ETV Bharat / state

ରାଜ୍ୟରେ ସତ୍ତା ହରାଉଛି କଂଗ୍ରେସ ! ନେତୃତ୍ବର ଶୂନ୍ୟସ୍ଥାନ ରହିଛି କହିଲେ ରାଜନୀତି ସମୀକ୍ଷକ

author img

By

Published : Jan 11, 2023, 9:33 AM IST

ଦୁଇଟି ଉପନିର୍ବାଚନରେ ପରାଜୟ ପରେ ସତ୍ତା ଖୋଜୁଛି ରାଜ୍ୟ କଂଗ୍ରେସ
ଦୁଇଟି ଉପନିର୍ବାଚନରେ ପରାଜୟ ପରେ ସତ୍ତା ଖୋଜୁଛି ରାଜ୍ୟ କଂଗ୍ରେସ

ଦୁଇ ଦୁଇଟି ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ସତ୍ତା ଖୋଜୁଛି ରାଜ୍ୟ କଂଗ୍ରେସ । ଆଗକୁ ୨୦୨୪ ନିର୍ବାଚନ ଥିବାବେଳେ ସେଥିରେ ଏକାଠି ଲଢ଼ିବୁ ବୋଲି କହିଛନ୍ତି କଂଗ୍ରେସ ନେତା । ସେପଟେ କଂଗ୍ରେସ ଦଳରେ ନେତୃତ୍ବର ଶୂନ୍ୟସ୍ଥାନ ଥିବା କହିଛନ୍ତି ବରିଷ୍ଠ ରାଜନୀତି ସମୀକ୍ଷକ ରବି ଦାସ । ଅଧିକ ପଢ଼ନ୍ତୁ

ଦୁଇଟି ଉପନିର୍ବାଚନରେ ପରାଜୟ ପରେ ସତ୍ତା ଖୋଜୁଛି ରାଜ୍ୟ କଂଗ୍ରେସ

ଭୁବନେଶ୍ବର: କ୍ରମାଗତ ଭାବେ କଂଗ୍ରେସ ରାଜ୍ୟରେ ଖରାପ ପ୍ରଦର୍ଶନ କରୁଛି । ଦୁଇ ଦୁଇଟି ଉପନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିବା ପରେ ଦେଶର ସର୍ବପୁରାତନ ଦଳ ଏବେ ରାଜ୍ୟରେ ନିଜର ଅସ୍ତିତ୍ବ ବଞ୍ଚାଇବା ପାଇଁ ସଂଗ୍ରାମ କରୁଛି । ୨୦୧୪ ନିର୍ବାଚନ ପରାଜୟ ପରେ ଦେଶର ଶାସନ ଗାଦିରୁ ହଟିବା ପରେ ରାଜ୍ୟରେ ମଧ୍ୟ ନିଜର ଅସ୍ତିତ୍ବ ବଞ୍ଚାଇ ରଖିବା ପାଇଁ ସଂଘର୍ଷ କରୁଛି କଂଗ୍ରେସ । ନା ଜାତୀୟସ୍ତରରେ ଅଛି ନେତୃତ୍ବର ଆକର୍ଷଣ ନା ରାଜ୍ୟରେ କଂଗ୍ରେସକୁ ନୂଆ ଦିଗ ଦେବା ଭଳି ମୁଖିଆ ଅଛନ୍ତି ।

ରାଜ୍ୟ କଂଗ୍ରେସର ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ଦଳକୁ ଏକ ପ୍ରକାର ଦୁର୍ବଳ କରୁଛି । ସବୁଠୁ ବଡ଼ କଥା ହେଉଛି କଂଗ୍ରେସକୁ କିଏ ଆଗକୁ ନେବ । ଦଳରେ ସବୁ ବର୍ଗକୁ ସାଙ୍ଗରେ ଧରି ଚାଲିବା ପିସିସି ମୁଖିଆଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ଦଳୀୟ ଅନୁଶାସନକୁ ବେଖାତିର କରି ବିଶୃଙ୍ଖଳିତ ମନ୍ତବ୍ୟ ଦେବା କଂଗ୍ରେସ କର୍ମୀ ଓ ନେତାଙ୍କ ଏକପ୍ରକାର ନିତିଦିନିଆ ଅଭ୍ୟାସ ପାଲଟିଗଲାଣି ।

