ETV Bharat / state

ଅନିଶ୍ଚିତତା ଘେରରେ କୋଷ୍ଟାଲ ହାଇୱେ ପ୍ରକଳ୍ପ; କଂଗ୍ରେସ କହିଲା କେନ୍ଦ୍ର ସରକାରଙ୍କ ଘୋଷଣା କେବଳ ପ୍ରହସନ

author img

By

Published : Aug 8, 2023, 9:12 PM IST

ଅନିଶ୍ଚିତତା ଘେରରେ କୋଷ୍ଟାଲ ହାଇୱେ ପ୍ରକଳ୍ପ
ଅନିଶ୍ଚିତତା ଘେରରେ କୋଷ୍ଟାଲ ହାଇୱେ ପ୍ରକଳ୍ପ

ଗୋପାଳପୁର- ଦୀଘା କୋଷ୍ଟାଲ ହାଇୱେ ପ୍ରକଳ୍ପ ଟେଣ୍ଡର ବାତିଲ କରିଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ । ବାରମ୍ବାର ପ୍ରକଳ୍ପ ନକ୍ସାରେ ପରିବର୍ତ୍ତନ କାରଣରୁ ଟେଣ୍ଡରକୁ ବାତିଲ କରାଯାଇଥିବା କୁହାଯାଇଛି । ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିରୋଧୀ କଂଗ୍ରେସ । ଅଧିକ ପଢ଼ନ୍ତୁ

ଅନିଶ୍ଚିତତା ଘେରରେ କୋଷ୍ଟାଲ ହାଇୱେ ପ୍ରକଳ୍ପ

ଭୁବନେଶ୍ବର: ଅନିଶ୍ଚିତତା ଘେରକୁ ଠେଲି ହୋଇଯାଇଛି ଗୋପାଳପୁର- ଦୀଘା କୋଷ୍ଟାଲ ହାଇୱେ ପ୍ରକଳ୍ପ । ଏହି ପ୍ରକଳ୍ପର ଟେଣ୍ଡର ବାତିଲ କରିଛନ୍ତି ଜାତୀୟ ରାଜପଥ କର୍ତ୍ତୃପକ୍ଷ । ବାରମ୍ବାର ପ୍ରକଳ୍ପ ନକ୍ସାରେ ପରିବର୍ତ୍ତନ କାରଣରୁ ଟେଣ୍ଡରକୁ ବାତିଲ କରାଯାଇଥିବା କୁହାଯାଇଛି । କୋଷ୍ଟାଲ ହାଇୱେ ଟେଣ୍ଡର ବାତିଲ ହେବା ପରେ ପ୍ରକଳ୍ପର କାର୍ଯ୍ୟକାରିତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି । ଏହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିରୋଧୀ କଂଗ୍ରେସ ।

ଅନିଶ୍ଚିତତା ଘେରକୁ ଠେଲି ହୋଇଗଲା ୧୨୪ କିମି ବିଶିଷ୍ଟ ଚାରି ଥାକିଆ ଗୋପାଳପୁର- ଦୀଘା ଜାତୀୟ ରାଜପଥ ପ୍ରକଳ୍ପ । ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ଭରତମାଳା ପ୍ରକଳ୍ପରେ ଯୋଡି ହୋଇଛି । ଏହି ପ୍ରସ୍ତାବିତ ପ୍ରକଳ୍ପ ବ୍ରହ୍ମପୁର ଠାରୁ ଆରମ୍ଭ କରି ପୁରୀର ରାମେଶ୍ବର, କାକଟପୁର ଏବଂ ଏରସମା ଦେଇ ରତ୍ନପୁରଠାରେ କାମ ଶେଷ ହେବାର ଥିଲା । ହେଲେ ପ୍ରଶାସନିକ କାରଣ ଦର୍ଶାଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ରାମେଶ୍ବର- ପୁରୀ, ପୁରୀ- କାକଟପୁର ଏବଂ ଏରସମା- ରତ୍ନପୁର ତିନୋଟି ପ୍ରସ୍ତାବିତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟର ଟେଣ୍ଡରକୁ ସୋମବାର ବାତିଲ କରିଛନ୍ତି ।

ଏହି ପ୍ରକଳ୍ପ ବାତିଲକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି, "କେନ୍ଦ୍ରମନ୍ତ୍ରୀମାନଙ୍କ ଘୋଷଣା ଏକ ପ୍ରହସନ । ଓଡିଶା ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । କୋଷ୍ଟାଲ ହାଇୱେ ହେବନାହିଁ ବୋଲି ସମସ୍ତେ ଜାଣିଥିଲେ । ଖାଲି ପ୍ରଚାରପ୍ରସାର କରି ରଖିଲେ । ଅନେକ କ୍ଷେତ୍ରରେ କେନ୍ଦ୍ର ସରକାର ମିଛ କହି ଖାଲି ପ୍ରତାରଣା କରିଛନ୍ତି ।" ସେହିଭଳି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ଓଡିଶାକୁ ଦୁର୍ବଳ, ପଛୁଆ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ଓଡିଶା ସହ ଘୋର ଅନ୍ୟାୟ କରୁଛି କେନ୍ଦ୍ର । ଓଡ଼ିଶାର ବିକାଶ ଅସମ୍ଭବ ।" କୋଷ୍ଟାଲ ହାଇୱେକୁ ଯଦି କାର୍ଯ୍ୟକ୍ଷମ ନକରିବେ, କଂଗ୍ରେସ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ସୁର ।

ଏହା ମଧ୍ୟ ପଢ଼ନ୍ତୁ...କୋଷ୍ଟାଲ ହାଇୱେ ପ୍ରକଳ୍ପ: ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ଅଟକିଛି କାର୍ଯ୍ୟ

ତେବେ ଉପକୂଳ ଓଡିଶାର ପର୍ଯ୍ୟଟନ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବା ପାଇଁ ଗତ ୨୦୧୫ ମସିହାରେ ଉପକୂଳ ରାଜପଥର ପରିକଳ୍ପନା କରାଯାଇଥିଲା । ଏହି ପ୍ରକଳ୍ପକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ପୂର୍ବରୁ ଅନେକ ଥର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ପ୍ରକଳ୍ପର ରୁଟ୍‌ ଏବଂ ରୂପରେଖକୁ ନେଇ ଅନେକ ଅଞ୍ଚଳରେ ବିରୋଧାଭାସ ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ଏହି ପ୍ରକଳ୍ପର ନକ୍ସାକୁ ୩ ଥର ପରିବର୍ତ୍ତନ କରାଯାଇଥିଲା । ବିଳମ୍ବରେ ହେଲେ ମଧ୍ୟ ପ୍ରକଳ୍ପ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ବାନ ମଧ୍ୟ କରାଯାଇଥିଲା । ହେଲେ ଟେଣ୍ଡର ବାତିଲ ପରେ ଏହି ପ୍ରକଳ୍ପ ଏବେ ଅନିଶ୍ଚିତତା ଘେରକୁ ଚାଲିଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.