ETV Bharat / state

Durga Puja Safety: ଦୁର୍ଗାପୂଜା ପାଇଁ ଟ୍ବିନସିଟିରେ ସୁରକ୍ଷା କଡ଼ାକଡ଼ି, ଟ୍ରାଫିକ ନିୟନ୍ତ୍ରଣକୁ ଗୁରୁତ୍ବ

author img

By ETV Bharat Odisha Team

Published : Oct 19, 2023, 9:54 PM IST

security arrangements for durga puja
ଦୁର୍ଗାପୂଜା ପାଇଁ ସୁରକ୍ଷା କଡ଼ାକଡ଼ି

ଦଶହରା ପାଇଁ ଟ୍ବିନ୍ ସିଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ଏହାସହ ଟ୍ରାଫିକ ନିୟନ୍ତ୍ରଣକୁ ଗୁରୁତ୍ବ ଦିଆଯାଇଛି । ଅଧିକ ପଢନ୍ତୁ

ଦୁର୍ଗାପୂଜା ପାଇଁ ସୁରକ୍ଷା କଡ଼ାକଡ଼ି

ଭୁବନେଶ୍ବର/କଟକ: ଦଶହରା ପାଇଁ ଚଳଚଞ୍ଚଳ ଟ୍ବିନ୍ ସିଟି । ପୂଜାକୁ ଶୃଙ୍ଖଳିତ ଓ ସୁରକ୍ଷିତ କରିବା ପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି କମିଶନରେଟ ପୋଲିସ । ଏନେଇ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, "ଚଳିତ ଥର ରାଜଧାନୀର ୧୮୮ଟି ସ୍ଥାନରେ ହେବ ଦୁର୍ଗାପୂଜା । ତେଣୁ ସୁରକ୍ଷା ଦାୟିତ୍ବରେ ରହିବେ ୩୧ ପ୍ଲାଟୁନ ଫୋର୍ସ । ଆସନ୍ତା ୨୦ ରୁ ୨୫ ତାରିଖ ଯାଏଁ ପୋଲିସ ଛାଉଣୀରେ ରହିବ ପୁରା ରାଜଧାନୀ । ଟ୍ରାଫିକ କଟକଣା ସହ ବ୍ଲକିଂ ଓ ଚେକିଂ କଡ଼ାକଡ଼ି କରାଯିବ । ଭାରିଯାନ ଚଳାଚଳରେ ମଧ୍ୟ ରହିବ ପ୍ରତିବନ୍ଧକ। ୩ଟି କ୍ୟାଟାଗୋରୀରେ ପୂଜା ମଣ୍ଡପକୁ ଦିଆଯିବ ସୁରକ୍ଷା । ଏନେଇ ବିଭିନ୍ନ ବିଭାଗ ସହ କମିଶନରେଟ ପୋଲିସର ଜଏଣ୍ଟ ଇନ୍ସପେକ୍ସନ ସରିଛି । ୬ଟି ଜାଗାରେ କଣ୍ଟ୍ରୋଲ ରୁମ୍ କରିଛି କମିଶନରେଟ ପୋଲିସ ।"

ଅନ୍ୟପଟେ ପୂଜା ସମୟରେ ବଟି ଓ ଚାନ୍ଦା ମାଗିଲେ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ୨୪ ଘଣ୍ଟିଆ ଅନୁଧ୍ୟାନ କରିବେ ଭୁବନେଶ୍ୱର ଡିସିପି । ୧୨ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୪୧ ଜଣ ଇନ୍ସପେକ୍ଟର ସହରରେ ନିୟୋଜିତ ହେବେ । ୧୫୧ ଜଣ ଏଏସଆଇ, ୧୧୯ ଜଣ ଟ୍ରାଫିକ କନଷ୍ଟେବଳ, ୭୦ ଜଣ ଏପିଆର କନଷ୍ଟେବଳ ଓ ୨୦୭ ଜଣ ଓଏପିଏଫ କନଷ୍ଟେବଳ ନିୟୋଜିତ ହେବେ । ସିସିଟିଭି ନଜରରେ ରହିବ ସହରର ଛକ ଓ ଗଳିକନ୍ଦି । ପୂଜା ଦେଖିବାକୁ ଗଲାବେଳେ ନିଜ ଘରର ସୁରକ୍ଷା ନେଇ ସଚେତନ ରହିବାକୁ ନିବେଦନ କରିଛନ୍ତି ପୋଲିସ କମିଶନର । ଏହାସହ ସହରବାସୀଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ପୋଲିସ କମିଶନର ।

ଏହା ବି ପଢନ୍ତୁ...ପୂଜା ସମୟରେ ଚାନ୍ଦା ଆଦାୟକୁ ନା, ଟୋଲ ଫ୍ରି ନମ୍ବର ଜାରି କଲା କମିଶନରେଟ ପୋଲିସ

ସେପଟେ ଦୁର୍ଗା ପୂଜା ପାଇଁ କଟକ ସହରରେ ମୋଟ 55 ପ୍ଲାଟୁନ ପୋଲିସ ଫୋର୍ସ, 636 ହୋମଗାର୍ଡ, 8 ଶହରୁ ଊର୍ଦ୍ଧ୍ବ କନଷ୍ଟେବଳ, 140 ଜଣ ହାବିଲଦାର, 350 ସବ ଇନେସ୍ପେକ୍ଟର, 50 ରୁ ଉର୍ଦ୍ଧ୍ବ ଇନ୍ସପେକ୍ଟର, 34 ଜଣ ଡିଏସପି , 8 ଜଣ ଅତିରିକ୍ତ ଡିସିପି ନିୟୋଜିତ ହେବେ ବୋଲି ସୂଚନା ଦିଆଯାଇଛି । ଏହା ସହିତ 6 ଶହ ସିସିଟିଭିର ବ୍ୟବସ୍ଥା କରାଯାଇଛି । ଏହା ବ୍ୟତୀତ ସହରର 32 ଟି ସ୍ଥାନରେ ପୋଲିସ ଏଡ଼ ପୋଷ୍ଟ କରାଯାଇଛି । ବିଶେଷକରି ସୁନା ଓ ରୂପା ମେଢ ମଣ୍ଡପ ଗୁଡିକରେ ସଶସ୍ତ୍ର ପୋଲିସ ମୁତୟନ ସହ ପୂଜା ମଣ୍ଡପର କର୍ମକର୍ତ୍ତା ସହିତ ସମନ୍ୱୟ ରଖିବା, ଦଶହରା ବୁଲିବାକୁ ଆସୁଥିବା ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା, ମଣ୍ଡପ ତଥା ମଣ୍ଡପ ବାହାରେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ଉପରେ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର।

ଇଟିଭି ଭାରତ, ଭୁବନେଶ୍ବର/କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.