ETV Bharat / state

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ରୀ-ଅଧ୍ୟାପିକା ଧସ୍ତାଧସ୍ତି, ଦାବିପତ୍ର ଦେଲା ଛାତ୍ର କଂଗ୍ରେସ

author img

By ETV Bharat Odisha Team

Published : Jan 17, 2024, 8:55 AM IST

Updated : Jan 17, 2024, 2:41 PM IST

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ରୀ ଅଧ୍ୟାପିକା ଧସ୍ତାଧସ୍ତି ଭିଡିଓ ଭାଇରାଲ
କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ରୀ ଅଧ୍ୟାପିକା ଧସ୍ତାଧସ୍ତି ଭିଡିଓ ଭାଇରାଲ

Kendrapara autonomous college violence video viral: କେନ୍ଦ୍ରାପଡା ସ୍ୱଂୟଶାସିତ ମହାବିଦ୍ୟାଳୟରେ ଛାତ୍ରୀ ଓ ଅଧ୍ୟାପିକାଙ୍କ ମଧ୍ୟରେ ଧସ୍ତାଧସ୍ତି ଭିଡିଓ ଭାଇରାଲ ହେବାରେ ଲାଗିଛି । ଘଟଣାର ତଦନ୍ତ କରିବା ଦାବିରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲା ଛାତ୍ର କଂଗ୍ରେସ । ଅଧିକ ପଢନ୍ତୁ

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ରୀ-ଅଧ୍ୟାପିକା ଧସ୍ତାଧସ୍ତି,

କେନ୍ଦ୍ରାପଡା: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ନିଜ ଜିଲ୍ଲାର ସମ୍ମାନଜନକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି ଭିଡିଓ ଭାଇରାଲ ହୋଇଛି । ଜଣେ ଅଧ୍ୟାପିକା ଓ ଛାତ୍ରୀମାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହେବା ସହ ଜଣେ ଅଧ୍ୟାପିକାଙ୍କୁ ଛାତ୍ରୀ ଠେଲି ଠେଲି ନେଉଥିବା ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଛି । ଯାହାକୁ ନେଇ କେନ୍ଦ୍ରାପଡା ଜିଲ୍ଲାରେ ଶୈକ୍ଷିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି । ଏନେଇ ଉଭୟ ଛାତ୍ରୀ ଓ ଅଧ୍ୟାପିକା କେହି ମୁହଁ ଖୋଲୁନଥିବା ବେଳେ ଘଟଣାର ତଦନ୍ତ ଦାବି କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ଛାତ୍ର କଂଗ୍ରେସ ।

ସୂଚନାନୁଯାୟୀ, କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଗତ ଗୁରୁବାର ସନ୍ଧ୍ୟାରେ "ନୂଆ-ଓ ଏବଂ ଯୁବ ଓଡ଼ିଶା ନବୀନ ଓଡିଶା" କାର୍ଯ୍ୟକ୍ରମ ଅନୁଯାୟୀ ଏକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା । ଏଥିରେ ଜଣେ ଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ତାଙ୍କର ପୋଷାକ ପରିଧାନ ଦାୟିତ୍ୱରେ ଥିବା ଅଧ୍ୟାପିକା ତାଙ୍କୁ ଅନୁମତି ଦେଇନଥିଲେ । ପରେ ଉକ୍ତ ନୃତ୍ୟ କାର୍ଯ୍ୟକ୍ରମରେ କେବଳ କ୍ଲାସିକାଲ ଡାନ୍ସ ପରିବେଷଣ କରାଯାଇପାରିବ ବୋଲି କହିବାରୁ ଛାତ୍ରୀ ଜଣଙ୍କ ଉତ୍ୟକ୍ତ ହୋଇ ଉକ୍ତ ସ୍ଥାନ ଛାଡି ଚାଲି ଯାଉଥିବା ବେଳେ ଦାୟିତ୍ୱରେ ଥିବା ଅଧ୍ୟାପିକାଙ୍କୁ ଗାଳି କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ଜଗତସିଂହପୁରରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ପଦଯାତ୍ରା

ତେବେ ଶୁକ୍ରବାର ଦିନ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ତାଙ୍କ ପ୍ରକୋଷ୍ଠରେ ଏନେଇ ଅଧ୍ୟାପିକା ଜଣଙ୍କ ଅବଗତ କରାଉଥିବା ବେଳେ ସମ୍ପୃକ୍ତ ଛାତ୍ରୀ ଜଣଙ୍କ ପ୍ରକୋଷ୍ଠକୁ ଆସି ଅଧ୍ୟାପିକାଙ୍କ ବିରୋଧରେ ଅଭିଯୋଗ କରିଥିଲେ । ତେବେ ଅଧ୍ୟକ୍ଷ ଉଭୟ ପକ୍ଷଙ୍କୁ ବୁଝାସୁଝା କରୁଥିବା ସମୟରେ କିଛି ଅଣଛାତ୍ର ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସମ୍ମୁଖରେ ଛାତ୍ରୀଙ୍କୁ ସମର୍ଥନ କରି ହୋହଲ୍ଲା କରିବାରୁ ଛାତ୍ରୀ ଜଣଙ୍କ ବାହାରକୁ ଚାଲି ଆସି ସମ୍ପୃକ୍ତ ଅଧ୍ୟାପିକାଙ୍କ ବିରୋଧରେ ଅଶ୍ଳୀଳ ଭାଷା ପ୍ରୟୋଗ କରିଥିଲେ । ପରେ ଅଧ୍ୟାପିକା ଜଣଙ୍କ ବାହାରକୁ ଆସିବାରୁ ଛାତ୍ରୀ ଓ ତାଙ୍କ ସମର୍ଥକ ଅଧ୍ୟାପିକାଙ୍କୁ ଘେରି ଯାଇ ଧକ୍କା ମାରୁଥିବା ଦୃଶ୍ୟ ଏବେ ଭାଇରାଲ ହେଉଛି ।

ତେବେ କଲେଜ ପରିସରରେ ବହୁ ସମୟ ଧରି ଅଧ୍ୟାପିକା ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଭଳି ଉତ୍ତେଜନା ସ୍ଥିତି ଲାଗିଥିବା ବେଳେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚିବାରୁ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ଏହି ଘଟଣାକୁ ଦୀର୍ଘ ୫ ଦିନ ବିତିଥିଲେ ମଧ୍ୟ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ଯାହାକୁ ବିରୋଧ କରି ମଙ୍ଗଳବାର ଦିନ ଛାତ୍ର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇ ଘଟଣା ସମ୍ପର୍କରେ ଯଥୋଚିତ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଛି ଏବଂ ଯଦି ଜିଲ୍ଲା ପ୍ରଶାସନ ଯଦି ଏନେଇ ବିଧିବଧ ତଦନ୍ତ ନକରି କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ଆଗାମୀ ଦିନରେ ଛାତ୍ର କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ,କେନ୍ଦ୍ରାପଡା

Last Updated :Jan 17, 2024, 2:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.