ETV Bharat / state

ଟିକସ ଫାଙ୍କିବା ଅଭିଯୋଗରେ ବାଣିକ୍‌ରେ ସେଣ୍ଟ୍ରାଲ ଜିଏସଟି ବିଭାଗର ଚଢ଼ାଉ

author img

By

Published : Mar 29, 2023, 9:36 PM IST

Updated : Mar 29, 2023, 10:46 PM IST

gst raid on vanik coaching centre
ବଣିକ୍‌ରେ ସେଣ୍ଟ୍ରାଲ ଜିଏସଟି ବିଭାଗର ଚଢ଼ାଉ

ଜିଏସଟି ଫାଙ୍କି ଅଡୁଆରେ ରାଜ୍ୟର ପ୍ରମୁଖ ଘରୋଇ କୋଚିଂ ସେଣ୍ଟର ବଣିକ୍ । ଡାଇରେକ୍ଟୋରେଟ ଜେନରାଲ ଅଫ ଜିଏସଟି ଇଣ୍ଟେଲିଜେନ୍ସ ପକ୍ଷରୁ ଭୁବନେଶ୍ବରର ଦୁଇଟି ସ୍ଥାନରେ ଚଢ଼ାଉ । ଅଧିକ ପଢ଼ନ୍ତୁ

ବଣିକ୍‌ରେ ସେଣ୍ଟ୍ରାଲ ଜିଏସଟି ବିଭାଗର ଚଢ଼ାଉ

ଭୁବନେଶ୍ବର: ରାଜ୍ୟର ଜଣାଶୁଣା ପ୍ରମୁଖ ଘରୋଇ କୋଚିଂ ସେଣ୍ଟର ବାଣିକ୍‌ରେ ଜିଏସଟି ଅନିୟମିତତା ନେଇ ଚଢ଼ାଉ । ଡାଇରେକ୍ଟୋରେଟ ଜେନରାଲ ଅଫ ଜିଏସଟି ଇଣ୍ଟେଲିଜେନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି । ଲକ୍ଷାଧିକ ଟଙ୍କାର ଜିଏସଟି ଫାଙ୍କୁଥିବା ଅଭିଯୋଗରେ ଭୁବନେଶ୍ବରର ଦୁଇଟି ସେଣ୍ଟରରେ ରେଡ୍‌ କରାଯାଇଛି । ଚଢ଼ାଉ ସମୟରେ କୋଚିଂ ସେଣ୍ଟରର ଅନେକ ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର DGGI ଟିମ ହାତରେ ଲାଗିଥିବା ସୂଚନା ମିଳିଛି ।

ମଙ୍ଗଳବାର ନୟାପଲ୍ଲୀ ଓ ସହିଦନଗର ସ୍ଥିତ ବାଣିକ୍ ଅନୁଷ୍ଠାନରେ ଡାଇରେକ୍ଟର ଜେନେରାଲ ଜିଏସଟି ଇଣ୍ଟେଲିଜେନସ ଜୋନାଲ ୟୁନିଟର ଭୁବନେଶ୍ୱର ଟିମ୍‌ର ୩୦ ଜଣ ଅଧିକାରୀ ଏହି ଶିକ୍ଷା ଅନୁଷ୍ଠାନ ଉପରେ ରେଡ୍‌ କରିଥିଲେ । ରାଜ୍ୟରେ କେତୋଟି କୋଚିଂ ଅପରେଟ ହେଉଛି, କେଉଁକେଉଁ କୋର୍ସ ପାଇଁ କେତେ ଟଙ୍କା ନିଆଯାଉଛି, କେତେ ପିଲା ଆଡ୍‌ମିସନ କରୁଛନ୍ତି, ଏମାନଙ୍କର ବାର୍ଷିକ ଟ୍ରାନଜାକ୍ସନ କେତେ, କ୍ୟାସ୍‌ ଓ ଅନ୍‌ଲାଇନ୍‌ ସହ ଚେକ୍‌ରେ କେତେ ଟଙ୍କା କାରବାର ହେଉଛି ଏପରି ତମାମ ଦିଗକୁ ନେଇ ଟିମ୍‌ ପକ୍ଷରୁ ଯାଞ୍ଚ କରାଯାଇଛି । ସଂସ୍ଥାର କିଛି ଡିଜିଟାଲ କପି ସମେତ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ସଂଗ୍ରହ କରିଛନ୍ତି । ତେବେ ଜିଏସଟି ଫାଙ୍କିବା ସନ୍ଦେହରେ ଗତ ତିନିମାସ ଧରି DGGI ସ୍କାନରରେ ରହିଥିଲା ବାଣିକ୍ । ବାର୍ଷିକ ଯେତିକି ଜିଏସଟି ଭରିବା କଥା ତାଠାରୁ ବହୁ ଗୁଣରେ କମ୍‌ ଟଙ୍କା ଭରାଯାଉଥିବା ସୂଚନା ମିଳିଛି । ତେବେ ଏହି ଘଟଣାର ତଦନ୍ତ ଜାରି ରହିଛି ।

