ETV Bharat / state

5T ସଚିବ କଣ କରୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସୂଚନା ନାହିଁ !

author img

By

Published : Jun 19, 2023, 9:29 PM IST

RTI Report on 5T Secretary Activity
RTI Report on 5T Secretary Activity

ରାଜ୍ୟରେ 5T ସଚିବ ନିରଙ୍କୁଶ କ୍ଷମତା ଉପଭୋଗ କରୁଥିବା ଅଭିଯୋଗ କଲା ବିଜେପି । 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ଟାର୍ଗେଟ କଲା ବିଜେପି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା RTI ରିପୋର୍ଟ ଅନୁସାରେ 5T ସଚିବଙ୍କୁ ଏଭଳି ଗ୍ସତ ପାଇଁ କୌଣସି ଦାୟିତ୍ବ ଦିଆଯାଇନଥିବା କହିଲା ବିଜେପି । ଅଧିକ ପଢ଼ନ୍ତୁ

RTI Report on 5T Secretary Activity

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କୁ ସମ୍ବିଧାନ ପଠାଇବ ବିଜେପି । ଓଡ଼ିଶାରେ ଅସାମ୍ବିଧାନିକ ଶାସନ ଚାଲିଥିବା ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ । ପୁଣି 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ଟାର୍ଗେଟ କଲା ବିଜେପି । ଓଡ଼ିଶାରେ ଗଣତନ୍ତ୍ର ବାବୁତନ୍ତ୍ରରେ ପରିଣତ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । 5T ସଚିବଙ୍କ ଗସ୍ତକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି ।

ଆଜି ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ବ୍ୟବସ୍ଥାକୁ ଟାର୍ଗେଟ କରି ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ କହିଛନ୍ତି, "ସରକାର ଠିକ୍‌ଠାକ୍‌ ଚାଲିଛି ତ ? 5T ସଚିବ କହୁଛନ୍ତି ମୁଖ୍ୟମନ୍ତ୍ରୀ ମତେ ପଠାଇଛନ୍ତି ଲୋକଙ୍କ କଥା ବୁଝିବା ପାଇଁ । କିନ୍ତୁ ସୂଚନା ଅଧିକାର ଆଇନ ବଳରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ସେହି ତଥ୍ୟ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଖରେ ଏଭଳି ଗସ୍ତ ନେଇ କୌଣସି ସୂଚନା ନାହିଁ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସେଭଳି କାହାକୁ କୌଣସି ଦାୟିତ୍ବ ଦିଆଯାଇ ନାହିଁ ବୋଲି କୁହାଯାଇଛି । 5T ସଚିବ ହେଲିକେପ୍ଟର ଯୋଗେ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି । କିନ୍ତୁ ଏହାର ତଥ୍ୟ ମଧ୍ୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ପାଖରେ ନାହିଁ । ଏହାର ଉତ୍ତର ମୁଖ୍ୟମନ୍ତ୍ରୀ ଦେବେ କି ?" ନହେଲେ ଆସନ୍ତାକାଲି ନବୀନଙ୍କୁ ବିଜେପି ସମ୍ବିଧାନ ପଠେଇବ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି, "କିଏ ସତ କହୁଛି ? ମୁଖ୍ୟମନ୍ତ୍ରୀ ନା ତାଙ୍କ ସଚିବ ? ସତରେ କଣ ସେହି ଅଧିକାରୀ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ, ବିନା ଜାଣତରେ ତାଙ୍କର କ୍ଷମତା ପରିସର ବାହାରକୁ ଯାଇ ଏପରି ସମୀକ୍ଷା ବା ଜନଶୁଣାଣୀ କରୁଛନ୍ତି ? ନା ମୁଖ୍ୟମନ୍ତ୍ରୀ ସବୁ ଜାଣିକି ଚୁପଚାପ ରହୁଛନ୍ତି ? ତାହା ଉପରେ ସ୍ପଷ୍ଟୀକରଣ ରଖନ୍ତୁ । ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ କେତେଥର ନିଜେ ହେଲିକପ୍ଟର ବ୍ୟବହାର କରିଛନ୍ତି ବୋଲି ପଚରାଯାଇଥିବା ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉତ୍ତର ଦେଉଛି ଯେ ସେ ଆଦୌ ହେଲିକପ୍ଟରରେ ଗସ୍ତ କରିନାହାନ୍ତି । ଏବେ ବ୍ୟକ୍ତିଗତ ସହାୟକ ଯୁଆଡେ ଯାଉଛନ୍ତି ସବୁ ସ୍ଥାନକୁ ହେଲିକପ୍ଟର ନେଇକି ଯାଉଛନ୍ତି । କିନ୍ତୁ ସରକାରଙ୍କ ପାଖରେ ଏହାର ଖବର କିପରି ନାହିଁ । ତାହେଲେ କଣ ସେ ଘରୋଇ ହେଲିକପ୍ଟର ବ୍ୟବହାର କରୁଛନ୍ତି କି ? ଯଦି କରୁଛନ୍ତି, ତାହେଲେ ସେ ହେଲିକପ୍ଟର ଅର୍ଥ କିଏ ବହନ କରୁଛି ?"

5T ସଚିବଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ପ୍ରଶ୍ନବାଣ ମାରିଛି ବିଜେପି । ଅନୀଲ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କର ଏତେ ଅଣଓଡିଆ ଅଫିସର ପ୍ରେମ କାହିଁକି ? କାହିଁକି ମୁଖ୍ୟମନ୍ତ୍ରୀ ରାଜ୍ୟର ନିର୍ବାଚିତ ଓଡିଆ ଲୋକ ଏବଂ ଓଡିଆ ଅଫିସରମାନଙ୍କୁ ଘୃଣା କରୁଛନ୍ତି ? ଆଜି ଦେଶର ରାଷ୍ଟ୍ରପତି ଜଣେ ଓଡିଆ, କେନ୍ଦ୍ରରେ କ୍ୟାବିନେଟ ମନ୍ତ୍ରୀ ଓଡିଆ, ପ୍ରଧାନମନ୍ତ୍ରୀଙ୍କ ପ୍ରିନ୍ସପାଲ ସେକ୍ରେଟାରୀ ଜଣେ ଓଡିଆ, ଦେଶର ସିଏଜି ଜଣେ ଓଡିଆ, ଆରବିଆଇର ଗଭର୍ଣ୍ଣର ଜଣେ ଓଡିଆ । ଆମେ ଓଡିଆ ଲୋକ । ଆମର ଯୋଗ୍ୟତା, ସାଧୁତା, ପରିଶ୍ରମ ପାଇଁ ଆମେ ସାରା ବିଶ୍ବରେ ସମ୍ମାନୀତ ହେଉଥିବା ବେଳେ କିନ୍ତୁ ଓଡିଶାରେ ଓଡିଆ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ କାହିଁକି ହତାଦର କରୁଛନ୍ତି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.