡ଼ିଶାରେ ନୁହେଁ, ବିଭିନ୍ନ ସ୍ଥାନରେ ଏବେ ପ୍ରାୟ ୧୩ ଜଣ ଋଷ ନାଗରିକଙ୍କର ସନ୍ଦେହଜନକ ମୃତ୍ୟୁ ହେଲାଣି । ସେମାନଙ୍କ ମଧ୍ୟରେ ଅନେକ ପ୍ରତିପତ୍ତି ରହିଥିବା ବେଳେ ଏହା ଋଷ ବିରୋଧି ରାଷ୍ଟ୍ରର ଷଡ଼ଯନ୍ତ୍ର ହୋଇଥାଇପାରେ ବୋଲି ସନ୍ଦେହ କରିଛନ୍ତି ବୈଦଶିକ ବ୍ୟାପାର ବିଶେଷଜ୍ଞ ବିନୋଦ ମିଶ୍ର । ସେ କହିଛନ୍ତି, "ଋଷ ସହ ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ଋଷ କେବେବି ନିଜର ପ୍ରତିପତିଙ୍କୁ ଗୁପ୍ତଚର ଲଗାଇ ମାରିବ ନାହିଁ । କେବଳ ଋଷ ବିରୋଧି ରାଷ୍ଟ୍ର ଗୁଡ଼ିକ ଏପରି କାମ କରିଥାଇପାରନ୍ତି । ଆମେରିକା, ଜର୍ମାନ ଭଳି ନାଟୋ ରାଷ୍ଟ୍ର ଏପରି ଷଡଯନ୍ତ୍ର କରିଥାଇପାରନ୍ତି ।" ଋଷକୁ ଆର୍ଥିକ ସହଯୋଗ କରୁଥିବା ପ୍ରତିପତିଙ୍କୁ ମାରିବା ଅର୍ଥ, ଋଷକୁ ଆର୍ଥିକ ଦୁର୍ବଳ କରିବା ବୋଲି ସେ କହିଛନ୍ତି ।

'ଆବଶ୍ୟକ ପଡ଼ିଲେ କ୍ରାଇମବ୍ରାଞ୍ଚ କରିବ ତଦନ୍ତ'

ଅନ୍ୟପଟେ ଏନେଇ ପୋଲିସ ଡିଜି ସୁନୀଲ ବଂଶଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଆଉ ଜଣେ ଋଷୀୟ ନାଗରିକଙ୍କ ମୃତ୍ୟୁ ନେଇ ଆମ ପାଖରେ ଖବର ଅଛି । ଷଡଯନ୍ତ୍ର ଅଛି ନା ନାହିଁ ସେନେଇ ତଦନ୍ତ ଚାଲିଛି । ପାରାଦୀପ ପୋର୍ଟ ଅଥରିଟି ଲୋକାଲ ପୋଲିସକୁ ଜଣାଇଛନ୍ତି । ଆବଶ୍ୟକ ପଡିଲେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ । ଜଣେ ପରେ ଜଣେ ଋଷୀୟ ନାଗରିକଙ୍କ କାହିଁକି ମୃତ୍ୟୁ ହୋଇଛି ଆମେ କହି ପାରିବୁ ନାହିଁ ।" ତେବେ ଋଷୀୟ ନାଗରିକ ମୃତ୍ୟୁ ପଛରେ ଗୁପ୍ତଚର ଲିଙ୍କ ଅଛି ନା ନାହିଁ ପ୍ରଶ୍ନରେ କହିପାରିବିନି ବୋଲି କହିଛନ୍ତି ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ।

ଓଡ଼ିଶାରେ ଅଛନ୍ତି ବିଦେଶୀ ଗୁପ୍ତଚର !

ଏବେ ପ୍ରଶ୍ନ ଉଠୁଛି ଋଷ ବିରୋଧି ରାଷ୍ଟ୍ରର ଗୁପ୍ତଚର ଏବେ ଓଡ଼ିଶାରେ ସକ୍ରିୟ ଅଛନ୍ତି କି ? ଗୋଟିଏ ପରେ ଗୋଟିଏ ଋଷୀୟ ନାଗରିକଙ୍କ ମୃତ୍ୟ ପଛରେ ଏମାନଙ୍କ ହାତ ରହିଛି କି ? କାରଣ ଦେଶର ଅନେକ ସ୍ଥାନରୁ ଏବେ ବିଦେଶୀ ଗୁପ୍ତଚର ଧରାପଡିଲେଣି । ବିହାରର ଗୟାରୁ ବୌଦ୍ଧ ଧର୍ମ ପ୍ରଚାରକ ଦଲାଇଲାମାଙ୍କୁ ପିଛା କରୁଥିବା ଚାଇନିଜ ଗୁପ୍ତଚରଙ୍କ ସ୍କେଜ୍ ଜାରି ହୋଇଥିଲା । ସେହିପରି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ମଧ୍ୟ ଜଣେ ଆଇଏସଆଇ ପାକିସ୍ତାନ ଏଜେଣ୍ଟକୁ ଗତ ଡିସେମ୍ବର ମାସରେ ଧରିଥିଲା କଲିକତା ଏସଟିଏଫ୍ ଟିମ । ତେବେ ଓଡିଶାରେ ବିଦେଶୀ ଗୁପ୍ତଚର କେତେ ସକ୍ରିୟ ଅଛନ୍ତି, ଏନେଇ କିଛି ତଥ୍ୟ ଓଡ଼ିଶା ପୋଲିସ ଓ ଗୁଇନ୍ଦା ବିଭାଗ ପାଖରେ ଅଛି ନା ନାହିଁ ତାହା ଏବେ ଚିନ୍ତାଜନକ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.