ETV Bharat / state

OBC Survey: ସର୍ଭେକୁ ପୁରିଲାଣି 6 ମାସ, ତୁରନ୍ତ ତ୍ରୁଟିପୂର୍ଣ୍ଣ ସର୍ଭେ ରିପୋର୍ଟ ଉପସ୍ଥାପନ ପାଇଁ ବିଜେପିର ଦାବି

author img

By ETV Bharat Odisha Team

Published : Oct 7, 2023, 6:23 PM IST

Etv Bharat
Etv Bharat

ରାଜ୍ୟରେ ପଛୁଆ ବର୍ଗ ସର୍ଭେକୁ ପୁରିଲାଣି 6 ମାସ । ସରକାର ତୁରନ୍ତ ତଥ୍ୟ ଉପସ୍ଥାପନ କରିବା ଲାଗି ଦାବି କଲା ବିଜେପି । ଅଧିକ ପଢନ୍ତୁ

OBC Survey

ଭୁବନେଶ୍ବର: ମେ 1ରୁ 27 ତାରିଖ ପର୍ଯ୍ୟନ୍ତ ଓବିସି ସର୍ଭେ କଲେ ରାଜ୍ୟ ସରକାର । ଏହାକୁ 6 ମାସ ପୁରିବାକୁ ବସିଲାଣି । କିନ୍ତୁ ସର୍ଭେର ବିବରଣୀ ରାଜ୍ୟ ସରକାର ଏବେ ସୁଦ୍ଧା ପ୍ରକାଶ କରିନାହାନ୍ତି । କିନ୍ତୁ ଖବରକାଗଜରେ ଭିନ୍ନ ଭିନ୍ନ ସଂଖ୍ୟା ପ୍ରକାଶ ପାଉଛି । ଏହି ସବୁ ତଥ୍ୟ ଆସୁଛି କେଉଁଠୁ ବୋଲି ବିଜେପି ପ୍ରଶ୍ନ କରିଛି । ତୁରନ୍ତ ତ୍ରୁଟିପୂର୍ଣ୍ଣ ସର୍ଭେ ରିପୋର୍ଟ ଉପସ୍ଥାପନ ପାଇଁ ବିଜେପି ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ଵାଳ ଦାବି କରିଛନ୍ତି ।

ଓବିସି ସର୍ଭେକୁ ନେଇ ଆସୁଥିବା ବିଭିନ୍ନ ତଥ୍ୟ ଉପରେ ପ୍ରତିକ୍ରିୟା ରଖି ସୁରଥ ବିଶ୍ଵାଳ କହିଛନ୍ତି, " ସରକାର ଓବିସି ସର୍ଭେ ତଥ୍ୟ ଉପସ୍ଥାପନ କରିନଥିବା ବେଳେ ବିଭିନ୍ନ ଖବରକାଗଜରେ ଭିନ୍ନ ଭିନ୍ନ ସଂଖ୍ୟା ପ୍ରକାଶ ପାଉଛି । ଏହି ସବୁ ତଥ୍ୟ ଆସୁଛି କେଉଁଠୁ ? ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ ହେଉଛି ବୋଲି ବିଜ୍ଞାପନ ପ୍ରକାଶ କରିଥିଲେ ସରକାର । ଏ ସର୍ଭେ ତ୍ରୁଟିପୂର୍ଣ୍ଣ ବୋଲି ବିଜେପି ଆଗରୁ କହିସାରିଛି । ଯେଉଁ ଜାତିମାନଙ୍କର ହେଲା, ତାଙ୍କ ତାଲିକା ଚୂଡାନ୍ତ ନଥିଲା । 22ଟି ବର୍ଗଙ୍କୁ ପରେ ଯୋଡିଲେ ବୋଲି କହିଲେ । କିନ୍ତୁ ସର୍ଭେ କରୁଥିବା କର୍ମଚାରୀଙ୍କୁ ଦିଆଯାଇଥିବା ତାଲିକାରେ ଅନେକ ଜାତିଙ୍କ ନାମ ନଥିଲା ।"

