ETV Bharat / state

ଆଉ କାମ ଦେବନି ବରିଷ୍ଠ IPSଙ୍କ ଚାପ ! ଲୁମେକ୍ସ ମହାଠକେଇର ତଦନ୍ତ କରିବ EOW

author img

By

Published : Mar 28, 2023, 9:09 AM IST

Updated : Mar 28, 2023, 11:24 AM IST

ବରିଷ୍ଠ ଆଇପିଏସଙ୍କ ହାତରୁ ଗଲା ଠକ ରାଜୀବ ଲୋଚନ ଦାସର ଠକେଇ କେଳେଙ୍କାରୀ କେସ । ଆଉ କାମ ଦେବନି ବରିଷ୍ଠ ଆଇପିଏସଙ୍କ ଲବି । ଇଓଡବ୍ଲୁ କରିବ ତଦନ୍ତ । ଅଧିକ ପଢନ୍ତୁ

Lumax scam in bhubaneswar
Lumax scam in bhubaneswar

ଭୁବନେଶ୍ବର: ଲୋଭନୀୟ ଅଫର ଦେଖାଇ ଲୋକଙ୍କୁ ଚୁନ ଲଗାଇଥିଲା ଲୁମେକ୍ସ ରିସୋର୍ସ ପ୍ରାଇଭେଟ ନାମକ ଏକ ସଂସ୍ଥା । ଯାହାର ତଦନ୍ତ କରୁଥିଲେ ଜଣେ ବରିଷ୍ଠ ଆଇପିଏସ । କିନ୍ତୁ ଏହି ଠକେଇ ମାମଲାରେ ଆଉ ତଦନ୍ତ କରିପାରିବେ ନାହିଁ ସେ । ଲୁମେକ୍ସ ମହାଠକେଇ କେଳେଙ୍କାରୀରେ ଠକକୁ ଆଇପିଏସଙ୍କ ସୁରକ୍ଷା ଦେବା ପ୍ରସଙ୍ଗରେ ପାଓ୍ବାର କରିଡରରୁ ଏପରି କଡ଼ା ନିର୍ଦ୍ଦେଶ ଆସିଛି । ବିବାଦୀୟ ଆଇପିଏସଙ୍କ ପାଇଁ ସରକାର ବଦନାମ ହେଉଥିବାରୁ ଏହି ମାମଲାରେ ତଦନ୍ତ ଇଓଡବ୍ଲୁକୁ ଦିଆଯାଇଛି । କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପକ୍ଷରୁ କେସକୁ ହାତକୁ ନେଇଛନ୍ତି ବୋଲି ସୂଚନା ଦେଇଛନ୍ତି ଇଓଡବ୍ଲୁ ଏସପି ।

ବୋଗସ କମ୍ପାନୀ ଆଳରେ ଖଣିଜ ପଦାର୍ଥ କାରବାର ବ୍ୟବସାୟ ଦର୍ଶାଇ ନିବେଶକାରୀଙ୍କୁ ଚୁନ ଲଗାଇଥିଲା ଏହି ସଂସ୍ଥା । କିପରି ନିବେଶକାରୀଙ୍କୁ ପୁଞ୍ଜିନିବେଶ ଆଳରେ ମୁନାଫା ଦେବାର ପ୍ରତିଶୃତି ଦେଇ କୋଟି କୋଟି ଟଙ୍କା ଠକି ଛୁ ମାରିଛନ୍ତି କମ୍ପାନୀର କର୍ମକର୍ତ୍ତା ସେନେଇ ତଦନ୍ତ କରିବ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଟିମ୍ । କମ୍ପାନୀର ଏମଡି ରାଜୀବ ଲୋଚନ ଦାସ ଓ ତାଙ୍କ ପତ୍ନୀ ସୋନାଲି କେଳେଙ୍କାରୀ କରିଥିବାରୁ ତାଙ୍କ ନାଁରେ ଇନଫୋସିଟି ଥାନାରେ ମାମଲା ରୁଜୁ ହୋଇଥିଲା । ଏହା ସତ୍ତ୍ବେ ମଧ୍ୟ ତାଙ୍କୁ ବରିଷ୍ଠ ଆଇପିଏସ ଜଣଙ୍କ କିପରି ସୁରକ୍ଷା ଦେଇଥିଲେ ସେନେଇ ତଦନ୍ତ କରାଯିବ ।

