ETV Bharat / state

ଜଗତସିଂହପୁରରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ପଦଯାତ୍ରା

author img

By ETV Bharat Odisha Team

Published : Jan 16, 2024, 8:17 AM IST

Medical college demand in jagatsinghpur: ଜଗତସିଂହପୁର ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଓ ସରକାରଙ୍କ ପଲ୍ଲୀ ସ୍ୱାସ୍ଥ୍ୟ ପ୍ରଶିକ୍ଷଣ କେନ୍ଦ୍ରକୁ କଟକ ଟାଙ୍ଗୀ ସ୍ଥାନାନ୍ତରକୁ ବିରୋଧ କରି ଜଗତସିଂହପୁର ଗଣ ପରିଷଦ ପକ୍ଷରୁ ପଦଯାତ୍ରା । ଅଧିକ ପଢନ୍ତୁ

Establishment of medical college
ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି

Establishment of medical college

ଜଗତସିଂହପୁର: ଜୋର ଧରିଲା ମେଡିକାଲ କଲେଜ ପ୍ରତିଷ୍ଠା ଦାବି । ଜଗତସିଂହପୁର ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଓ ସରକାରଙ୍କ ପଲ୍ଲୀ ସ୍ୱାସ୍ଥ୍ୟ ପ୍ରଶିକ୍ଷଣ କେନ୍ଦ୍ରକୁ କଟକର ଟାଙ୍ଗୀ ସ୍ଥାନାନ୍ତରକୁ ବିରୋଧ କରି ଜଗତସିଂହପୁର ଗଣ ପରିଷଦ ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରା ନିପୁର, ଅଳସୁଧା, କୁଳସାହି ଦେଇ ସହର ପରିକ୍ରମା କରିବା ପରେ ନୂଆପୋଲ ଦେଇ ମଣ୍ଡାସାହି ଆଦି ଅଞ୍ଚଳ ପରିକ୍ରମା କରିଥିଲା ।

ଏନେଇ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ କହିଛି ଯେ, ରାଜ୍ୟ ସରକାର ଜଗତସିଂହପୁର ଜିଲ୍ଲାକୁ ଅଣଦେଖା କରି ଚାଲିଛନ୍ତି । ଜଗତସିଂହପୁର ଏକ ଶିଳ୍ପ ବହୁଳ ଜିଲ୍ଲା ଭାବରେ ପରିଚିତ । ଏଠାରେ ପାରାଦ୍ୱୀପ ବନ୍ଦରଠାରୁ ଆରମ୍ଭ କରି ପିପିଏଲ, ଇଫ୍‌କୋ, ଆଇଓସିଏଲ ଭଳି ଛୋଟ ବଡ଼ 50ରୁ ଅଧିକ ଶିଳ୍ପ ସଂସ୍ଥା ଗଢି ଉଠିଲାଣି । ଫଳରେ ଜିଲ୍ଲାରେ ସେହି ପରିମାଣରେ ପ୍ରଦୂଷଣ ମଧ୍ୟ ବଢିଛି । କିନ୍ତୁ ରାଜ୍ୟର ଅନ୍ୟ ଜିଲ୍ଲାରେ ମେଡ଼ିକାଲ କଲେଜ ଖୋଲିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜଗତସିଂହପୁରରେ ମେଡ଼ିକାଲ କଲେଜ ଖୋଲିବା ପାଇଁ ରାଜ୍ୟ ସରକାର ଆନ୍ତରିକତା ଦେଖାଉ ନାହାଁନ୍ତି ।

ସରକାରୀ ନିୟମ ଅନୁସାରେ ଯେଉଁ ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ହେବ ସେହି ଜିଲ୍ଲାରେ ଅତି କମରେ ଜନସଂଖ୍ୟା 10 ଲକ୍ଷ ହେବା ସହିତ 20 ଏକରର ସରକାରୀ ଜମି ଥିବା ଆବଶ୍ୟକ । ବର୍ତ୍ତମାନ ସୁଦ୍ଧା ଜଗତସିଂହପୁର ଜିଲ୍ଲାରେ ଜନସଂଖ୍ୟା 15 ଲକ୍ଷ ଅତିକ୍ରମ କରିସାରିଥିବା ବେଳେ ନିପୁରଠାରେ 62 ଏକର ସରକାରୀ ଜମି ରହିଛି । ଏହାସତ୍ତ୍ବେ ସରକାର ଜଗତସିଂହପୁରରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି । ଶିଳ୍ପ ଯୋଗୁଁ ଜିଲ୍ଲାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଫଳରେ ଜଗତସିଂହପୁର ଲୋକେ କଟକ ଉପରେ ନିର୍ଭର କରି ଚାଲିଛନ୍ତି । ଏପରିକି ସେମାନଙ୍କ ମଧ୍ୟରୁ କେତେକ କଟକ ଯିବା ବାଟରେ ମୃତ୍ୟୁ ହେଉଛି । ତେଣୁ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ସହିତ ଜଗତସିଂହପୁର ଜିଲ୍ଲାରେ ମେଡ଼ିକାଲ କଲେଜ ତୁରନ୍ତ ପ୍ରତିଷ୍ଠା ପାଇଁ ଦାବି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି, ୧୨ ଘଣ୍ଟିଆ ଜଗତସିଂହପୁର ବନ୍ଦ

ଏଥିସହ ମେଡ଼ିକାଲ କଲେଜ ପ୍ରତିଷ୍ଠା ନ ହେବା ପର୍ଯ୍ୟନ୍ତ ଜିଲ୍ଲା ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ଧମକ ଦିଆଯାଇଛି । ସରକାର ଯଦି ଜଗତସିଂହପୁରରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଘୋଷଣା ନ କରନ୍ତି ତେବେ ମେଡ଼ିକାଲ କଲେଜ ନାହିଁ ତ ଭୋଟ୍ ନାହିଁ ବୋଲି କୁହାଯାଇଛି । ଏହି ପଦଯାତ୍ରାରେ ଜିଲ୍ଲା ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନର ଆବାହକ ଆଇନଜୀବୀ ବାସୁଦେବ, ଅଳସୁଧା ସରପଞ୍ଚ ଭ୍ରମରବର ସ୍ବାଇଁ, ଦେବୀ ପ୍ରସାଦ ସହାଣୀ ପ୍ରମୁଖ ଉପସ୍ଥିତ ଥିଲେ । ଶହ ଶହ ପୁରୁଷ ଓ ମହିଳା ଏହି ପଦଯାତ୍ରାରେ ସାମିଲ ହୋଇ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.