ETV Bharat / state

ବାଲିଆ ବାଣ ବିସ୍ଫୋରଣ ଘଟଣା, ଗିରଫ ଭୟରେ ପୁରୁଷ ଶୁନ୍ୟ ଭାଗବତପୁର ଦଳିତ ବସ୍ତି

author img

By

Published : Dec 2, 2022, 5:05 PM IST

ବାଲିଆ ବାଣ ବିସ୍ଫୋରଣ ଘଟଣା, ଗିରଫ ଭୟରେ ପୁରୁଷ ଶୁନ୍ୟ ଭାଗବତପୁର ଦଳିତ ବସ୍ତି
ବାଲିଆ ବାଣ ବିସ୍ଫୋରଣ ଘଟଣା, ଗିରଫ ଭୟରେ ପୁରୁଷ ଶୁନ୍ୟ ଭାଗବତପୁର ଦଳିତ ବସ୍ତି

ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଦଳିତ ସାହି ଶ୍ରମିକ ସଂଘ ପୂଜା କମିଟିର ୩ ଜଣଙ୍କୁ ବାନ୍ଧି ଜେଲ ପଠାଇଛି ପୋଲିସ । ଦଳିତ ସାହିରେ ବାରମ୍ବାର ପୋଲିସ ଚଢ଼ାଉ ଜାରି ରଖିଥିବା ବେଳେ ଗିରଫ ଭୟରେ ପୁରୁଷ ଶୁନ୍ୟ ହୋଇପଡ଼ିଛି ଏହି ବସ୍ତି । ମୁଠାଏ ଖାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଘରର ସ୍ତ୍ରୀ ଲୋକ ଓ ବୟସ୍କ । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଘଟଣାରେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆହତଙ୍କ ଚିକିତ୍ସା କଟକ ବଡ଼ ମେଡିକାଲରେ ଜାରି ରହିଛି । ଏହି ବେଆଇନ ବାଣ ଫୁଟାଇବାକୁ ନେଇ ସଦର ପୋଲିସ ଆୟୋଜକ କମିଟିର ତିନିଜଣଙ୍କୁ ବାନ୍ଧି ଜେଲ ପଠାଇଥିବାବେଳେ ଗିରଫ ଭୟରେ ଏବେ ପୁରୁଷ ଶୁନ୍ୟ ହୋଇପଡିଛି ଭାଗବତପୁର ପଞ୍ଚାୟତର ଦଳିତ ବସ୍ତି । ଘରର ପୁରୁଷ ମାନେ କେଉଁଆଡ଼େ ଚାଲି ଯାଇଥିବାବେଳେ ଘରର ସ୍ତ୍ରୀ ଲୋକ ଓ ବୟସ୍କମାନେ ମୁଠାଏ ଖାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ବାଲିଆ ବାଣ ବିସ୍ଫୋରଣ ଘଟଣା, ଗିରଫ ଭୟରେ ପୁରୁଷ ଶୁନ୍ୟ ଭାଗବତପୁର ଦଳିତ ବସ୍ତି

ଏମିତି ଥିଲା ଘଟଣା

ଗତ ବୁଧବାର ସନ୍ଧ୍ୟା ଥିଲା କେନ୍ଦ୍ରାପଡ଼ା ଜିଲ୍ଲା ଓ ବାଲିଆ ଅଞ୍ଚଳ ପାଇଁ ଏକ କାଳ ସନ୍ଧ୍ୟା । କାର୍ତ୍ତିକେଶ୍ବର ଭସାଣ ଉତ୍ସବ ଚାଲିଥିବାବେଳେ ଅସାବଧାନତା ଯୋଗୁଁ ଅଚାନକ ବାଣ ବିସ୍ଫୋରଣ ଘଟି ୩୪ ଜଣ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ମେଡିକାଲ ସ୍ଥାନାନ୍ତର ହୋଇଥିଲେ । ତେବେ ଆଜି ସୁଦ୍ଧା ଗୁରୁତରଙ୍କ ମଧ୍ୟରୁ ବାଣ ଫୁଟାଇବାକୁ ଆସିଥିବା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅଧିନ ବୁହାଳୋ ଗାଁର ଉଦୟ ଭୋଇ ଓ ଏହି ଭସାଣ ଶୋଭାଯାତ୍ରାରେ ଖେଳଣା ବିକ୍ରି କରୁଥିବା ବୁଲା ବିକାଳୀ ପିଣ୍ଟୁ ଖାନଙ୍କର ମୃତ୍ୟୁ ହୋଇଛି । ଏବେ ମଧ୍ୟ ଜୀବନ ସହ ଯୁଦ୍ଧ କରୁଛନ୍ତି ୧୦ ଗୁରୁତର ।

