ETV Bharat / state

Ama Odisha Naveen Odisha Launches: ପୁରୀ ପାଇଁ ୧୩୪ ଓ ନୟାଗଡ ପାଇଁ ୯୭ କୋଟି

author img

By ETV Bharat Odisha Team

Published : Oct 13, 2023, 10:51 PM IST

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଯୋଜନାରେ ସଂସ୍କୃତି ସହିତ ଆଧୁନିକତାର ହେବ ସମନ୍ବୟ । ଏହି ସମନ୍ବୟରେ ଗାଁ ଗାଁ ରେ ଆସିବ ସମୃଦ୍ଧି । ଏହି ହେଉଛି ଏକବିଂଶ ଶତାଦ୍ଦୀର ଓଡିଶା ପାଇଁ ଆମର ସଂକଳ୍ପ । ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଅଧିକ ପଢନ୍ତୁ

Ama Odisha Naveen Odisha Launches: ପୁରୀ ପାଇଁ ୧୩୪ ଓ ନୟାଗଡ ପାଇଁ ୯୭ କୋଟି
Ama Odisha Naveen Odisha Launches: ପୁରୀ ପାଇଁ ୧୩୪ ଓ ନୟାଗଡ ପାଇଁ ୯୭ କୋଟି

ଭୁବନେଶ୍ବର: ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମର ଫୋକସ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିସି ଯୋଗେ ଦ୍ବିତୀୟ ଦିନରେ ପୁରୀ ଓ ନୟାଗଡ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା । ଏଥିପାଇଁ ପୁରୀ ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୧୩୪ କୋଟି ଟଙ୍କା ଏବଂ ଏଥିରେ ୪୧୩୦ଟି ପ୍ରକଳ୍ପ ହେବ । ସେହିପରି ନୟାଗଡ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀ ପାଇଁ ୯୭ କୋଟି ଟଙ୍କା ଓ ଏଥିରେ ୨୯୨୪ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଯୋଜନାରେ ସଂସ୍କୃତି ସହିତ ଆଧୁନିକତାର ହେବ ସମନ୍ବୟ । ଏହି ସମନ୍ବୟରେ ଗାଁ ଗାଁରେ ଆସିବ ସମୃଦ୍ଧି । ଏହି ହେଉଛି ଏକବିଂଶ ଶତାଦ୍ଦୀର ଓଡିଶା ପାଇଁ ଆମର ସଂକଳ୍ପ । ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ । ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ । ଐତିହ୍ୟସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ । ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ସେ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଗାଁ'ରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁ ରେ ଇଣ୍ଟରନେଟ୍ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । ବ୍ୟାଙ୍କିଙ୍ଗ ସୁବିଧା ମିଳିବ । ଏହି କାର୍ଯ୍ୟକ୍ରମରେ ଗାଁର ପ୍ରାଥମିକ ସ୍କୁଲ ଗୁଡିକ ମଧ୍ୟ ସାମିଲ ହେବ । ଏହା ଆମର ଯୁବ ସମାଜ, ମା', ଚାଷୀ ଭାଇ ଭଉଣୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଅମାପ ସୁଯୋଗ ଆଣିବ । ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଉଜ୍ଜଳ କରିବ । ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ । ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି ।

ଅଧିକ ପଢନ୍ତୁ- Ama Odisha Nabin Odisha: ଆରମ୍ଭ ହେଲା ଆମ ଓଡିଶା ନବୀନ ଓଡିଶା; ଖର୍ଚ୍ଚ ହେବ ୩୩୯୭ କୋଟି

ଆଜିର କାର୍ଯ୍ୟକ୍ରମ ପାଇଁ ପୁରୀର ୬ଟି ନିର୍ବାଚନମଣ୍ଡଳୀ ଓ ନୟାଗଡର ୪ଟି ନିର୍ବାଚନ ମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପୁରୀର ୬ଟି ନିର୍ବାଚନ ମଣ୍ଡଳୀର ୨୬୮ଟି ଗ୍ରାମ ପଞ୍ଚାୟତର ୪୧୩୦ଟି ପ୍ରକଳ୍ପ ପାଇଁ ୧୩୪ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ, ନୟାଗଡ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀର ୧୯୪ଟି ଗ୍ରାମ ପଞ୍ଚାୟତର ୨୯୨୪ଟି ପ୍ରକଳ୍ପ ପାଇଁ ୯୭ କୋଟି ଟଙ୍କା ମଞ୍ଜୁର କରାଯାଇଛି । ୫ଟି ସଚିବ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଛନ୍ତି ।

