ETV Bharat / state

୨୦୨୪ରେ ରିପିଟ୍ ହୋଇପାରେ ଧାମନଗର ବିଦ୍ରୋହ ଏପିସୋଡ଼: ଚିନ୍ତାରେ ବିଜେଡି ଥିଙ୍କଟ୍ୟାଙ୍କ !

author img

By

Published : Jan 20, 2023, 12:28 PM IST

Updated : Jan 20, 2023, 2:32 PM IST

୨୦୨୪ ସାଧାରଣ ନିର୍ବାଚନ
୨୦୨୪ ସାଧାରଣ ନିର୍ବାଚନ

୨୦୨୪ ନିର୍ବାଚନରେ ଧାମନଗର ବିଦ୍ରୋହର ପୁନରାବୃତ୍ତି ଆଶଙ୍କାରେ ରହିଛି ବିଜେଡି । ଟିକେଟ୍ ବଣ୍ଟାକୁ ନେଇ ପୁଣିଥରେ ଦଳରେ ସୃଷ୍ଟି ହୋଇପାରେ ବିଦ୍ରୋହ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ତେଜିପାରେ ବିଦ୍ରୋହର ସ୍ୱର । ଅଧିକ ପଢନ୍ତୁ

୨୦୨୪ ସାଧାରଣ ନିର୍ବାଚନ

ଭୁବନେଶ୍ବର: ପୁଣି ବିଜେଡିରେ ହୋଇପାରେ ଧାମନଗର ଏପିସୋଡ଼ର ପୁନରାବୃତ୍ତି । ଆଗାମୀ ନିର୍ବାଚନରେ ଟିକେଟ ବଣ୍ଟାକୁ ନେଇ ସୃଷ୍ଟି ହୋଇପାରେ ବିଦ୍ରୋହ । ଦଳ ଲାଗି ସମସ୍ୟା ସୃଷ୍ଟି କରିପାରନ୍ତି ବିଦ୍ରୋହୀ ପ୍ରାର୍ଥୀ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ତେଜିପାରେ ବିଦ୍ରୋହର ସ୍ୱର । ଦଳୀୟ ନେତାଙ୍କ ମଧ୍ୟରେ ଛକାପଞ୍ଝା ମଧ୍ୟ ଆରମ୍ଭ ହୋଇସାରିଛି ।ଏନେଇ ଚିନ୍ତାରେ ଅଛନ୍ତି ବିଜେଡିର ଥିଙ୍କଟ୍ୟାଙ୍କ । ସେପଟେ ବିଜେଡିର ବିଦ୍ରୋହୀଙ୍କୁ ନେଇ ଫାଇଦା ଉଠାଇବାକୁ ଆଶା ରଖିଛି ବିଦ୍ରୋହୀ ଶିବିର ।

୨୦୨୪ ସାଧାରଣ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି । ପୁନର୍ବାର ସରକାରକୁ ଫେରିବା ଲାଗି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ଶାସକ ଦଳ ବିଜେଡି । ଲଗାତାର ଷଷ୍ଠ ଥର ଲାଗି ବିଜୟ ହୋଇ ବିରଳ ରେକର୍ଡ କରିବା ଲକ୍ଷ୍ୟରେ ଅଛନ୍ତି ନବୀନ ବ୍ରିଗେଡ । ବିଭିନ୍ନ ସ୍ଥାନରେ ଦଳ ନୂଆ ଚେହେରା ଦେବାକୁ ଅଙ୍କ କଷିବା ଆରମ୍ଭ କରିଛି । କିନ୍ତୁ ଦଳରେ ବିଦ୍ରୋହ ଓ ବିଦ୍ରୋହୀ ପ୍ରାର୍ଥୀ ବିଜେଡି ଲାଗି ଚିନ୍ତା ବଢ଼ାଇଛି । ଯଦି ଦଳରେ ବିଦ୍ରୋହ ହୁଏ କିମ୍ବା ବିଦ୍ରୋହୀ ପ୍ରାର୍ଥୀ ନିର୍ବାଚନରେ ଓହ୍ଲାନ୍ତି, ତେବେ ଫାଇଦାରେ ରହିପାରନ୍ତି ବିରୋଧୀ ଦଳ । ଏହି ଫାଇଦାକୁ ନିଜ ଆଡ଼କୁ ମୋଡିବା ଲାଗି ନଜର ପକେଇଛନ୍ତି ବିରୋଧୀ ।