ଏହା ବି ପଢନ୍ତୁ- ଓବିସି ସଂରକ୍ଷଣ ପ୍ରସଙ୍ଗ ନେଇ ତାତିଲା ବିଜେପି, ସର୍ଭେ ରିପୋର୍ଟ ସାର୍ବଜନୀନ ପାଇଁ କମିଶନଙ୍କୁ ଫେରାଦ ହେଲା ଦଳ

ସେ ଆହୁରି କହିଛନ୍ତି, " ଓବିସି କମିଶନ ଅଫିସ କହୁଛି ଯେ 20 ତାରିଖରୁ ସରକାରଙ୍କୁ ରିପୋର୍ଟ ଦିଆଯାଇଛି । ସରକାର ଚାହୁଁଛନ୍ତି ବିବାଦ ହେଉ ଏବଂ ସଂରକ୍ଷଣ ପ୍ରକ୍ରିୟା ଅଟକିଯାଉ । ଯାହାଦ୍ବାରା ପଛୁଆ ବର୍ଗମାନେ ଶିକ୍ଷା ଓ ଚାକିରିରେ ସେମାନଙ୍କ ଅଧିକାର ପାଇପାରିବେ ନାହିଁ । 54% ଲୋକଙ୍କର ଧୈର୍ଯ୍ୟ ପରୀକ୍ଷା କରିବାକୁ ଚାହୁଁଛନ୍ତି କି ରାଜ୍ୟ ସରକାର ? ମିଛ ରିପୋର୍ଟ ଗଣମାଧ୍ୟମକୁ ଦେଇ ଲୋକଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହୁଁଛନ୍ତି କି ? ପଛୁଆ ବର୍ଗଙ୍କୁ କ୍ରମାଗତ ଭାବେ ରାଜ୍ୟ ସରକାର ଉପେକ୍ଷା କରି ଚାଲିଛନ୍ତି । ଏହାର ପରିଣତି ଭୟାବହ ହେବ । ଯେଉଁମାନେ ଷଡ଼ଯନ୍ତ୍ର କରି ଲୋକଙ୍କୁ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରୁଛନ୍ତି, ଏକଥା ବେଶି ଦିନ ଚାଲିବ ନାହିଁ । 1931ରେ 52%, 2021ରେ 54% । ତେବେ 2023ରେ କମିଯିବ କେମିତି ? ସରକାର ତୁରନ୍ତ ତ୍ରୁଟିପୂର୍ଣ୍ଣ ସର୍ଭେ ସମ୍ପର୍କରେ ସ୍ପଷ୍ଟ କରନ୍ତୁ ।"

ଏହା ବି ପଢନ୍ତୁ- ରାଜ୍ୟରେ ପଛୁଆ ବର୍ଗ ସର୍ଭେ ପ୍ରହସନରେ ପରିଣତ ହୋଇଛି: ବିଜେପି

ଜାତିକୁ ନେଇ ରାଜନୀତି କଲେ ଜାତୀୟତା ବାଧାପ୍ରାପ୍ତ ହେବ । ଜାତି ହେଲା ଗରିବ । ଓଡ଼ିଶାରେ ଥିବା ଓବିସି ବର୍ଗଙ୍କ ବିଜେଡି ସରକାର ଜାଣିଶୁଣି ଉପେକ୍ଷା କରି ଚାଲିଛି । ବହୁ ପ୍ରତିକ୍ଷିତ ସର୍ଭେ ରିପୋର୍ଟ ଗଲା କୁଆଡେ ? ଯଦି ତାଲିକା ଜାତି ତାଲିକା ସମ୍ପୂର୍ଣ ନୁହେଁ ସର୍ଭେ କାହାର ହେଲା ? ଯେଉଁମାନେ ରାଜ୍ୟ ବାହାରେ ଅଛନ୍ତି ତାଙ୍କର ସର୍ଭେ କିପରି ହେଲା ବୋଲି ବିଜେପି ପ୍ରଶ୍ନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.