ରାଜ୍ୟରେ ନାହିଁ ପିସିସି କମିଟି- ପିସିସି ସଭାପତି ଦାୟିତ୍ବ ନେବାର ୬ ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପିସିସି କମିଟି ଗଠନ ହୋଇପାରିନାହିଁ । ୨୦୨୪ରେ ସାଧାରଣ ନିର୍ବାଚନ ଆସୁଥିବାରୁ ବିଜେଡି, ବିଜେପି ନିଜ ନିଜର ଘର ସଜଡ଼ା ଆରମ୍ଭ କରି ସାରିଛନ୍ତି । ଦଳୀୟ ରଣନୀତି ତୃଣମୂଳସ୍ତରରୁ ସୁଦୃଢ କରିବା ପାଇଁ ବୁଥ ସ୍ତରରୁ ଦାୟିତ୍ବ ବଣ୍ଟନ ସରିଛି । ହେଲେ କଂଗ୍ରେସ ଏବେ ସୁଦ୍ଧା ରାଜ୍ୟ କମିଟି ଘୋଷଣା କରିପାରିଲା ନାହିଁ । ଯାହାକୁ ନେଇ ଦଳରେ ଚାପା ଗୁଞ୍ଜରଣ ସୃଷ୍ଟି ହେବାରେ ଲାଗିଲାଣି । ଯଦିଓ କ୍ୟାମେରା ସାମ୍ନାରେ ସତ କହିବାକୁ ନେତା କର୍ମୀ ପଛଘୁଞ୍ଚା ଦେଉଛନ୍ତି, ତଥାପି ଦଳରେ ନିଜର ଭବିଷ୍ୟତ ନେଇ ଆଶା ଓ ଆଶଙ୍କାରେ ରହିଛନ୍ତି ।

'କ୍ଷମତାକୁ ଫେରିବ କଂଗ୍ରେସ'- ଯୁବ କଂଗ୍ରେସ ମୁଖପାତ୍ର ନଳିନୀ ପ୍ରଧାନ କହିଛନ୍ତି, "ସ୍ବୀକାର କରୁଛୁ ରାଜ୍ୟରେ ଆମେ ତିନି ନମ୍ବର ଦଳ, ହେଲେ ମିଳିତ ଭାବେ ଏକଜୁଟ ହୋଇ ଆଗକୁ ପ୍ରଦର୍ଶନ କରିବୁ ।" ୨୦୨୪ ପୂର୍ବରୁ ଦଳ ସାଙ୍ଗଠନିକ କ୍ଷେତ୍ରରେ ନିଜର କାର୍ଯ୍ୟକ୍ରମ ଆରମ୍ଭ କରିବ ବୋଲି ସେ କହିଛନ୍ତି । ସେହିଭଳି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "କଂଗ୍ରେସ ୨୦୨୪ ନିର୍ବାଚନରେ କ୍ଷମତାକୁ ଫେରିବ । କଂଗ୍ରେସ ଦେଶରେ ଭଲ ପ୍ରଦର୍ଶନ କରିବ । ରାହୁଲ ଗାନ୍ଧୀଙ୍କ ଭରତ ଯୋଡୋ ଯାତ୍ରା କଂଗ୍ରେସକୁ ନୂଆ ଦିଗ ଦେଖାଇବ ।" ଓଡ଼ିଶାରେ ଉଭୟ ବିଜେପି ଏବଂ ଶାସକ ବିଜେଡିକୁ ଲୋକେ ପ୍ରତ୍ୟାଖିତ କରିବେ ବୋଲି ସୁର କହିଛନ୍ତି ।

'ଦଳରେ ନେତୃତ୍ବର ଶୂନ୍ୟସ୍ଥାନ ରହିଛି'- ସେପଟେ ରାଜନୀତି ସମୀକ୍ଷକଙ୍କ ମତରେ କଂଗ୍ରେସ ଏବେ ଦିଶାହୀନ । ଦଳରେ ନେତୃତ୍ବର ଏକ ବିରାଟ ଶୂନ୍ୟସ୍ଥାନ ରହିଛି । କାହାକୁ ନେଇ କଂଗ୍ରେସ ଆଗକୁ ବଢିବ, ସେ ଚେହେରା କିଏ ବୋଲି ପ୍ରଶ୍ନ କରିଛନ୍ତି ରାଜନୀତି ସମୀକ୍ଷକ ରବି ଦାସ । କେନ୍ଦ୍ରୀୟ ନେତାଙ୍କ ଆକର୍ଷଣ ସୃଷ୍ଟି ହେଲେ ରାଜ୍ୟରେ ଲୋକେ ବିଶ୍ବାସ କରିବେ । ରାଜ୍ୟରେ କଂଗ୍ରେସ ପାଇଁ ଏକ ମାହୋଲ ସୃଷ୍ଟି କରିବାକୁ ପଡିବ । ତେବେ ଭାରତ ଯୋଡୋ ଓ ହାଥ୍‌ ସେ ହାଥ୍‌ ଯୋଡୋ ପଦଯାତ୍ରା କେତେ ସଫଳତା ଆଣିଦେବ ଓ ରାଜ୍ୟବାସୀଙ୍କ ପାଖରେ କିପରି ବିଶ୍ବାସଭାଜନ ହେବ, ତାହା ସମୟ କହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.