ETV Bharat / state

ପଶ୍ଚିମା ଝଡ ଉଜାଡିଲା ପିଆଜ ଚାଷ, ହତାଶ ଚାଷୀ

author img

By

Published : Mar 22, 2023, 9:58 AM IST

ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ସଙ୍ଗକୁ କୁଆପଥର ମାଡରେ କ୍ଷତି ସହିଛି ଚାଷୀ । ଉଜୁ଼ଡି ଯାଇଥିବା ଫସଲକୁ ଦେଖି ଚାଷୀ ହତାଶ ହୋଇଛି । ଅଧିକ ପଢନ୍ତୁ
ପଶ୍ଚିମା ଝଡ ଉଜାଡିଲା ପିଆଜ ଚାଷ
crops damage due to west wind

crops damage due to west wind

ଭବନୀପାଟଣା: ଚାଷ ଦେଖି କାନ୍ଦୁଛି ଚାଷୀ । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ପବନ ହୋଇଛି । ଢୁ ଢୁ ବର୍ଷା ସାଙ୍ଗକୁ କୁଆପଥର ବର୍ଷା ଚାଷୀର ଫସଲ ଉଜାଡି ଦେଇଛି । ବିଲରେ କୁଆପଥର ମାଡରେ ଫସଲ ଛିନଛତର ହୋଇଛି । ଖରା ବର୍ଷା ଶୀତ ସହି ସୁନାର ଫସଲ ହସାଇଥିବା ଚାଷୀ ଏହାକୁ ଦେଖି ହତାଶ ହୋଇଛି । ପଶ୍ଚିମା ଝଡ ପ୍ରଭାବରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାରେ ବର୍ଷା ସାଙ୍ଗକୁ କୁଆପଥରେ ମାଡରେ ପିଆଜ ଚାଷୀ କ୍ଷତି ସହିଛନ୍ତି ।

ଝଡ ବର୍ଷା ସାଙ୍ଗକୁ କୁଆପଥର ମାଡରେ ଫସଲ ନଷ୍ଟ ହୋଇଥିବା ଦେଖି ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଜିଲ୍ଲାରେ ଗତ ୫ ଦିନ ଧରି ହେଉଥିବା ଝଡ ବର୍ଷା ସହ କୁଆପଥର ମାଡ ଜିଲ୍ଲା କୋକସରା ବ୍ଲକର ଗୋତୋମୁଣ୍ଡା ପଞ୍ଚାୟତ ଅଞ୍ଚଳରେ ପିଆଜ ଚାଷୀ କ୍ଷତି ସହିଛନ୍ତି । କୋକସରା ବ୍ଲକରେ ଗତ ୧୯ ତାରିଖରେ ୩୦ ମିମି ଓ ୨୦ତାରିଖରେ ୨୩ ମିମି ବର୍ଷା ହୋଇଥିଲା । ବର୍ଷା ସହ କୁଆପଥର ମାଡ଼ ଯୋଗୁଁ ବ୍ୟାପକ ଭାବେ ପିଆଜ ଚାଷ ନଷ୍ଟ ହୋଇଛି । ଗୋତୋ ମୁଣ୍ଡା ପଞ୍ଚାୟତର ଗୋତୋମୁଣ୍ଡା, ପିପଲ ଝାପର, ଥୁଟିବାର, ଚୋରନି ଦୁଆରଅଞ୍ଚଳରେ ଚାଷୀମାନେ ଶତାଧିକ ଏକର ଜମିରେ ପିଆଜ ଚାଷ କରିଥିଲେ । ପିଆଜ ଅମଳ ସମୟରେ ହଠାତ୍‌ କୁଆପଥର ବର୍ଷା ଯୋଗୁଁ ଚାଷଜମିରେ ଅମଳ ହୋଇଥିବା ପିଆଜ ଗୁଣବତ୍ତା ଖରାପ ସହ ସବୁ ପିଆଜ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...ପଶ୍ଚିମା ଝଡ ପ୍ରଭାବ, ବ୍ୟାପକ କ୍ଷୟକ୍ଷତି ସହ ବିଦ୍ୟୁତ୍ ସେବା ବିଚ୍ଛିନ୍ନ

ଗୋତୋମୁଣ୍ଡା ପଞ୍ଚାୟତର ପିଆଜ ଚାଷୀ ବରେନ ନାଗ, ସତ୍ୟ ନାଗ, ରାମଲାଲ ନାଗ, ଶିବ ନାଗ,ଭୋଳା ନାଗ ୪୦ରୁ ଊର୍ଦ୍ଧ୍ବ ଚାଷୀ ପିଆଜ ଚାଷ କରିଥିଲେ । ହେଲେ ପଶ୍ଚିମା ଝଡ ପ୍ରଭାବରେ କୁଆପଥର ମାଡ ସାଙ୍ଗକୁ ବର୍ଷାରେ ପିଆଜ ଚାଷ ନଷ୍ଟ ହୋଇଛି । କ୍ଷତିଗ୍ରସ୍ତ ଚାଷୀଙ୍କୁ ଉଦ୍ୟାନକୃଷି ବିଭାଗ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ ଚାଷୀ ଦାବି କରିଛନ୍ତି । ସେହିପରି ଜିଲ୍ଲାର କେସିଙ୍ଗା ଓ ଭବାନୀପାଟଣା ବ୍ଲକରେ ମଧ୍ୟ ଅଦିନିଆ ବର୍ଷାର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି । ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼ରେ କେସିଙ୍ଗା ବ୍ଲକ୍‌ରେ ବ୍ୟାପକ ଧାନ ଓ ମୁଗ ଫସଲ ନଷ୍ଟ ହୋଇଛି । ବିଶେଷ କରି ବ୍ଲକ୍‌ର କଶ୍ରୁପଡ଼ା, ଘାଟପଡ଼ା,କିନେରକେଲା ସମେତ କେସିଙ୍ଗା ଏନ୍‌ଏସିଅଞ୍ଚଳର ଚାଷ କ୍ଷତିଗ୍ରସ୍ତ ହୋଇଛନ୍ତି ।

ମୁଗ ଅମଳ ଚାଲିଥିବା ବେଳେ ଅଦିନିଆ ବର୍ଷା ଦାଉ ସାଧିଛି । ଫଳରେ ପ୍ରାୟ ୫୦ ପ୍ରତିଶତରୁ ବି କମ୍ ଅମଳ ହେବ ବୋଲି ଚାଷୀମାନେ କହିଛନ୍ତି । ଯାହା ଜମିରେ ଅଛି ତାହା ବି ନଷ୍ଟ ହୋଇଛି । ରାତିରେ ହଠାତ୍ ବର୍ଷା ହେବାରୁ ଚାଷୀମାନେ ଖଳାରେ ଥିବା ମୁଗକୁ ମଧ୍ୟ ସୁରକ୍ଷା ଦେଇପାରି ନଥିଲେ । ସେହିପରି ଧାନର ଅବସ୍ଥା ବି ସମାନ । ଧାନ ମୁଗକୁ ଛାଡି ଦେଲେ ଭବାନୀପାଟଣା ବ୍ଲକ ତୁର୍କେଲ ଅଞ୍ଚଳରେ ଚାଷୀମାନେ ତରଭୁଜ ଓ ବାଦାମ ଚାଷ କରିଥିଲେ ଯାହା ଏବେ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । କୃଷି ବିଭାଗ କ୍ଷୟକ୍ଷତି ଆକଳନ କରି ସରକାରଙ୍କୁ ରିପୋର୍ଟ ଦେବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.