ETV Bharat / state

ବିନା ଟ୍ୟୁସନରେ ଟପ୍ପର ଶ୍ୟାମଳୀ, ଦେଖିଛନ୍ତି ଡାକ୍ତର ହେବା ସ୍ବପ୍ନ - Matric Topper Smyali Gitanjali

author img

By ETV Bharat Odisha Team

Published : May 26, 2024, 5:27 PM IST

Struggle Story of Matric Topper: ଜୀବନର ସଂଘର୍ଷକୁ ହରାଇ ମାଟ୍ରିକ ପରୀକ୍ଷାରେ ଟପ୍ପର ହେଲେ ଶ୍ୟାମଳୀ ଗୀତାଞ୍ଜଳୀ ସରକାର । ଅଧିକ ପଢ଼ନ୍ତୁ

Struggle Story of Matric Topper
Struggle Story of Matric Topper (ETV Bharat Odisha)

ଭୁବନେଶ୍ବର: ପ୍ରକାଶ ପାଇଲା ଦଶମ ଶ୍ରେଣୀ ପରୀକ୍ଷା ଫଳ । ଅନେକ ଛାତ୍ରଛାତ୍ରୀ ଭଲ ନମ୍ବର ରଖି ପାସ ହୋଇଛନ୍ତି । ଏହାରି ମଧ୍ୟରେ ଏମିତି ଜଣେ ଛାତ୍ରୀ ହେଉଛନ୍ତି ଭୁବନେଶ୍ବର ସ୍ଥିତ ୟୁନିଟ୍-୩ର କ୍ୟାପିଟାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଶ୍ୟାମଳୀ ଗୀତାଞ୍ଜଳୀ ସରକାର । ସେ ଚଳତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ୫୫୨ ନମ୍ବର ରଖି A1 ଗ୍ରେଡ ପାଇଛନ୍ତି । ବିନା ଟ୍ୟୁସନରେ ଶ୍ୟାମଳୀ ଟପ୍ପର ହୋଇଥିବା ବେଳେ ଡାକ୍ତର ହୋଇ ବାପାଙ୍କ ସ୍ବପ୍ନକୁ ସାକାର କରିବାକୁ ପ୍ରୟାସ କରିବେ ବୋଲି କହିଛନ୍ତି ।

BSE Odisha Matric result 2024 (ETV Bharat Odisha)

ପିଲାଟି ବେଳୁ ଶ୍ୟାମଳୀଙ୍କ ମୁଣ୍ଡ ଉପରୁ ବାପାଙ୍କ ହାତ ଉଠିଯାଇଥିବା ବେଳେ ବର୍ତ୍ତମାନ ଘର ମୁରବୀ ହେଉଛନ୍ତି ମାଆ । ଶ୍ୟାମଳୀଙ୍କ ମା’ ଏକ ଛୋଟିଆ ଘରୋଇ ବିଦ୍ୟାଳୟରେ ଛୋଟ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ଘରର ଆର୍ଥିକ ପରିସ୍ଥିତି ଏବଂ ନିଜର ସ୍ବପ୍ନ ସହିତ ସଂଘର୍ଷ କରି ଆଜି ସଫଳତାର ପ୍ରଥମ ସିଡି ଚଢ଼ିଛନ୍ତି ଶ୍ୟାମଳୀ । ପିଲାଟି ବେଳୁ ସେ ଖୁବ୍ ମେଧାବୀ ଏବଂ ପରିଶ୍ରମୀ । ଏହା ସହ ଘରେ ଅଧ୍ୟୟନର ପରିବେଶ ମଧ୍ୟ ବେଶ୍ ଭଲ । ଯାହା ତାଙ୍କୁ ବହୁତ ସାହାଯ୍ୟ କରିଛି । ସେ ବିଶ୍ବାସ କରନ୍ତି ଯେ ଅଧ୍ୟୟନ ସବୁବେଳେ ଅନୁଶାସନ ସହିତ କରାଯିବା ଉଚିତ୍ । ବାପାଙ୍କୁ ହରାଇବା ପରେ ଶ୍ୟାମଳୀ କହିଛନ୍ତି ଯେ ଏକ ସମୟରେ ସେମାନଙ୍କର ଆର୍ଥିକ ସ୍ଥିତି ଖୁବ୍ ଖରାପ ହେବାରେ ଲାଗିଥିଲା । ଯେଉଁଥିପାଇଁ ତାଙ୍କୁ ପାଠ ପଢ଼ାରେ ଅନେକ ବାଧାବିଘ୍ନ ଅତିକ୍ରମ କରିବାକୁ ପଡ଼ିଥିଲା । ସେ ସମୟରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ମାନେ ତାଙ୍କୁ ସାହାଯ୍ୟ ସହଯୋଗ କରିଥିଲେ । ଶ୍ୟାମଳୀ ଦୈନିକ ୭ରୁ ୮ ଘଣ୍ଟା ଅଧ୍ୟୟନ କରିବା ସହିତ ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ପେଶାରେ ବାପା ଟ୍ୟାକ୍ସି ଡ୍ରାଇଭର; ମାଟ୍ରିକ ପରୀକ୍ଷାରେ ପୁଅ ଟପ୍ପର ! - BSE Matric Result 2024

ସୂଚନା ଅନୁଯାୟୀ, ଚଳିତ ବର୍ଷର ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ । ପାସ୍‌ହାର ୯୬.୦୭ ପ୍ରତିଶତ ହୋଇଛି । ଚଳିତ ବର୍ଷ ଛାତ୍ରଙ୍କୁ ଟପିଛନ୍ତି ଛାତ୍ରୀ । ପାସ୍‌ହାରରେ ଛାତ୍ରୀ ଆଗରେ ରହିଛନ୍ତି । ତେବେ ଝିଅଙ୍କ ପାସ୍ ହାର ୯୬.୭୩ ପ୍ରତିଶତ ରହିଥିବା ବେଳେ ଓ ପୁଅଙ୍କ ପାସ୍‌ ହାର ୯୫.୩୯ ପ୍ରତିଶତ ରହିଛି । ମୋଟ ୫, ୪୧,୬୧ ଜଣ ପରୀକ୍ଷା ଦେଇଥିବାବେଳେ ୫୩୦୧୫୩ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ଏବଂ ନୂଆପଡାରେ ସର୍ବନିମ୍ନ ପାସ୍‌ହାର ରହିଥିବା ଜଣା ପଡ଼ିଛି । ଖୋର୍ଦ୍ଧାରେ ୯୭.୯୮ ପ୍ରତିଶତ ଓ ନୂଆପଡାରେ ୯୩.୯୧ ପ୍ରତିଶତ । ତେବେ www.bseodisha.ac.inରେ ଯାଇ ଛାତ୍ରଛାତ୍ରୀ ନିଜ ରେଜଲ୍ଟ ଦେଖିପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.