ETV Bharat / state

କେନ୍ଦ୍ରାପଡ଼ାବାସୀଙ୍କୁ ନିରାଶ କରିଛନ୍ତି ସରକାର: କଂଗ୍ରେସ

author img

By

Published : Apr 29, 2023, 10:42 PM IST

କେନ୍ଦ୍ରାପଡ଼ା ଗସ୍ତରେ ଯାଇ ସେତୁ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ପାଣ୍ଡିଆନ । ତେବେ ଜିଲ୍ଲାର ବଡ ସମସ୍ୟା ବାବଦରେ କେନ୍ଦ୍ରାପଡାବାସୀ କିଛି ଶୁଣିବାକୁ ପାଇଲେ ନାହିଁ । ଫଳରେ କେନ୍ଦ୍ରାପଡ଼ାବାସୀଙ୍କୁ ନିରାଶ କରିଛନ୍ତି ସରକାର ବୋଲି କହିଛନ୍ତି କଂଗ୍ରେସ ନେତା ଗଣେଶ୍ବର ବେହେରା । ଅଧିକ ପଢ଼ନ୍ତୁ

5T ସଚିବଙ୍କ କେନ୍ଦ୍ରାପଡ଼ା ଗସ୍ତ ନେଇ କଂଗ୍ରେସର ପ୍ରତିକ୍ରିୟା
5T ସଚିବଙ୍କ କେନ୍ଦ୍ରାପଡ଼ା ଗସ୍ତ ନେଇ କଂଗ୍ରେସର ପ୍ରତିକ୍ରିୟା

5T ସଚିବଙ୍କ କେନ୍ଦ୍ରାପଡ଼ା ଗସ୍ତ ନେଇ କଂଗ୍ରେସର ପ୍ରତିକ୍ରିୟା

ଭୁବନେଶ୍ବର: ସାଧାରଣରେ ଏବେ ଚର୍ଚ୍ଚା ଜୋର ଧରିଛି ଯେ, ଶାସକ ଦଳରେ ନେତା ଓ ମନ୍ତ୍ରୀ ମାନଙ୍କୁ ଗୁରୁତ୍ବ ଦିଆଯାଉ ନାହିଁ । ତେବେ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ପାଣ୍ଡିଆନ କେନ୍ଦ୍ରାପଡ଼ା ଗସ୍ତ କରିଥିଲେ । ସେଠାରେ ସେତୁ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହା ବିଜୁ ସେତୁ ଯୋଜନା ଅଧିନରେ ନିର୍ମାଣ ହେବ । ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖି କେନ୍ଦ୍ରାପଡ଼ାକୁ ରାଜ୍ୟ ସରକାର ନିରାଶ କରିଥିବା ଅଭିଯୋଗ କରିଛି କଂଗ୍ରେସ । ଜଣେ ସରକାରୀ ଅଧିକାରୀ ରାଜନେତାଙ୍କ ଦାୟିତ୍ଵ ନିର୍ବାହ କରୁଛନ୍ତି ବୋଲି କହି 5T ସଚିବ ଭିକେ ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ଗଣେଶ୍ବର ବେହେରା ।

ପ୍ରତିକ୍ରିୟାରେ କଂଗ୍ରେସ ନେତା ଗଣେଶ୍ବ ବେହେରା କହିଛନ୍ତି, "ସେ ଜଣେ ସରକାରୀ କର୍ମଚାରୀ ଅଧିକାରୀ । ସେ ରାଜନେତାଙ୍କ ଦାୟିତ୍ବ ନିର୍ବାହ କରୁଛନ୍ତି । ସେ କହୁଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କରୁଛନ୍ତି । ସେଥିପାଇଁ ସେ ବିଭିନ୍ନ ଅଞ୍ଚଳ ଗସ୍ତ କରି ବିଭିନ୍ନ ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ସଚିବଙ୍କର ଦୁଇ ଦିନିଆ ଗସ୍ତ ଭିତରେ ଜିଲ୍ଲାର ବଡ ସମସ୍ୟା ବାବଦରେ କେନ୍ଦ୍ରାପଡାବାସୀ କିଛି ଶୁଣିବାକୁ ପାଇଲେ ନାହିଁ । କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ରାଜନୈତିକ ଦଳ ପକ୍ଷରୁ ପ୍ରତିବାଦ କରାଯାଉଛି । ହେଲେ ଏହା ଉପରେ କିଛି ଆଲୋଚନା ହେଲା ନାହିଁ । ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କଲେଣି । କିନ୍ତୁ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ମିଳିଲା ନାହିଁ । ନିରାଶ ହୋଇଛନ୍ତି କେନ୍ଦ୍ରାପଡାବାସୀ । ସେହିପରି କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ କରିବା ପାଇଁ ପ୍ରତିଶୃତି ମିଳିଲା ନାହିଁ । କେନ୍ଦ୍ରାପଡାରେ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ଉପରେ ବି ଆଲୋଚନା ହେଲା ନାହିଁ । ତେଣୁ ଏହା ପ୍ରଚାର ସର୍ବସ୍ବ । କେନ୍ଦ୍ରାପଡାବାସୀଙ୍କୁ ନିରାଶ କରିଛନ୍ତି ରାଜ୍ୟ ସରକାର ।" ସେହିଭଳି ଜଣେ ରାଜନେତା କିମ୍ବା ମନ୍ତ୍ରୀ ଗଲେ ଯେପରି ଦଳୀୟ କର୍ମୀମାନେ ସେମାନଙ୍କୁ ସ୍ବାଗତ କରିଥାନ୍ତି, ଏହି ସରକାରୀ ଅଧିକାରୀଙ୍କ ପାଇଁ ମଧ୍ୟ ଅନୁରୂପ ବ୍ୟବସ୍ଥା ବୋଲି କହି ତାତ୍ସଲ୍ୟ କରିଛନ୍ତି ଗଣେଶ୍ବର ।

ସୂଚନାଯୋଗ୍ୟ ଯେ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମୁଖମନ୍ତ୍ରୀଙ୍କ ସଚିବ ରାଜ୍ଯରେ ସବୁ ଜିଲ୍ଲା ଗସ୍ତ କରୁଛନ୍ତି ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରୁଛନ୍ତି । କେନ୍ଦ୍ରାପଡ଼ା ସହିତ ଗତକାଲି ମଧ୍ୟ କଟକ ସଦର ନେମାଳ ଅଞ୍ଚଳ ପରିଦର୍ଶନ କରିଥିଲେ । ସେଠାରେ ଅଚ୍ୟୁତାନନ୍ଦ ଦାସ ସାଧନ ଓ ସମାଧି ପୀଠ ବୁଲି ଦେଖିଥିଲେ । ମୁଖମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ ନେମାଳ ପୀଠରେ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ । ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ସହିତ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.