ଏନେଇ ପ୍ରତିକ୍ରିୟା DGGIର ଅକ୍ତିରିକ୍ତ ନିର୍ଦ୍ଦେଶକ ଦେବାଶିଷ ସାହୁ କହିଛନ୍ତି, "ଏହି ମାମଲାର ତଦନ୍ତ ଚାଲିଛି । ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ ଠକେଇ ନେଇ ସ୍ପଷ୍ଟ କରାଯିବ । ଏହି ସଂସ୍ଥାର ୫ବର୍ଷର ଡକ୍ୟୁମେଣ୍ଟ ଯାଞ୍ଚ କରାଯାଉଛି । ଏପରି ମାସକୁ ହାରାହାରି ୧୦ଟି ମାମଲାର ଯାଞ୍ଚ କରାଯାଏ ।" ଚଳିତ ଆର୍ଥିକ ବର୍ଷରେ ୧୨୦ଟି ମାମଲାର ଯାଞ୍ଚ ଓ ରେଡ୍‌ ହୋଇଥିଲା । ୨୨ଶହ କୋଟି ଟଙ୍କାର ଅନିୟମିତତା ହୋଇଥିବା ଜଣାପଡ଼ିଥିଲା । ଯେଉଁଥିରେ ୧୦ ହଜାର‌ କୋଟିର କଳା ଟଙ୍କା କାରବାର ବିଭିନ୍ନ ସ୍ଥାନରୁ ଠାବ କରାଯାଇଛି । କେବଳ ଓଡ଼ିଶା ନୁହେଁ ଛତିଶଗଡ ୟୁନିଟ ମଧ୍ୟ ୨୬ଶହ କୋଟି ଟଙ୍କାର କାରବାର ଠାବ କରିଥିବା ବେଳେ ୫ହଜାର‌ କୋଟି କଳାଟଙ୍କାର କାରବାର ଆମେ ଠାବ କରାଯାଇ ପାରିଛି । ତେଣୁ ଯେଉଁମାନେ ଜିଏସଟି ଫାଙ୍କୁଛନ୍ତି ସେମାନଙ୍କୁ ଧାରା ୭୪ରେ ୧୫ପ୍ରତିଶତ ପେନାଲ୍‌ଟିରେ ଟାକ୍ସ ଭରିବାକୁ ନୋଟିସ କରାଯାଉଛି । ଯେଉଁଠି କେଳେଙ୍କାରୀ ଆସୁଛି ଯେପରିକି, ଫେକ୍‌ ଇନଭଏସ ବା ଇନପୁଟ ଟାକ୍ସ କ୍ରେଡିଟ ଠକିବା ଆଦି ଠକେଇରେ ସେମାନଙ୍କ ବିରୋଧରେ ଆଇନଗତ ଧାରା ୧୩୨ରେ ୭ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ପାଇଁ କୋର୍ଟରେ ପ୍ରୋସିକ୍ୟୁସନ କରାଯାଉଛି ।

ପ୍ରକାଶ ଥାଉକି, ବାଣିକ୍‌ ରାଜ୍ୟର ଏକ ପ୍ରମୁଖ ଘରୋଇ କୋଚିଂ ସେଣ୍ଟର । ଓପିଏସସି, ୟୁପିଏସସି ଓ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଏଠାରେ ଶିକ୍ଷାଦାନ କରାଯାଏ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଛାତ୍ରଛାତ୍ରୀ ଆସି ଏଠାରେ ପାଠ ପଢିଥାନ୍ତି । ସେହିପରି ଓଡ଼ିଶାର ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ବାଣିକ୍ ବ୍ରାଞ୍ଚ ରହିଛି । ତେବେ କେତେ ଟଙ୍କାର ଜିଏସଟି ଠକେଇ ହୋଇଛି ସେନେଇ ତଦନ୍ତ ଜାରି ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 29, 2023, 10:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.