ବଦଳୁଥିବା ରାଜନୈତିକ ସମୀକରଣ ଭିତରେ ଅନୁଷ୍ଠିତ ହେବ ୨୦୨୪ ସାଧାରଣ ନିର୍ବାଚନ । ଅନେକଙ୍କ ଟିକେଟ କଟିବ ଓ ଆଉ କିଛି ନୂଆ ଚେହେରାକୁ ଦଳ ସୁଯୋଗ ଦେବ । ଏଥିପାଇଁ ସର୍ଭେ ଆରମ୍ଭ କରିଦେଇଛି ବିଜୁ ଜନତା ଦଳ । ଫଳରେ ଟିକେଟକୁ ନେଇ ଆଶା ଆଶଙ୍କାରେ ଅଛନ୍ତି ନେତା । ଦଳୀୟ ନେତାଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇସାରିଛି । ଉଦାହରଣ ଆକାରରେ ଖୋର୍ଦ୍ଧା ଜିଲ୍ଲା କଥା ନିଆଯାଇପାରେ । ବିଶୃଙ୍ଖଳା ଆଚରଣ ଯୋଗୁଁ ଦଳରୁ ବିଦା ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ପୂର୍ବତନ ବିଧାୟକ ରଘୁ ସାହୁଙ୍କ ମଧ୍ୟରେ ବାକଯୁଦ୍ଧ ବ୍ୟକ୍ତିଗତ ସ୍ତରକୁ ଆସିଗଲାଣି । ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ନେତା ଓ ବିଧାୟକଙ୍କ ମଧ୍ୟରେ ଜୋରଦାର ଟକ୍କର ଲାଗିଛି ।

ଉପକୂଳ ଓଡିଶାର ଆଉ ଏକ ଚର୍ଚ୍ଚିତ ବିଧାନସଭା ମଣ୍ଡଳୀ ହେଉଛି ପାରାଦ୍ୱୀପ । ପାରାଦ୍ୱୀପ ଉପରେ ଆଖି ପକାଇଛନ୍ତି କଟକ-ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ । ଦୀର୍ଘ ୪ ଦଶନ୍ଧି ଧରି ଦାମ ରାଉତଙ୍କ ପାରିବାରିକ ଗଡ଼ରେ ପରିଣତ ହୋଇଥିବା ପାରାଦ୍ୱୀପ ଏବେ ଉଷ୍ମ ହୋଇଛି । ପାରାଦ୍ୱୀପରେ ଦେବାଶିଷଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଦେବାଶିଷ ଓ ବର୍ତ୍ତମାନର ବିଧାୟକ ସମ୍ବିତ ରାଉତରାୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ତେଜିଛି । ସେହିପରି ଦଳରେ କଣଠେସା ହୋଇଥିବା ବ୍ରହ୍ମଗିରିରୁ ପ୍ରତିନିଧିତ୍ୱ କରୁଥିବା ବିଜେଡିର ସାଧାରଣ ସମ୍ପାଦକ(ହେଡ କ୍ୱାର୍ଟର) ସଞ୍ଜୟ ଦାସବର୍ମା ଓ ଦଳର ନେତୃତ୍ୱ ମଧ୍ୟରେ ଥିବା ଫାଟ ବାବଦରେ କାହାକୁ ଅଛପା ନାହିଁ ।

ସବୁ ଜିଲ୍ଲା ସଂଗଠନ ଏମିତି ଆଁ ହୋଇଛି ଯେ, ଦଳୀୟ ନେତାଙ୍କୁ ଦେଖିଲେ ନେତାଙ୍କ ନାହି ଡେଉଁଛି । କେହି କାହାକୁ ବରଦାସ୍ତ କରିବା ଅବସ୍ଥାରେ ଆଉ ନାହାନ୍ତି । ପଶ୍ଚିମ ଓଡ଼ିଶାରେ ଅବସ୍ଥା ସାଂଘାତିକ । ମନ୍ତ୍ରୀ ରୀତା ସାହୁଙ୍କ ପୁଅକୁ ବିଧାୟକ ସୁଶାନ୍ତ ସିଂଙ୍କ ସମର୍ଥକଙ୍କ ଆକ୍ରମଣ ଘଟଣା ସର୍ବସାଧାରଣରେ ଅଛି । ଅନ୍ୟପଟେ ଦଳରେ ପ୍ରଶାସନିକ ବ୍ୟକ୍ତିଙ୍କ ହସ୍ତକ୍ଷେପ ଯୋଗୁଁ ବିଭିନ୍ନ ପ୍ରସଙ୍ଗରେ ବିଜେଡି ଭିତରେ ସବୁ ଠିକଠାକ ନଥିବା ଚର୍ଚ୍ଚା ହେଉଛି । ସିଧାସଳଖ ମୁହଁ ଖୋଲୁନଥିଲେ ବି ତେରଚ୍ଛା ସମାଲୋଚନା କରିବାକୁ କେହି ପଛାଉନାହାନ୍ତି । ଏ କ୍ଷେତ୍ରରେ ସବୁଠୁ ଆଗରେ ରହିଛନ୍ତି ଖଣ୍ଡପଡା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ, କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ପ୍ରସନ୍ନ ପାଟ୍ଟଶାଣୀ । ଅନ୍ୟ କିଛି ନେତା ବିକଳ୍ପ ରାସ୍ତାରେ ଅଛନ୍ତି । ଟିକେଟ କାଟିବା ଆଶଙ୍କାରେ ଥିବା ନେତା ବିରୋଧୀ ବିଜେପି ପୋଖରୀରେ ବୁଡ଼ ପକାଇବାକୁ କିମ୍ବା ହାତ ଧରିବାକୁ ଚିନ୍ତା କଲେଣି ।