ଏହି ଠକ ଦମ୍ପତିଙ୍କ ଠକେଇ ଲିଙ୍କର ଖୁଲାସା ସହ ଉଷ୍ଣାକୁ ଗିରଫ କରିପାରେ ଇଓଡବ୍ଲୁ ଟିମ୍ । ଏହି ମାମଲାକୁ ରଫାଦଫା ପାଇଁ ଏହି ଦମ୍ପତି କିଛି ଆଇପିଏସଙ୍କୁ ଏହା ପଛରେ ଲବି କରିଛନ୍ତି ଏବଂ ଉଚ୍ଚ ପଦବୀରେ ଥାଇ କିଛି ବିବାଦୀୟ ଅଫିସର ଲଗାଇ ଏହି ଘଟଣାର ନିବେଶକାରୀଙ୍କୁ ଚାପ ପକାଇଛନ୍ତି । ବଦଳରେ ଏନେଇ ମିଛ କେସ କରି ଫସାଇଛନ୍ତି, ସେ ସବୁର ରାଜ ଖୋଲିବ ଇଓଡବ୍ଲୁ । ଏପରିକି ଠକ ସହ କମ୍ପରମାଇଜ ପାଇଁ ବିବାଦୀୟ ଆଇପିଏସ ଟଙ୍କା ବଦଳରେ ରିଟର୍ଣ୍ଣରେ ସାବୁନ ଓ ତେଲର କନସାଇନମେଣ୍ଟ ନେଇ ଟଙ୍କା କାରବାର କ୍ଲୋଜ କରିବାକୁ ଚାପ ପକାଇଥିଲେ । ସେ ସବୁର ଗୁମର ମଧ୍ୟ ପଦାକୁ ଆସିବ ।

ତଦନ୍ତ ପରେ ଧିରେ ଧିରେ ବିବାଦୀୟ ଆଇପିଏସଙ୍କ କେଳେଙ୍କାରୀ ଓ ଠକଙ୍କ ସହ ଦଲାଲିଗିରିର କାରନାମା ପଦାକୁ ଆସିବ । ତେବେ ୨୦୧୯ରେ ପଟିଆ ଇନଫୋସିଟି ଡିଏଲଏଫରେ ଲୁମେକ୍ସ କମ୍ପାନୀ ଖୋଲି ଖଣିଜ ପଦାର୍ଥ କାରବାର ଆଳରେ ଚିଟଫଣ୍ଡ ଢାଞ୍ଚାରେ ଟଙ୍କା ନିବେଶ କଲେ ରିଟର୍ଣ୍ଣ ମିଳିବାର ଆଶା ଦେଖାଇ ଅନେକ ନିବେଶକାରୀଙ୍କ ଟଙ୍କା ହଡ଼ପ କରିଥିଲା । ପରେ ନିବେଶକାରୀଙ୍କୁ ଟଙ୍କା ଫେରାଇବା ବଦଳରେ କିଛି ବିବାଦୀୟ ଅଫିସରଙ୍କ ଜରିଆରେ ସେମାନଙ୍କୁ ଡରାଇ ଧମକାଇ ଠକ ସହ କମ୍ପରମାଇଜ ପାଇଁ ଚାପ ପକାଇଥିଲା । ହେଲେ ଏନେଇ ଇନଫୋସିଟି ଥାନାରେ ଅଭିଯୋଗ ସତ୍ତ୍ବେ ମଧ୍ୟ ପୋଲିସ କେସ ନେଇନଥିଲା ।

ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥାନୀୟ ଏସଡିଜେଏମ କୋର୍ଟରେ ଜଣାଇବାପରେ କେସ ରୁଜୁ ହୋଇଥିଲେ ମଧ୍ୟ ଠକଙ୍କୁ ପୋଲିସ ଗିରଫ କରିନଥିଲା । ଏନେଇ ହାଇକୋର୍ଟ ପର୍ଯ୍ୟନ୍ତ କଥା ଯାଇଥିଲା, ଏଥିରେ ବିବାଦୀୟ ଆଇପିଏସ ଚାପ ପକାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାର ଗୁରୁତ୍ବ ଦେଖି କୋର୍ଟ ତୁରନ୍ତ ଗିରଫ ପାଇଁ କମିଶନରେଟ୍ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ପୋଲିସ କିଛି ଆକ୍ସନ ନେଇନଥିଲା । ପରେ ଏହି ପ୍ରସଙ୍ଗ ବିଧାନସଭା ପର୍ଯ୍ୟନ୍ତ ଯାଇଥିଲା । ଯା‌ହାକୁ ନେଇ ବରିଷ୍ଠ ଆଇପିଏସଙ୍କ ବିରୋଧରେ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଜଣାଇଥିଲେ ଅଭିଯୋଗକାରିଣୀ । ପରେ ଏହି କେସ ଏବେ ଇଓଡବ୍ଲୁ ହାତକୁ ଆସିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 28, 2023, 11:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.