ଗିରଫ ଭୟରେ ପୁରୁଷ ଶୂନ୍ୟ ଦଳିତ ବସ୍ତି

ପୋଲିସ ପ୍ରାଥମିକ ଭାବେ ଗତ ଶୁକ୍ରବାର ଦିନ ଭସାଣ ଶୋଭାଯାତ୍ରାରେ ବାଣ ଫୁଟାଇଥିବା ବାଲିଆ ଭାଗବତପୁର ଦଳିତ ସାହି ଶ୍ରମିକ ସଂଘ ପୂଜା କମିଟିର ୩ ଜଣଙ୍କୁ ବାନ୍ଧି ଜେଲ ପଠାଇଛି । ତେବେ ଏଥିରେ ସମ୍ପୃକ୍ତ ଅନ୍ୟ କର୍ମକର୍ତ୍ତାଙ୍କୁ ଧରିବା ପାଇଁ ଜୋରଦାର ପ୍ରୟାସ ଚଳାଇଛି ପୋଲିସ । ଦଳିତ ସାହିରେ ବାରମ୍ବାର ପୋଲିସ ଚଢ଼ାଉ ଜାରି ରଖିଥିବା ବେଳେ ଗିରଫ ଭୟରେ ଏବେ ଖାଁ ଖାଁ ଆଉ ପୁରୁଷ ଶୁନ୍ୟ ହୋଇପଡ଼ିଛି ଏହି ଦଳିତ ବସ୍ତି ।

ଘର ଛାଡ଼ୁଛନ୍ତି ମହିଳା ଓ ବୃଦ୍ଧା

ଦଳିତ ଗାଁ ଭାଗବତପୁର ପୁରୁଷ ଶୁନ୍ୟ ହେବାରୁ ଏବେ ପରିବାରବର୍ଗଙ୍କ ଗୁଜୁରାଣ କେମିତି ମେଣ୍ଟିବ ସେନେଇ ଚିନ୍ତାରେ ଘରେ ଥିବା ମହିଳା ଓ ବୟସ୍କ । ଏମିତିକି ଘରେ ରୋଗୀଣା ମାଆ ପଡିଥିବା ବେଳେ ଗିରଫ ଭୟରେ ଘର ଛାଡିଛି ରୋଜଗାରିଆ ପୁଅ । ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଦଳିତ ସାହିକୁ ଶ୍ମଶାନ କରିବା ପାଇଁ ଧମକ ଦେଉଥିବାବେଳେ କିଂକର୍ତ୍ତବ୍ୟବିମୁଢ ହୋଇ ଗୃହପାଳିତ ପଶୁମାନଙ୍କୁ ନେଇ ଘରର ମହିଳା ଘର ଛାଡ଼ୁଥିବା ଦେଖିବାକୁ ମିଳୁଛି । ଏନେଇ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ପୋଲିସ ପଦକ୍ଷେପ ନେଇ ପଚାରାଯିବାରୁ ସେ ବାଣ ବିସ୍ଫୋରଣ ଘଟଣାରେ ଗିରଫଦାରୀ ସଂଖ୍ୟା ବୃଦ୍ଧି ପାଇଁ ପୋଲିସ ପକ୍ଷରୁ ଜୋରଦାର ଚଢ଼ାଉ କରାଯାଉଥିବା କହିଛନ୍ତି ।

ଏଭଳି ଘଟଣାରେ ଗୁରୁତର ଆହତ ହୋଇ ଜୀବନ ସହ କିଛି ଜୁଝୁଥିବା ବେଳେ ୫ ଜଣ ଆହତ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣା ପଡ଼ିଛି । ତେବେ ବର୍ତ୍ତମାନ ମଧ୍ୟ ୧୦ ଜଣ ଜୀବନ ସହ ଯୁଦ୍ଧ କରୁଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.