ବିଜେଡି ଉପ ସଭାପତି ଦେବୀ ମିଶ୍ର କହିଛନ୍ତି ଯେ, ''ନିର୍ବାଚନ ଲଢ଼ିବା ପାଇଁ ସମସ୍ତଙ୍କର ଆଗ୍ରହ ରହିଛି । କାହାର ନିର୍ବାଚନ ଲଢ଼ିବା ଲାଗି ଆଗ୍ରହ ନଥିବ କହିହେବ ନାହିଁ । ହେଲେ ମୋଟ ସିଟ୍ ରହିଛି ୧୪୭ । ସମସ୍ତଙ୍କୁ ତ ଟିକେଟ ଦେଇ ହେବନାହିଁ । ଦଳର ସ୍ଥିତି ଓ ଅନ୍ୟାନ୍ୟ ସମୀକରଣକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବେ ସୁପ୍ରିମୋ । ଯିଏ ଯୋଗ୍ୟ ପ୍ରାର୍ଥୀ ତାଙ୍କୁ ଟିକେଟ ମିଳିବ । ଟିକେଟ ନମିଳିଲେ ଅସନ୍ତୋଷ ବ୍ୟକ୍ତ କରିବା ସ୍ୱାଭାବିକ କଥା । ଯିଏ ଯୋଗ୍ୟ ତାକୁ ଟିକେଟ ଦେଲେ କାହାର ମନ ଦୁଃଖ ହେବନାହିଁ ।''

ରାଜନୀତି ସମୀକ୍ଷକ ରବି ଦାସଙ୍କର କହିବା କଥା ହେଉଛି ଯେ, ଧାମନଗର ପରେ ବିଜେଡି ନିଜକୁ ସଂଶୋଧିତ କରିଛି । ପଦ୍ମପୁରରେ ନୂଆ କିଛି ପରୀକ୍ଷା କରିବାରୁ ନିବୃତ୍ତ ରହିଲେ । ଯେହେତୁ ସେମାନେ ଜାଣିଛନ୍ତି ଦଳରେ ବିଦ୍ରୋହ ବଡ଼ ଗୁରୁତ୍ୱପୂର୍ଣ୍ଣ । ବେଳେବେଳେ ନିର୍ବାଚନରେ ଏମିତି ହୁଏ, ଯାହା ଧାମନଗରରେ ହେଲା । ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ବିଜେଡି ପାଇଁ ପଦ୍ମପୁର ମଡେଲ ଥିଲେ, ଆମ ପାଖରେ ଧାମନଗର ମଡେଲ ଅଛି ।

ବିଜେଡିରୁ ଅନେକ ବିଦ୍ରୋହୀ ପ୍ରାର୍ଥୀ ହେବେ । ବିଦ୍ରୋହୀ ପ୍ରାର୍ଥୀ ହେଲେ ଉକ୍ତ ଦଳର କ୍ଷତି ହୁଏ । ଯାହା ହିମାଚଳରେ ବିଜେପି ସହିତ ହେଲା । ଏହା ସତ ଯେ ବିଜେଡି ଏଥର ଅନେକ ନୂଆ ପ୍ରାର୍ଥୀ ଦେବ । କିଛି ନେତାଙ୍କୁ କାଢ଼ିବ । ଏହାଦ୍ବାରା ଯେମିତି ବିଶେଷ ପ୍ରଭାବ ପଡିବ ନାହିଁ ତାହା ଉପରେ ନଜର ରଖିବ । ଯାହାକୁ ବିଜେଡି କାଢ଼ିବ ବୋଲି ଭାବୁଛି, ତାଙ୍କ ପରିବାର ଲୋକଙ୍କୁ ଛିଡା କରିବେ । ବିଜେଡି ସପକ୍ଷରେ ରହିଛି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ । ତାଙ୍କ ତୃଣମୂଳ ସଂଗଠନ ମଜବୁତ ହୋଇଯାଇଛି । ବିଜେଡି ଗୁଜୁରାଟ ମଡେଲ କଥା କହୁଛି, କିନ୍ତୁ ସେ ଦିଗରେ କୌଣସି କାମ କରିଛି ବୋଲି ଜଣାପଡୁନି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Jan 20, 2023, 2:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.