ETV Bharat / state

ପୂର୍ବ ଶତ୍ରୁତାରୁ ଭିଣୋଇଙ୍କୁ ଛୁରୀ ଭୁସି ହତ୍ୟା, ଶାଳକ ଗୁରୁତର

author img

By

Published : Apr 15, 2023, 2:20 PM IST

କେନ୍ଦ୍ରାପଡାରେ ଶଳା ଭିଣୋଇଙ୍କୁ ଭୁଜାଲିରେ ଆକ୍ରମଣ
କେନ୍ଦ୍ରାପଡାରେ ଶଳା ଭିଣୋଇଙ୍କୁ ଭୁଜାଲିରେ ଆକ୍ରମଣ

କେନ୍ଦ୍ରାପଡାରେ ଶଳା ଭିଣୋଇଙ୍କୁ ଛୁରାମାଡ । ଭିଣୋଇ ମୃତ, ଶାଳକ ଗୁରୁତର । ଅଧିକ ପଢନ୍ତୁ

ଭିଣୋଇଙ୍କୁ ଛୁରୀ ଭୁସି ହତ୍ୟା

କେନ୍ଦ୍ରାପଡା: ପୂର୍ବ ଶତ୍ରୁତାରେ ଗଡିଲା ମୁଣ୍ଡ । ଭୋଜି ଖାଇ ଫେରିବା ବେଳେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା । ଗତକାଲି(ଶୁକ୍ରବାର) ବିଳମ୍ବିତ ରାତିରେ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସହିରା ଗାଁରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଗାଁର ଦୁଇ ଯୁବକ ପାଖ ଗାଁରୁ ଭୋଜି ଖାଇ ଫେରୁଥିବାବେଳେ ସେମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଏଥିରେ ଜଣକ ମୃତ୍ୟୁ ହୋଇଥିବାବେଳେ ଆଉ ଜଣେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେମାନେ ସମ୍ପର୍କରେ ଶଳା ଭିଣୋଇ ହେବେ ବୋଲି ଜଣାପଡିଛି । ମୃତକ ହେଉଛନ୍ତି ସହିରା ଗ୍ରାମର ଅମିତ ପାତ୍ର ।

ସୂଚନା ମୁତାବକ, ଗତକାଲି ରାତିରେ ଆଳି ଥାନା ସହିରା ପଞ୍ଚାୟତ ଦହିଅଣ୍ଟା ଗ୍ରାମକୁ ଅମିତ ପାତ୍ର ଓ ତାଙ୍କ ଶଳା ସଞ୍ଜୟ ଭୋଜି ଖାଇବାକୁ ଯାଇଥିଲେ । ଭୋଜି ଖାଇ ଫେରିବା ସମୟରେ ସେହି ଗାଁର ରଶ୍ମିରଞ୍ଜନ ରାଉଳ ଓ ଅମିତଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ପ୍ରଥମେ ଧସ୍ତାଧସ୍ତି ହୋଇଥିଲା । ଏହା ପରେ ଉଗ୍ର ରୂପ ନେଇଥିଲା । ରଶ୍ମି ନିଜ ପାଖରେ ରଖିଥିବା ଏକ ଭୁଜାଲିରେ ଅମିତଙ୍କ ଛାତିକୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ସେପଟେ ଭିଣୋଇକୁ ବଞ୍ଚାଇ ଉଦ୍ୟମ କରିବାରୁ ଶାଳକ ସଞ୍ଜୟଙ୍କୁ ମଧ୍ୟ ଅଭିଯୁକ୍ତ ଭୁଜାଲିରେ ଆକ୍ରମଣ କରିଥିଲା । ଭୁଜାଲିରେ ତିନିରୁ ଚାରି ଚୋଟ ମାରିବା ପରେ ସଞ୍ଜୟ ଗୁରୁତର ହୋଇ ତଳେ ପଡି ଯାଇଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ରଶ୍ମି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।

ସ୍ଥାନୀୟ ଲୋକେ ଉଭୟ ଶଳା ଭିଣୋଇଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ମେଡିକାଲକୁ ଆଣିଥିଲେ । ଡ଼କ୍ଟର ଅମିତଙ୍କୁ ମୃତ ଘୋଷଣା କରିବା ପରେ ତାଙ୍କ ସମ୍ପର୍କୀୟ ସଞ୍ଜୟଙ୍କୁ କଟକ ସ୍ଥାନାନ୍ତର କରିଥିବା ଜଣାପଡିଛି । ଏହି ହତ୍ୟା ଘଟଣା ପରେ ସହିରା ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ମୃତକଙ୍କ ଦାଦା ମନୋରଞ୍ଜନ ପାତ୍ର ଏନେଇ ଆଳି ଥାନାରେ ଏତଲା ଦେଇଛନ୍ତି । ପୋଲିସ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ ଚଳାଇଥିବା ବେଳେ ଏହି ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ନେଇ ଏତଲା ଦିଆଯିବା ପରେ ସମସ୍ତ ଅଭିଯୁକ୍ତ ଫେରାର ହୋଇ ଯାଇଛନ୍ତି ।

ପ୍ରାପ୍ତ ସୂଚନା ଅନୁସାରେ, ପ୍ରାୟ ବର୍ଷେ ହେବ ଅଭିଯୁକ୍ତ ରଶ୍ମି ସବୁବେଳେ ନିଜ ପାଖରେ ଭୁଜାଲି ରଖି ବୁଲୁଥିଲା । ରଶ୍ମି ସ୍ଥାନୀୟ ସରପଞ୍ଚଙ୍କ ପାଖ ଲୋକ ହୋଇଥିବାରୁ ଏନେଇ ମୃତ ଅମିତ ସରପଞ୍ଚଙ୍କୁ ଜଣାଇଥିଲେ । ତେବେ ସରପଞ୍ଚ କୌଣସି ପଦକ୍ଷେପ ନନେବାରୁ ଏଭଳି ହତ୍ୟାକାଣ୍ଡ ଘଟିଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.