ଗସ୍ତ ପରେ ବିଭିନ୍ନ ଅଞ୍ଚଳ ପାଇଁ ଯେଉଁ ଯେଉଁ ପ୍ରକଳ୍ପ ସବୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି, ସେ ସଂପର୍କରେ ୫ଟି ସଚିବଙ୍କ ସୂଚନା ଦେଇଛନ୍ତି । ଆମ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରସ୍ତାବିତ ପ୍ରକଳ୍ପ ଓ ଆବଶ୍ୟକତାକୁ ଦେଖି ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି । ୫ଟି ସଚିବ ସୂଚନା ଦେଇ କହିଛନ୍ତି ଯେ, ପୁରୀ ଜିଲ୍ଲାର ୧୦ଟି ମନ୍ଦିର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ୧୪ କୋଟି ୩୬ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହା ହେଲା ବ୍ରହ୍ମଗିରି ଅଞ୍ଚଳର ଭାବକୁଣ୍ଡଳେଶ୍ବର ମନ୍ଦିର ପାଇଁ ୧.୩ କୋଟି, କମଳେଶ୍ବର ଦେବ ମନ୍ଦିର ପାଇଁ ୧.୯୮ କୋଟି, ନିମାପଡା ଜଟେଶ୍ବର ଦେବ ମନ୍ଦିର ପାଇଁ ୧.୪୬ କୋଟି, ସୋମନାଥ ମନ୍ଦିର ପାଇଁ ୧.୪୫ କୋଟି, ଅମରେଶ୍ବର ମନ୍ଦିର ପାଇଁ ୧.୪୪ କୋଟି, ପିପିଲି ଅଞ୍ଚଳରେ କୁରୁକ୍ଷେଶ୍ବର ମନ୍ଦିର ପାଇଁ ୧ କୋଟି, ଅରଗଡ ବୌଦ୍ଧପୀଠ ପାଇଁ ୧ କୋଟି, ଗୋପୀନାଥ ମନ୍ଦିର ପାଇଁ ୩ କୋଟି, ସତ୍ୟବାଦୀର ବରାଳ ବାଲୁଙ୍କେଶ୍ବର ମନ୍ଦିର ପାଇଁ ୮୮ ଲକ୍ଷ ଓ ତୃତୀୟ ଦେବ ମନ୍ଦିର ପାଇଁ ୮୫ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ।

ସେହିପରି ନୟାଗଡ ଜିଲ୍ଲାରେ ୧୧ଟି ମନ୍ଦିରର ଉନ୍ନତିକରଣ ପାଇଁ ୩୫ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି । ଏହା ହେଲା ରଣପୁର ଅଞ୍ଚଳର ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ୪.୬୦ କୋଟି, ମା ମଣିନାଗ ମନ୍ଦିର ପାଇଁ ୩ କୋଟି, ତଳମଣିନାଗ ମନ୍ଦିର ପାଇଁ ୨ କୋଟି, ଲଡୁବାବା ମନ୍ଦିର ପାଇଁ ୫ କୋଟି, ଦଶପଲ୍ଲାର ମହାବୀରଜୀଉ ମନ୍ଦିର ପାଇଁ ୪.୫୦ କୋଟି, ସ୍ବପ୍ନେଶ୍ବର ମହାବୀର ମନ୍ଦିର ପାଇଁ ୫ କୋଟି, ନୟାଗଡ ଅଞ୍ଚଳର ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ୨.୭୭ କୋଟି, ଦକ୍ଷିଣକାଳୀ ମନ୍ଦିର ପାଇଁ ୩.୫୦ କୋଟି, ରଘୁନାଥ ଜୀଉ ମନ୍ଦିର ପାଇଁ ୩.୫୦ କୋଟି, ଦ୍ୟୁତିକେଶ୍ବର ମନ୍ଦିର ପାଇଁ ୧ କୋଟି ଓ ଧବଳେଶ୍ବର ମନ୍ଦିର ପାଇଁ ୬୧ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ, ତାଳଦଣ୍ଡା କେନାଲର ରୂପାନ୍ତର କାର୍ଯ୍ୟକ୍ରମର ଭିଡିଓ ଚିତ୍ର ପ୍ରଦର୍ଶନ କରାଯାଇଛି । ଏହି ରୂପାନ୍ତର ନବୀନ ଓଡିଶାର ଗୋଟିଏ ଗୋଟିଏ ନମୁନା ବୋଲି ୫ଟି ସଚିବ ମତ ଦେଇଛନ୍ତି । ଏହାକୁ ସମସ୍ତେ ସ୍ବଚ୍ଛତାର ସହ ଓ ଠିକ୍‌ ସମୟରେ ଶେଷ କରିବାକୁ ସେ ପରାମର୍ଶ ଦେଇଛନ୍ତି । କାର୍ଯ୍ୟକ୍ରମରେ ଉଭୟ ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଛନ୍ତି ।

କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ତୃଷାରକାନ୍ତି ବେହେରା, ବିଧାୟକ ସମୀର ରଞ୍ଜନ ଦାଶ, ବିଧାୟକ ରୁଦ୍ରପ୍ରତାପ ମହାରଥୀ, ବିଧାୟକ ଉମାକାନ୍ତ ସାମନ୍ତରାୟ, ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଭିସି ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗାଁ ରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଛନ୍ତି । ନୟାଗଡ ଜିଲ୍ଲା କାର୍ଯ୍ୟକ୍ରମରେ ବିଧାୟକ ସତ୍ୟନାରାୟଣ ପ୍ରଧାନ, ରମେଶ ଚନ୍ଦ୍ର ବେହେରା ଓ ଡଃ ଅରୁଣ କୁମାର ସାହୁଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚମାନେ ଯୋଗ ଦେଇ ମତାମତ ରଖିଛନ୍ତି । ୫ଟି ସଚିବଙ୍କ ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଗୁଡିକ ମଧ୍ୟ ଦୂର ହୋଇଛି ବୋଲି ସେମାନେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.