ETV Bharat / state

ବାଲେଶ୍ବରରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ୪ ଗିରଫ

author img

By

Published : Aug 22, 2023, 6:40 AM IST

brown sugar smuggler arrested by STF
ବାଲେଶ୍ବରରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ବାଲେଶ୍ବର ରେଳ ଷ୍ଟେସନରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କଲା ଏସ୍‌ଟିଏଫ୍‌ ଟିମ୍ । ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ଏସ୍‌ଟିଏଫ୍‌ ଏସ୍‌ପି ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ବାଲେଶ୍ବରରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ବର: କୋଟିଏ ଟଙ୍କାର ବ୍ରାଉନ୍‌ସୁଗାର୍‌ ଜବତ ଚାଲାଣ ବେଳେ ବାଲେଶ୍ବର ଷ୍ଟେସନ ପାଖରୁ 1 କିଲୋ 100 ଗ୍ରାମ ବ୍ରାଉନସୁଗାର ଜବତ କରିଛି ଏସ୍‌ଟିଏଫ୍‌ ଟିମ୍ । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ଏସ୍‌ଟିଏଫ୍‌ ଏସପି ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ଏସ. କେ ଫୟାଜ, ଏସ .କେ ସାମସେଦ ଓରଫ ସୋନୁ, ଏସ. କେ ମୁରାଦ, ସନ୍ଦୀପ ନାୟକ । ସମସ୍ତେ ବାଲେଶ୍ବରର ଅଧିବାସୀ ହୋଇଥିବା ବେଳେ ସନ୍ଦୀପ ଜଣେ ଗ୍ରାଜୁଏଟ ଛାତ୍ର ବୋଲି ଜଣାପଡିଛି ।

ବିଶେଷ ସୂତ୍ରରୁ ବ୍ରାଉନସୁଗାର କାରବାର ନେଇ ଏସଟିଏଫ ସୂଚନା ପାଇଥିଲା । ଏହାପରେ ବାଲେଶ୍ବର ପୋଲିସ ସହାୟତାରେ ବ୍ରାଉନସୁଗାର ମାଫିଆଙ୍କ ଉପରେ ନଜର ରଖାଯାଇଥିଲା । ଟ୍ରେନ୍‌ ଯୋଗେ 1 କେଜିରୁ ଊର୍ଦ୍ଧ୍ବ ବ୍ରାଉନସୁଗାର କଲିକତାରୁ ଓଡ଼ିଶା ଚାଲାଣ ହେଉଥିବା ଖବର ପାଇ ଛକିଥିଲା ଏସ୍‌ଟିଏଫ୍‌ । ବାଲେଶ୍ବର ପାର କରାଇବା ପାଇଁ କିଛି ବେପାରୀ ଟ୍ରେନ୍‌ ଯୋଗେ ବାଲେଶ୍ବର ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ ଚାରିଜଣ ବାଇକ ଯୋଗେ ନେବା ବେଳେ ମାଡ଼ିବସିଥିଲା ଏସ୍‌ଟିଏଫ୍‌ ଟିମ୍ । ସେମାନଙ୍କଠାରୁ 1 କିଲୋ 100 ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ଏସ୍‌ଟିଏଫ୍‌ ଜାଣିବାକୁ ପାଇଛି ଯେ, ସୁରକ୍ଷା ବଳୟ କଡ଼ାକଡ଼ି ଯୋଗୁଁ ସୀମା ଦେଇ ବ୍ରାଉନସୁଗାର ଚାଲାଣ କରିବା ବେପାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ସଡ଼କ ପଥ ଦେଇ ସମ୍ଭବ ନହେବାରୁ ସେମାନେ ଏବେ ଟ୍ରେନ୍‌କୁ ଚାଲାଣର ମାଧ୍ୟମ ରୂପେ ବାଛିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ପେଶାରେ ଇଞ୍ଜିନିୟର ବିକୁଥିଲେ ବ୍ରାଉନସୁଗାର, ୩ ଗିରଫ

ଏସ୍‌ଟିଏଫ୍‌ ଏସ୍‌ପିଙ୍କ ସୂଚନା ମୁତାବକ, ମୁର୍ଶିଦାବାଦରୁ ବ୍ରାଉନ୍‌ସୁଗାର୍‌ ଆଣି ଓଡ଼ିଶା ସୀମା ପାର‌ ପରେ ପେଡଲରଙ୍କ ଜରିଆରେ ବିଭିନ୍ନ ସ୍ଥାନକୁ ପଠାଯାଉଛି । ସୀମାରେ ବାଲେଶ୍ବର ପୋଲିସର କଡ଼ା ପ୍ରହରୀ ଓ ବ୍ରାଉନସୁଗାର ଉପରେ ପୋଲିସ, ନାର୍କୋଟିକ୍‌ସ, ଅବକରୀ ସଭିଙ୍କ ନଜର ପଡ଼ିବା ପରେ କଲିକତାରୁ ଓଡ଼ିଶା ଆଣିବା ପାଇଁ ଏବେ ବିଭିନ୍ନ ଗଳାବାଟ ବାଛୁଛନ୍ତି ବେପାରୀ । ଏହି ରାକେଟରେ ଅନ୍ୟ ଲୋକଙ୍କ ସମ୍ପୃକ୍ତି ଥିବା ନେଇ ଏସ୍‌ଟିଏଫ୍‌ ସନ୍ଦେହ କରୁଥିବା ବେଳେ ଏହାର ତଦନ୍ତ ଚାଲିଛି । 2020ରୁ ଏଯାବତ ଏସଟିଏଫ 71କେଜି ବ୍ରାଉନସୁଗାର ଏବଂ 202 ଗ୍ରାମର କୋକେନ ଜବତ କଲାଣି । କେବଳ ସେତିକି ନୁହେଁ 116 କ୍ବିଣ୍ଟାଲ ଗଞ୍ଜେଇ ସହ 750ଗ୍ରାମ ଅଫିମ ଜବତ କରି ଏଯାବତ 176 ଜଣଙ୍କୁ ଗିରଫ କରାଯାଇଛି । ଏନେଇ କମର୍ସିଆଲ କ୍ବାଣ୍ଟିଟି ଡ୍ରଗ୍‌ସ୍‌ ବା ଗଞ୍ଜେଇ ସପ୍ଲାୟର ଉପରେ ବିଶେଷ ନଜର ଦିଆଯାଉଛି । ସମସ୍ତ ଜିଲ୍ଲା ଏସ୍‌ପିଙ୍କ ସହଯୋଗରେ ନିଶା ମାଫିଆଙ୍କ ଉପରେ କଡ଼ା ନଜର‌ ପକାଇଛି ଏସଟିଏଫ ଟିମ୍ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.